କବିତା

ଦୁର୍ଗତି ପଥେ ମାତୃଭାଷା

Sudipta Pani's odia poem Durgati Pathe Maatrubhasha

ଓଡ଼ିଆ ଭାଷାକୁ ହୀନ ମନେ କରି
ନ ମଣ ତାହାକୁ ହେୟ,
ଓଡ଼ିଆ ଭାଷାର ପ୍ରାଚୀନତା ଜାଣ
କାହାକୁ ବା ତୁମ ଭୟ

ଦୁର୍ଗତି ପଥେ ମାତୃଭାଷା

ଦୁର୍ଗତିର ପଥେ ଆମ ମାତୃଭାଷା
ଜରାଜୀର୍ଣ୍ଣ ତାର ପ୍ରାଣ,
ବିଦେଶୀ ଭାଷାକୁ ଆପଣା କରିଲେ
ପୁଣି ହେବା ପରାଧୀନ।୧।

ବିଦେଶୀ ଆସିବେ ପୁଣି ଲୁଟି ନେବେ
ଭାରତରୁ ସିଂହାସନ,
ଦେଶ ଓ ରାଜ୍ୟକୁ ଆବୋରି ବସିଛି
ଅପସଂସ୍କୃତି ଗହନ ।୨।

ସନାତନ ଧର୍ମ ପରିବର୍ତ୍ତେ ପାଦ୍ରୀ
ଚଳାଇବେ ଖ୍ରୀଷ୍ଟ ଧର୍ମ,
ଧ୍ଵଂସ କରିଦେବେ କଳା ଓ ସ୍ଥାପତ୍ୟ
ଉତ୍କଳ ହୋଇବ ଦୀନ ।୩।

ତୁମେ ଭାବୁଅଛ ଓଡ଼ିଆ ଏଡାଇ
ଇଂରାଜୀରେ ହେବ ଜ୍ଞାନୀ,
ମୁଁ ତହିଁ ଭାବୁଛି ଜାତିର ବିରୋଧୀ
ନିଶ୍ଚେ ଅଟନ୍ତି ଅଜ୍ଞାନୀ ।୪।

ଓଡ଼ିଆ ଭାଷାରେ ପ୍ରଚଳିତ ଥିବା
ପିତା ମାତା ପରି ନାମ,
ଇଂରେଜୀ ପ୍ରଭାବେ ମମି ଡାଡି ଆଦି
କରୁଛନ୍ତି ସମ୍ବୋଧନ।୫।

ବିଦେଶ ଯିବାର ଲୋଭରେ ସେମାନେ
ବିଦେଶକୁ ଘୋଷୁ ଥାନ୍ତି,
ନିଜ ସନ୍ତାନଙ୍କୁ ପଢ଼ାଇବା ପାଇଁ
ଇଂରାଜୀ ସ୍କୁଲ୍ ପଠାନ୍ତି।୬।

ଓଡ଼ିଆ ଭାଷାକୁ ହୀନ ମନେ କରି
ନ ମଣ ତାହାକୁ ହେୟ,
ଓଡ଼ିଆ ଭାଷାର ପ୍ରାଚୀନତା ଜାଣ
କାହାକୁ ବା ତୁମ ଭୟ ।୭।

ଚାଷୀଟିଏ ଗଲେ ଅଫିସ ଘରକୁ
ଜମିର ରସିଦ୍ ପାଇଁ,
ଅଫିସର ଲେଖେ ଇଂରାଜୀ ଭାଷାରେ
ଚାଷୀ ବା ବୁଝିବ କାହିଁ? ।୮।

ମାତୃଭାଷା ଛାଡ଼ି ବିଦେଶୀ କହିଲେ
ଜାତୀୟତା ହେବ ନଷ୍ଟ,
ଏକଥା ଜାଣିଲେ ମହାପୁରୁଷଙ୍କୁ
ନିଶ୍ଚୟ ହୋଇବ କଷ୍ଟ ।୯।

ମାତୃଭାଷା ରକ୍ଷା ହେଉ ଆମ ଦୀକ୍ଷା
ତାହାର ସୁରକ୍ଷା ବ୍ରତ,
ମାତୃଭାଷା ପ୍ରୀତି ଦିଅ ହେ ଆଶିଷ
ଆହେ ଜଗତର ନାଥ ।୧୦।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top