ଧାସ କ’ଣ ଧୂଆଁ ନା ଧୀଷଣା
ନା ଆଖିକୁ ଧରାଦେଉନଥିବା
ଦରଦର ଦହନ
ନା କୋମଳ ଆଘାତ ନା
ଆବାହନୀ ମୁଦ୍ରାରେ ଆଲିଙ୍ଗନର ଆହ୍ୱାନ
ନା ସାପଫଣାର ଚୋଟ
ନା ଚାହାଣିରୁ ପବନକୁ
ସଞ୍ଚରି ଯାଉଥିବା ନିଶାର ଝୁଙ୍କଟିଏ !
ଧାସ ଯାହା ହେଉ ପଛେ
ଚିହ୍ନେଇଦିଏ ତା’ର ପରାକ୍ରମ
ସଞ୍ଚିତ ସାମର୍ଥ୍ୟ
ଝାଉଁଳାଏ ନଉଲି ଦେହ
କୁହୁଳାଏ ଛାତିର ନିଆଁ
ତାତିବି ବଢ଼ିଯାଏ ଜିହ୍ୱାର
ଫଣ ଫଣ ଆଇଁଷ ଗନ୍ଧରେ !
କାହାର ଧାସ ନାହିଁ କୁହ ତ ?
ଚଳନ୍ତା ଗାଡ଼ିର ନା ଉଡ଼ନ୍ତା ଚଢେ଼ଇର
ମେଘରୁ ଖସୁଥିବା ବିଜୁଳିର ନା
ନେତା କି ମନ୍ତ୍ରୀର
ଅଫିସର କି ପିଅନର
ନାରୀ ନା ନରର ନା
ଚମରୁ ଚହଟୁଥିବା ତୁହା ତୁହା ସ୍ୱପ୍ନର
କାହାର ନାହିଁ ଧାସ ?
ଧାସ ଧାଉଁଥାଏ ଲହଲହ ଜିହ୍ୱାକାଢ଼ି
ଘୋଟିଯାଏ ମେଘପରି ମନର ଆକାଶ
ମାଟିର ଦେହ
ଏଇ ଯେମିତି ଶୀତର ଧାସ
ଏକ ପ୍ରଲମ୍ୱିତ ଅନ୍ଧାର ରାତି
ଘୋଟିଥାଏ କୁହୁଡ଼ିକୁ
ବସନ୍ତର ଧାସରେ ଗର୍ଭବତୀ ହୁଏ ଆମ୍ୱଗଛ
କୋଇଲି ଛାତିରୁ ଗୀତ ଫୁଲେ
ଗୁମୁରି ଗୁମୁରି ତାତି ଉଠେ
ଲୋମମୂଳୁ ଧାସର ଛୁଆଁରେ ।
ଧାସ କିନ୍ତୁ ଦେଉଳର ଦ୍ୱାରବନ୍ଧ
ଦିଅଁକୁ ହେଉ ଅବା ଦେହକୁ
ମନକୁ ହେଉ ଅବା ଆତ୍ମାକୁ
ଭିତରକୁ ପହଞ୍ଚିବାର
ଏକ ଉତ୍ତୁଙ୍ଗ ଆକର୍ଷଣ !

Pingback: Dhaasa an odia poem by Jachindra Kumar Rout | Oriya Magazine ameodia.com