ମୃତ୍ୟୁ ଏକ ଏମିତି ଶବ୍ଦ ଯାହାକୁ ଶୁଣିଲେ ଛାତି ଥରି ଉଠେ । କହିବାକୁ ଗଲେ ଡର ଲାଗେ ସେହି ଛୋଟ ଶବ୍ଦଟିକୁ। ସେ ଏମିତି ଏକ ଶବ୍ଦ ଯାହାର ସାମାନ୍ୟତମ ଦୟା ମାୟା ନାହିଁ; ଯିଏ ସମୟ, ବୟସ କିଛି ବୁଝେନି । ବୁଝେ ନାହିଁ ମନ କି ହୃଦୟ.. ବାସ୍ କବଳିତ କରି ନିଏ । କହିବାକୁ ଗଲେ ସେ ଅତି ନିଷ୍ଠୁର ଶବ୍ଦଟିଏ ।
ମଣିଷ ଜନ୍ମ ନେଇଛି ନିଶ୍ଚୟ ମୃତ୍ୟୁ ବରଣ କରିବ-ଏହା ସତ୍ୟ । କେବଳ ମଣିଷ ନୁହେଁ ଗଛ ଲତା ପଶୁ ପକ୍ଷୀ ସମସ୍ତେ; ଯିଏ ଜନ୍ମ ନେଇଛି ତା’ର ମୃତ୍ୟୁ ସୁନିଶ୍ଚିତ। ଏହା ହେଉଛି ବିଧିର ବିଧାନ,ସୃଷ୍ଟିର ନିୟମ।
ଗୋଟେ ଛୋଟ ଶିଶୁ ଯେତେବେଳେ ଜନ୍ମ ନିଏ କେତେ କଣ ଖୁସି ଓ ଆନନ୍ଦର ଧାରା ଛୁଟି ଯାଏ ଚତୁର୍ଦ୍ଦିଗରେ କିନ୍ତୁ ମୃତ୍ୟୁ ଯେ କେତେବେଳେ ସେ ଖୁସିରେ ଲୁହ ଭରିଦିଏ ସମୟ ଜଣା ପଡ଼ିନଥାଏ । କେବେକେବେ ସେ ଛୋଟ ନିଷ୍ପାପ ଶିଶୁକୁ ମଧ୍ୟ ନେଇଯାଏ ସବୁଦିନ ପାଇଁ ,ତା’ ଦିନ ଆରମ୍ଭ ନ ହେଉ ହେଉ ତା’ ଜୀବନ ଦୀପରୁ ତେଲ ସରିଯାଏ ଏବଂ ଲିଭି ଯାଏ ତା’ ଜୀବନ ସଳିତା, ମାଡ଼ି ଆସେ ଅନ୍ଧକାର। ସରିଯାଏ ଜୀବନ ଆରମ୍ଭ ପୂର୍ବରୁ ! ସେ ଏପରି ଜୀବନ-ପ୍ରଦୀପ, ଯେଉଁଥିରେ ନା କେବେ ତେଲ ଭରିହେବ ନା ଲିଭି ସାରିଥିବା ସଳିତାଟି ପୁନଃଶ୍ଚ ଜଳି ଉଠିବ। ଜୀବନ ହେଉଛି ଠିକ୍ ଏହିପରି ଏକ ଦୀପ ।
ଶିଶୁଟିଏ ବଡ଼ ହେଲା ପରେ ତା’ ମନରେ କେତେ ଆଶା, କେତେ ଲକ୍ଷ୍ୟ ନେଇ ଆଗେଇ ଚାଲିଥାଏ କିନ୍ତୁ ଯଦି ସେହି ସମୟରେ ହଠାତ ସେ ମୃତ୍ୟୁ କବଳିତ ହୁଏ, ତେବେ ଅଟକିଯାଏ ତା’ ମନର ଆଶା, ଇଚ୍ଛା, ଅଭିଳାଷ ଏବଂ ତା’ ଲକ୍ଷ୍ୟ ଭରି ରହିଥିବା ଜୀବନର ରେଳ ଗାଡ଼ି । ତା’ର ସମସ୍ତ ଆଶା, ଇଚ୍ଛା ସବୁ ଅଧାରେ ରହିଯାଏ । ଯାହାକୁ ଅନ୍ୟ କେହି ପୂରଣ କରିପାରିବା ଅସମ୍ଭବ ।
ଜୀବନର ସମସ୍ତ ଅବସ୍ଥାକୁ ଅତିକ୍ରମ କରି ସାରିବା ପରେ ଯେତେବେଳେ ଜଣେ ବାର୍ଦ୍ଧକ୍ୟ ଅବସ୍ଥାରେ ପହଞ୍ଚି ଯାଇଥାଏ ସେତେବେଳେ ଯଦି ତା ଆଗରେ ହାବୁଡି ଯାଏ ମୃତ୍ୟୁ ତ ମନରେ ବିଶେଷ କିଛି ଦୁଃଖ ବା ଅବଶୋଷ ରହି ନଥାଏ କାରଣ ସେ ତା’ ଜୀବନକୁ ବହୁ ଭାବରେ ଉପଭୋଗ କରିଥାଏ ଏବଂ ତା’ ମନରେ ଥିବା ସମସ୍ତ ଇଚ୍ଛାକୁ ଅଳ୍ପ କିଛି ମାତ୍ରାରେ ହେଲେ ବି ପୂର୍ଣ୍ଣ କରି ସାରିଥାଏ ।
କିଛି ମନୋବାଞ୍ଛା ସହଜରେ ହେଉ ବା କଷ୍ଟରେ ମିଳି ଯାଇପାରେ, କିନ୍ତୁ ବଞ୍ଚିବାର ଇଚ୍ଛା କେବେ ବି ପୂରଣ ହୁଏନି । ଯେତେ କଷ୍ଟ କଲେ ମଧ୍ୟ ଜୀବନ-ଚକକୁ ପଛକୁ ଫେରେଇ ଆଣି ହୁଏନି କାରଣ ମୃତ୍ୟୁ ହେଉଛି ସୃଷ୍ଟିର କଡା ନିୟମ..ପୁଣି ନିଷ୍ଠୁର ପରିଣତି ।