ଅଣୁଗଳ୍ପ

ଝିଅଟିଏ

Hemanta Kumar Rout's odia short story Jhiatie

ଚିଟୁ କହିଲା, “ତମ ସମୟରେ ସେମିତି ଥିଲା ।” ରିନି କହିଲା, “ତମେ କ’ଣ ଆଜିକାଲି କଥା ଜାଣିନ ବାପା ?” ଜୟନ୍ତ ବାବୁ କହିଲେ, “ମୁଁ ଯାହା କିଣିଛି ତାକୁ ବଦଳେଇ ପାରିବି ନାହିଁ ।”

ଝିଅଟିଏ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ରାତି ପାହିବାକୁ ଟିକେ ବିଳମ୍ୱ । ଟିଟୁ, ରିନି ବିଛଣାରୁ ଉଠି ବାପାଙ୍କୁ କହିଲେ, “ତୁମେ ଯେଉଁ ଡ୍ରେସ୍ ଆଣିଚ ଆମେ ତାକୁ ପିନ୍ଧିବୁନି । ଏମିତି ତ ଆମର ସାଙ୍ଗ ପିଲାମାନେ ଆଗରୁ ପିନ୍ଧି ସାରିଲେଣି ।” ଜୟନ୍ତ ବାବୁ କହିଥିଲେ, “ଏଗୁଡ଼ା କ’ଣ ତମର ସବୁଦିନ ରହିଥିବ ? ଘରେ ତ ପୋଷାକ ବୋଝେଇ ହୋଇଛି । କେତେଥର ତାକୁ ପିନ୍ଧିଛ । ଆମ ବାପା ଯାହା ଆମକୁ ଦଉଥିଲେ ଆମେ ତାକୁ ଖୁସିରେ ପିନ୍ଧୁଥିଲୁ । ଆମ ଘରେ ଆମର ଜନ୍ମଦିନ ପାଳନ ହୁଏନି । ବିନା ଜୋତାରେ ଖଣ୍ଡେ ଖଣ୍ଡେ ପ୍ୟାଣ୍ଟ ସାର୍ଟ । ପୋଷାକ ମଇଳା ହେଲେ ବୋଉ ସୋଢ଼ାରେ ସିଝେଇ ସଫା କରିଦିଏ । ଚିରିଗଲେ ଛୁଞ୍ଚିରେ ସିଲେଇ କରେ ।”

ଚିଟୁ କହିଲା, “ତମ ସମୟରେ ସେମିତି ଥିଲା ।” ରିନି କହିଲା, “ତମେ କ’ଣ ଆଜିକାଲି କଥା ଜାଣିନ ବାପା ?” ଜୟନ୍ତ ବାବୁ କହିଲେ, “ମୁଁ ଯାହା କିଣିଛି ତାକୁ ବଦଳେଇ ପାରିବି ନାହିଁ ।”

ପିଲାମାନେ କହିଲେ, “ଆମେ ପିନ୍ଧିବୁନି କି ଖାଇବୁନି ।”

ହଠାତ୍ ତାଙ୍କ ଝରକା ସେପାଖରେ ଦେଖାଗଲା ସକାଳୁ ସକାଳୁ ଝିଅଟି ନର୍ଦ୍ଦମାରେ ପଶି କ’ଣ କରୁଛି । ସମସ୍ତଙ୍କ ଆଖି ସେଇ ଆଡ଼କୁ ଚାଲିଗଲା । ଜୟନ୍ତବାବୁ ଓ ପିଲାମାନେ ଝରକା ପାଖକୁ ଉଠିଗଲେ ।

ଛୋଟ ଝିଅର ଚିରା ଫ୍ରକ୍, ମୁଣ୍ଡର ନୁଖୁରା କହରା ଚୁଳ ମୁହଁକୁ ଢାଙ୍କି ଦେଇଛି । ନର୍ଦ୍ଦମାର ପଙ୍କ ଠାଏ ଠାଏ ଲାଗିଥିଲା । କାହାରି ଆଡ଼କୁ ମନ ନାହିଁ, ପଙ୍କକୁ ଗୋଳେଇ ମାଛ ଚିପିବା ପରି ସେ ଚିପି ଚାଲିଥିଲା ।

ବାବୁ ତାକୁ ପଚାରିଲେ, “ଏତେ ସକାଳୁ ତୁ ନର୍ଦ୍ଦମାରେ କ’ଣ ଖୋଜୁଛୁ ?” ଝିଅଟି କହିଲା, “ଏଇ ନର୍ଦ୍ଦମାରୁ ବେଳେବେଳେ ମଦ ବୋତଲ ମିଳେ । ଆଜି ଦଶହରା, ଭାରି ମଜା ହେବ ଆମ ଗଳିରେ । ଦଶଟି ବୋତଲକୁ ପାଞ୍ଚ ଟଙ୍କା । ମୋ ପାଖରେ ଦଶଟଙ୍କା ଅଛି । ୟା’କୁ ମିଶେଇକି ମୋ ସାନଭାଇ ପାଇଁ ବନ୍ଧୁକ, ଗୁଳି, ବେଲୁନ୍, ମିଠେଇ ଆଉ ମଟରଭଜା କିଣିବି ।”

ସମସ୍ତଙ୍କ ମୁହଁ ଏକାକାର । ସେମାନେ ପରସ୍ପରକୁ ଚାହିଁଥିଲେ । ଆଉ ଝିଅଟି ସେମିତି ଲାଗିଥିଲା ତା’ କାମରେ ।

1 Comment

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top