ଏମିତି କ’ଣ ହେଇଯାଇଛି ଯେ
ଏତେ ତୁମ୍ୱିତୋଫାନ
ଖବରକାଗଜର ପହିଲି ଫର୍ଦ୍ଦରେ
ଦୂରଦର୍ଶନର ସବୁ ଚ୍ୟାନେଲ୍ରେ
ଜାତୀୟଠୁ ଅନ୍ତର୍ଜାତୀୟ ସବୁଠି
ଏକା ଦୃଶ୍ୟ !
ସତରେ କଣ ଛିଡ଼ିପଡ଼ିଛି ଆକାଶ
ନା ଧରାଯାଇଛି ରସାତଳକୁ
ହାତଛଡ଼ା ହୋଇଛି କି ସମ୍ରାଟଙ୍କ ରାଜ୍ୟ
ଶୁଖିଗଲା କି କ୍ଷୀରସାଗର
ନା, ଫଣା ହଲେଇଳା ବାସୁକୀ
ଖୋଲିଲେ କି ତୃତୀୟ ନୟନ ଶଙ୍କର
ବାବୁଭୈୟାମାନେ ଅଛନ୍ତି ତ ସୁରକ୍ଷିତ ।
ହେଲା ଏବେ ଦଲକା ଦଲକା
ରକ୍ତ କାଶୁଥିବା ତିର୍ଲାଟା ମଲା
ତା’ ମର୍ଦ୍ଦ ଯେତେବେଳେ
ତା’ ଶେଷ ଇଚ୍ଛା ରଖିଲି
ତାକୁ ଗାଁ ମଶାଣି ଯାଏ ନେବାକୁ
ଥିଲା ତ,
ନିଜ କାନ୍ଧକୁ ବାହନ କଲି
ଏମିତି କେତେ ବୋଝ ବୋହି ମୁଁ
କୁର୍ମ ହୋଇଛି
ମୁଁ ଜାଣେ ସାରାଜୀବନ
ନଅଙ୍କିଆ ଛତ୍ରଖିଆର ଭାଗ୍ୟ ମୋର
ଏଇକଥାକୁ ଏତେ ଫେଣାଫେଣି କାହିଁକି ?
କ’ଣ ପଚାରୁଛନ୍ତି ବାବୁ ଆଜ୍ଞା
ସରକାର ବାହାଦୂରଙ୍କ କଥା
ସେ ତ ସବୁ ଖଞ୍ଜିଛନ୍ତି
ଏନ୍ତୁଡ଼ି ଠୁ ମଶାଣି ଯାଏ
ତାଙ୍କୁ ନିନ୍ଦିବି
ମତେ ଦଇବ ସହିବଟି
ସରକାର ଭଲରେ ଥା’ନ୍ତୁ !
ମୋର ଲୁହ କୋହ ସବୁ ସିମେଣ୍ଟିଆ
ଠିକ୍ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ପରି
ଯାଆନ୍ତୁ ଆଜ୍ଞା ଆଉ
ଉତ୍ତର ଦେବାକୁ ଜୁ’ ନାହିଁ ମୋର
ସଭ୍ୟତା ଶଢ଼ିବାର ମୁଁ ଦେଖିଛି
ଦେଖିଛି ପୁଣି ଆପଣମାନଙ୍କର
ମୋ ଆଳରେ ପ୍ରଚାରିତ ହେବାର
ଅନ୍ତରଙ୍ଗ ଛଳନା
ଏଯାଏଁ ମୁଁ ଦି’ଟୋପା ଲୁହ ବି
ଗଡ଼େଇନି ଠିକ୍ରେ
ବୁଝିନି ବି ମା’ ଛେଉଣ୍ଡ ଝିଅର
ବେଦନା !
ମୋର କିଛି ଅଭିଯୋଗ ନାହିଁ
ନା ସରକାର ନା ପ୍ରଶାସନ ଠି
ଏମାନଙ୍କ କଥା ଛାଡ଼ନ୍ତୁ
ମୁଁ ତ କ୍ଷମା କରିଦେଇଛି
ସେ ଅଦୃଶ୍ୟ ଈଶ୍ୱରଙ୍କୁ
ଯିଏ ପଠେଇଛନ୍ତି
ମତେ ଏ ପୃଥିବୀକୁ !