ନିହାତି ମାମୁଲି
ଲାଗୁଥିବା ସମ୍ପର୍କଟି
ନିଦା ଓ ରକ୍ତମିଶା
ହୋଇଗଲା ପରେ
ବିନିଦ୍ର ବିଶ୍ୱାସ ଛାଇ ହୋଇଥାଏ
ଜଣା ନ ଥିଲା ।
ସମ୍ପର୍କର ସବୁ ମାଟି
ଓଦା ହେଲା ଲୁହରେ ଲହୁରେ
ବୀଜରୁ ବୃକ୍ଷ ହୋଇ
କେନା ମେଲିଲା
ମେଲିଗଲା ଡାଳପତ୍ର କଢ଼ଫୁଲ
ସ୍ନେହମମତାର ରାଶିରାଶି ଫଳ ବି ।
ମୋର ବି ଲୋ କିଛି ସତ୍ତା ନ ଥିଲା
ଆମର ଆମର ମିଠା ସ୍ୱର ଶୁଭୁଥିଲା
ଧୀରେ ଧୀରେ ସାରସ୍ୱତ
ଶାଶ୍ୱତ ପ୍ରେମର ମାୟାରେ
ନିଜସ୍ୱ ସ୍ଥିତି ହଜିଗଲା ।
ହଜିଗଲା ପବନରେ
ମିଶିଗଲେ କଥା କବିତାରେ
ଗଢ଼ି ନେଲେ ହୃଦୟରେ
ଅଭୁଲା ସିମ୍ପୋନି
ଗହମ ନିଦରେ ଥିଲା ବେଳେ
ଅବିଶ୍ୱାସ ପ୍ରତାରଣା ପରି କିଛି
ମନ୍ଦ ମନ୍ଦ ବିଷ ବିଞ୍ଚୁଥିଲା ।
ଭାଗ୍ୟ ଭୋଗ୍ୟ ଭାବନାକୁ
ଉତ୍ସର୍ଗିଦେଲା ପରେ
ଶେଷହୀନ ଶୋଷରେ
କଟାଳ ବଢ଼ିଲା,
କେଉଁଦିନୁ ଚାବିଦିଆ ସିନ୍ଦୁକରୁ
ଧୀରେ ସବୁ ହଜିଯାଉଥିଲା ।
ପାଟି ଫିଟିଲାନି
ଭାଙ୍ଗିଯିବ, ସମ୍ପର୍କର ବନ୍ଧ
ସହି ହେଲାନି
ଅସତ୍ୟ କଉଶଳୀ ଶୋଷ ।
ଶେଷ ନ ଥାଏ ଶୋଷର
ଜଣା ଥିଲା ବେଳେ
ସାଥୀ ହୋଇ ଚାଲିବାର
ପରିପୂର୍ଣ୍ଣ ନଈଟେ ରଖିଲା,
ମିତପ୍ରାୟେ ବଞ୍ଚିବାର ସୁଖ
କାକୁସ୍ତ ପରାସ୍ତ ହେଲା କେଉଁଦିନ ?
ଅସହାୟ ପିଲାଟିଏ ପରି
ମୋ ପଣତେ ମୁହଁ ଗେଞ୍ଜି
ଚୁପ୍ଚାପ୍ ସବୁ ସହିନେଲା ।