କବିତା

ବ୍ୟତିକ୍ରମ ସଂଯୋଗ

Niranjan Jena's odia poem Byatikrama Sanjog

ହ୍ୟାଲୋ ! ଟିକେ ଜୋର୍‌ରେ କୁହ,
ତମ କଥା ଅସ୍ପଷ୍ଟ ଅସ୍ପଷ୍ଟ ।।
ଏ ପୃଥିବୀରେ ସମସ୍ତଙ୍କୁ ଏକା
ଏକା ଏକା ଫେରିବାକୁ ହୁଏ
ଏକଥା ମୋ ଗୁରୁଙ୍କ ବଚନ ।।

ବ୍ୟତିକ୍ରମ ସଂଯୋଗ

ହ୍ୟାଲୋ ! କେମିତି ଅଛ ?
ଚିଠି ନାହିଁ କି ଫୋନ୍ ନାହିଁ
ବଡ଼ ଏକା ଏକା ବିଷର୍ଣ୍ଣ ଦିନ
ବାପା କହୁଥିଲେ ତମ ଗାଁ ଯିବେ
ଏବଂ ସମ୍ପର୍କ ଯୋଡ଼ିବେ ।।

ହ୍ୟାଲୋ ! ଟିକେ ଜୋର୍‌ରେ କୁହ,
ତମ କଥା ଅସ୍ପଷ୍ଟ ଅସ୍ପଷ୍ଟ ।।
ଏ ପୃଥିବୀରେ ସମସ୍ତଙ୍କୁ ଏକା
ଏକା ଏକା ଫେରିବାକୁ ହୁଏ
ଏକଥା ମୋ ଗୁରୁଙ୍କ ବଚନ ।।

ହ୍ୟାଲୋ ! ତମେ ଆଜିକାଲି ସମ୍ପୂର୍ଣ୍ଣ ଭିନ୍ନ
ହସି ହସି କଥା କହୁନ, କି ସଠିକ୍ ଉତ୍ତର ଦେଉନ
ଅଙ୍କା, ବଙ୍କା କଥା କହି
ମନଟା ସାଉଁଳି ଦେଉଛ ।।

ହ୍ୟାଲୋ ! ଅଙ୍କାବଙ୍କା କଥା ମୋର ନୁହେଁ
ପ୍ରତିଟି ମଣିଷର, ଆମ ସମୟର ।।
କେମିତି ବୁଝେଇବି ଫୋନ୍‌ରେ
କଥାର ଚାତୁରୀରେ ପ୍ରେମ ଅନୁପମ
ଅନୁରାଗେ ପ୍ରେମ ହୁଏ ଶୀତଳ ଚନ୍ଦନ
କିନ୍ତୁ ତମ ଠୋ’-ଠୋ’ କଥା
ବେଳେ ବେଳେ ବଡ଼ ନିଦାରୁଣ ।।

ହଁ, ହଁ କହୁଥିଲ ପରା ଆମ ସମୟ
ସମୟ ତ ଆରମ୍ଭ ହୋଇନି
ଏବେଠୁଁ ତମେ ବଦଳିଯାଉଛ
ଆଗଭଳି ରୋମାଣ୍ଟିକ୍ ନୁହଁ
ମଜା, ଥଟ୍ଟା, ପରିହାସ ନାହିଁ
ମଧ୍ୟଯୁଗୀୟ ନାୟକ ପରି
ଆଜିକାଲି ଚିଠି ବି ଲେଖୁନ
ସବୁ କଥାରେ ସମୟ ନିଅଣ୍ଟ ।।

ହ୍ୟାଲୋ ! ମଣିଷ ବଦଳିଯିବା,
ଆଣ୍ଟି ରୋମାଣ୍ଟିକ ହେବା
ସବୁକିଛି ସମୟର ଖେଳ
ଯିଏ ଖେଳାଉଛି ମୋତେ
ସେ କେବଳ ଦେଇପାରେ ସଠିକ୍ ଉତ୍ତର ।।

ହଁ, ହଁ, ଯେତେ କଥା କହିଲେ ବି-
ତମେ ଗମ୍ଭୀର ! ତମେ ରାକେଶ ତ. . .
ନା, ନା, ମୁଁ ରାକେଶ ନୁହଁ- ପ୍ରକାଶ
କେଉଁଠୁ କହୁଛ ? ସମ୍ୱଲପୁରରୁ
ରଂ ନମ୍ୱର ! !

ବେଳେବେଳେ ଏମିତି ବି ହୁଏ
ସମ୍ପର୍କର ଅଲରାଖିଅ
କେଉଁଠି ଛିଡ଼ିଯାଏ
ଏଇ ଯେମିତି ପଲ୍ଲବୀ ଏବଂ
ସେମାନଙ୍କ ପଲ୍ଲବିତ ମନ
ସୁର ଯୋଡୁ ଯୋଡୁ କାହିଁକି ବେସୁରା ।
ସବୁ ଠିକ୍ ଥାଉ ଥାଉ
କେମିତି ବେଠିକ୍
ପାଲଟା ଉତ୍ତର କାହିଁକି ନିରୁତ୍ତର । ।

ଶବ୍ଦବନ୍ଧ କେମିତି ଭାଙ୍ଗିଯାଏ
କିଏ ବାଟ ଓଗାଳେ ଶବ୍ଦ ତରଙ୍ଗରେ
ଆହାଃ ଦୂରଭାଷ । ହୃଦୟ ବିହୀନ ।
ସଞ୍ଚାରକ ଯଦି ପ୍ରତାରକ ସାଜେ
ବ୍ୟତିକ୍ରମ ସଂଯୋଗ ଯଦି
ମନ ଓ ହୃଦୟକୁ ଖଣ୍ଡ ଖଣ୍ଡ କରେ
କାହାକୁ ବା ଦୋଷ ଦେବ ।
ପ୍ରକାଶକୁ, ରାଜେଶକୁ…
ନା ପଲ୍ଲବୀପରି ଅସହାୟ ଝିଅକୁ
ନା ରୋବର୍ଟ ଦୁନିଆଁର ଯାନ୍ତ୍ରିକ ତ୍ରୁଟିକୁ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top