ଡାକରା ଆସିଲାଣି
ଚାଲିଯିବି ସେ ପୁରକୁ
ପୁଅରେ, ତୋ’ଠାରୁ
ବାପାଡ଼ାକ ଶୁଣି ଶୁଣି
ବନାଇ ସାରିଛି ମୁଁ. . .
ଏ ମିଛମାୟା ସଂସାର ମାଟିରେ
ପିତୃତ୍ୱର ପବିତ୍ର ସ୍ୱର୍ଗ ।
ଲୋଡ଼ାନାହିଁ, ଲୋଡ଼ାନାହିଁ
ଆଉ, ବାପା ହୋଇ ବଞ୍ଚିବାର
ଦୁର୍ବାର ଅଧିକାର ।
ଛଡ଼ାଇ ନେ ମୋଠାରୁ ତୋର
ବାପା ବନିଯିବାର ବଂଶଗତ ସ୍ୱାକ୍ଷର ।
ପୁଅରେ, ପୁଅ ହୋଇ ରହିବାର
ଅଟ୍ଟହାସରୁ ତୁ ହୋଇ ଯା’ ପାଆର
ଚାଲିଯାଏ ଯଦି ୟା’ ଭିତରେ
ଥିବି ମୁଁ ସରଗରେ. . .
ତୋ ଅପେକ୍ଷାରେ
ଯୋଉଦିନ, ଏ ଦୁନିଆଁ ଦାଣ୍ଡରେ
ବନିଯାଇଥିବୁ ତୁ ବାପା
ସେହି ଦିନ ଫେରି ମୁଁ ଆସିବି
ତୋ ପାଖକୁ, ତୋ ଦେହର
ପ୍ରତିଟି କୋଷର, କ୍ରୋମଜୋମ୍ ହୋଇ ।
ବଞ୍ଚିଥିବି ତୋ’ଠାରେ, ତୋ ପୁଅଠାରେ
ତୋ ଶେଷ ନିଃଶ୍ୱାସ ଥିବାଯାଏ
ଶୁଣିବାକୁ ପଦେ ଖାଲି. . .
ତୋ ପୁଅର ମୁହଁରେ
ସରାଗରେ
ବାପା. . . ବାପାଡ଼ାକ ! !