ଆଉ ଭାବି ହେଉନି
ବାପାଙ୍କ କାନ୍ଧରେ ବସିବା କଥା ।
ବାପା ଏବେ ଆକାଶ
ହାତ ପାଉନି ମୋର ।
ଗୋଟାଏ ଧାନ ପାଇଁ
ବାପା ଯାଆନ୍ତି ମୂଲମାଗି
ଚାଉଳ ମୁଠାଏ ପାଇଁ
ଧାନକୁଟେ ବୋଉ ଘର ଘର ।
ଦେଖୁନ
ଧାନକୁଟେଇ ପୁଅ ବୋଲି
ଲେଖା ହୋଇଚି ମୋ ଦେହସାରା ।
ବାପା, ତମେ ନାହଁ ଯେ
ଖାଁ, ଖାଁ ଦିଶୁଚି ଘରବାଡ଼ି
ଧାନଗଦାଟି ଦେଖିଲେ
ଡାକି ଦେଉଚି ବାପା ବୋଲି ।
ଭଉଣୀର ରାକ୍ଷୀ ବଦଳରେ
ଦେଇଚି ତାକୁ ବଇଁଚି କୋଳି
ଦେଇପାରିଲିନି ସମୃଦ୍ଧ ଭବିଷ୍ୟତଟେ
ଦେଇଲୋ,
କୋଳିତକ ତୋର
କଣ୍ଟାଯାକ ମୋର ।
ଠାକୁରଙ୍କ ଫଟ ତଳେ
ଲୁଚି ରହିଥାଏ ଦୁଃଖ
ଚାଉଳବଣାରେ ଭୋକ
ଛପର ହୋଇ ନଥିବା ଚାଳଘରେ
ରସକଂସାରେ ପଡୁଥିବା ବର୍ଷାପାଣି ପରି
ଆମରି ଭାଗ୍ୟ ।
ବାପା, ଆଉ ତମେ କାନ୍ଦନା
ଏବେ ମୋର କାନ୍ଦିବା କଥା ।