ଭାଗ୍ୟର ଚନ୍ଦ୍ରଭାଗା ତୀରେ
କଳାସ୍ଥାପତ୍ୟର କବିତା ଯୋଡ଼ି
ପଥର ପରେ ପଥର ଯେତେ ଖଞ୍ଜିଲେ ବି
ମାରି ହୁଏ ନାହିଁ,
ଭିନ୍ନ ଏକ – କୋଣାର୍କ ମନ୍ଦିରର ଚୂଳୀ !
ଧୈର୍ଯ୍ୟର ବାରଶହ ବଢ଼େଇ
କର୍ତ୍ତବ୍ୟର ନିହାଣରେ. . .
ଜୀବନଶିଳ୍ପର ଯେତେ ସୂକ୍ଷ୍ମ
ଆଉ କି ନିଖୁଣ ଚିତ୍ର ଆଙ୍କିଲେ ବି
ମେଣ୍ଟେ ନାହିଁ କି ଟଳେ ନାହିଁ
ଜିଇଁ ଜିଇଁ ମରିଥିବା ଜୀବନର ଜିଜୀବିଷା ।।
ବିବେକର ଧର୍ମପଦ ସିନା,
କର୍ତ୍ତବ୍ୟର ବୋଝ ବୋହି ବୋହି
ଜୀବନର ସଂଜ୍ଞା ଭୁଲି ଯାଇଥିବା
ବିଶୁ ମହାରଣାମାନଙ୍କୁ ଖୋଜି ଖୋଜି
ପହଞ୍ଚିଯାନ୍ତି,
ଭିନ୍ନ ଏକ- କୋଣାର୍କର ଚୂଳୀ ମାରି
ଅଧୈର୍ଯ୍ୟର ତତଲା ନିଆଁରେ ଜଳୁଥିବା
ଧୈର୍ଯ୍ୟର ବାରଶହ ବଢ଼େଇମାନଙ୍କୁ
ଉଧାରିବା ପାଇଁ, କିନ୍ତୁ ପାରନ୍ତି ନି,
ଜୀବନର ଯୁଦ୍ଧାହତ ଚନ୍ଦ୍ରଭାଗା ତୀରେ
ନିଜେ କେବେ ନିଜକୁ ବଞ୍ଚାଇ ।
ନିୟତିର ଅସ୍ତଗାମୀ ଅରୁଣଙ୍କୁ
ସ୍ୱାଗତ ଜଣାଇ, ବିବେକର ଧର୍ମପଦମାନେ
ସନ୍ତର୍ପଣେ, ଡେଇଁ ପଡ଼ନ୍ତି. . .
ମୃତ୍ୟୁ ସମୁଦ୍ରର କରାଳ ଗର୍ଭକୁ,
ଜାତି ଇତିହାସର ସ୍ୱର୍ଣ୍ଣାକ୍ଷରରେ
ଭିନ୍ନ ଏକ କୋଣାର୍କର କଥା
ଲେଖି ଦେବା ପାଇଁ ।
କିନ୍ତୁ ଭାଗ୍ୟର ଚନ୍ଦ୍ରଭାଗାମାନେ ।
ସେମିତି ଝୁରୁଥାନ୍ତି
କରାଳ ମୃତ୍ୟୁର ନୀଳ ନିମନ୍ତ୍ରଣକୁ ଆପଣେଇ ନେଇ
ଆଉ ଧୈର୍ଯ୍ୟର ବାରଶହ ବଢ଼େଇମାନେ. . . !
ଅକସ୍ମାତେ ଜିତିଯାନ୍ତି,
ମୃତ୍ୟୁର ଛକାପଞ୍ଝା ଖେଳ ଭିତରୁ,
ପାରନ୍ତି ନି,
ନିରୀହ ନିଷ୍ପାପ ଅବୋଧ ଭାଗ୍ୟକୁ ହରାଇ
ନୁଖୁରା ଆଖିର ଶ୍ୱେତ ପଟଳରେ
ମାଡ଼ିଆସୁଥିବା ଅଦିନିଆ କାଳ ସୁନାମିର
ଅମାନିଆ ଢେଉକୁ ଅଟକାଇ ।।
ବଞ୍ଚିରହିଥାନ୍ତି, ମରୁମରୁ ଜୀଇଁଥିବା
ଭିନ୍ନ ଏକ କୋଣାର୍କର କଥା କହୁଥିବା
ବାସ୍ତବ ଜୀବନର ସଂଜ୍ଞା ପାଇବାର ପାଇଁ !