ଚତୁର୍ଦ୍ଦିଗେ ବ୍ୟାପି ଥିଲା ଗଭୀର ନିରବତା,
ତୁହା ତୁହା ଉଷ୍ମ ପବନରେ
ଭାସି ଆସୁଥିଲା
ପୋଡ଼ା ହୃଦୟର ଗନ୍ଧ,
ଆଖି ସବୁ ରଙ୍ଗହୀନ
ଓଠ ସବୁ ଶୁଖିଲା ଶୁଖିଲା
କାରଣ ଏଇ ଟିକେ ଆଗରୁ
ମୋ ସହରକୁ ଦଙ୍ଗା ଆସିଥିଲା ।
ପୋଛି ନେଲା ମଥାରୁ ସିନ୍ଦୂରର ବିନ୍ଦୁ
କୁନି କୁନି ଓଠରୁ ହସ ଲିଭିଗଲା
ଘରେ ଘରେ ଜଳିଲାନି ଚୁଲି
ମଶାଣିରେ ମଣିଷର ଜୁଇ ଜଳୁଥିଲା ।
ରାସ୍ତାଘାଟରେ କୁଢ଼ କୁଢ଼ ଇଟା ଓ ପଥର
କୁହୁଳୁ ଥିଲା ଧୂଆଁ
ସତେଜ ଦିଶୁଥିଲା ଲାଲ୍ ରକ୍ତର ଛିଟା ।
ଏଠି ମଣିଷ ତ ମଣିଷ
ଈଶ୍ୱରଙ୍କ ଛାତିରେ ବି ଗୁଳି ବାଜିଗଲା
ହାଏ ମୋ ସୁନ୍ଦର ସହରକୁ ଦଙ୍ଗା ଛୁଇଁଗଲା ।
ହଜିଗଲା ଶାନ୍ତି
ଭାଙ୍ଗିଗଲା ମନ
ପୋଡ଼ିଗଲା ପ୍ରତି ଆଖିର ସପନ
ଗୋବରୀର ପାଣି ସତେ ଲାଲ୍ ଦିଶୁଥିଲା
ଏଇ ତ ମୋ ସହରକୁ ଦଙ୍ଗା ଆସିଥିଲା ।