ଏବକୁ ବୟସ ସତୁରୀ
ପିତା: ଗୋଖେଇ, ଜାତି:- ଚଷା
ବାସସ୍ଥାନ ନିଜିଗାଁ, ପଧାନ ପଡ଼ା ।
ଫିସନ ଗୋଲକ ରାଜଧାନୀ ଯାଏ
ଦୁଇଥର କିମ୍ୱା ତିନିଥର
କଲେକ୍ଟର ପୁଅର ଫୁରୁସତ୍ ନଥାଏ
ଛମାଣ ଜମିର ଚାଷବାସ
କିମ୍ୱା ବାଡ଼ି ବଗିଚାର ରକ୍ଷଣା ବେକ୍ଷଣ ।।
ସହରୀ ବୋହୂ ସବୁ କଥାର
କିତା, କିତା ହିସାବ ନିଏ
ରୁଆ ପୋତା, ସାର, ଖତ, ଜଳକର
ଏବଂ ମୁହଁ ଫଣ ଫଣ କରି କହେ-
“ଏଥରକ ଟଙ୍କା ନିଅ
ଆରସନକୁ ଜମି ବିକ୍ରି ହେବ
ଲୋକ ଠିକ୍ କର ।।”
ପଧାନେ ଟଙ୍କା ଧରି ଗାଁକୁ ଫେରନ୍ତି
ବସ୍ରେ ନୁହେଁ କି ରେଳରେ
ପାଦରେ ଚାଲି ଚାଲି ସତର ମାଇଲ୍
ଘରେ ଆସି ବୁଢ଼ୀ କି ସବୁକଥା
ଡଗ ଡଗ ବଖାଣିଯାଏ ବୁଢ଼ା
ବୋହୂର ଆଦର, ପୁଅର କୁଶଳ ଖବର
ନଅ ତିଅଣ, ଛଅ ଭଜା
ନାତି ଟୋକାର ଅର୍ଦ୍ଦଳୀ. . . କେତେ କ’ଣ. . .
ବୁଢ଼ୀର ଅଲକ୍ଷ୍ୟରେ ପଧାନେ
କୋହ ଓ ଲୁହକୁ ସମ୍ଭାଳି ନିଅନ୍ତି ପ୍ରତିଥର ।।
ଦ୍ୱିତୀୟ ଛପର ହୁଏ ଚଇତରେ
ଶଗଡ଼ରେ ଚାଉଳ, ଛଣ, କୁଣ୍ଡା ଓ
ବାଡ଼ି ନଡ଼ିଆ, କଦଳୀ ଧରି
ବୁଢ଼ା ପହଞ୍ଚି ଯାଏ ରାଜଧାନୀରେ
ସେ ପାଳି ବୁଢ଼ାକୁ ରହିବାକୁ ହୁଏ ରାତିରେ
ପୁଅ ସାଥିରେ ଦେଖା ହୁଏ ଢେର ରାତିରେ
ଟଳମଳ ପାଦରେ ପୁଅ ଓହ୍ଲାଏ ଗାଡ଼ିରୁ
ସେ ଦେଖା- ନ ଦେଖା ସଙ୍ଗେ ସମାନ ।।
ନାତି ଟୋକା ବକର ବକର ସଞ୍ଜ ପହରୁ
ମାଆ ତାଗିଦା କରେ ଟି.ଭି. ଘରୁ ।।
ସେଥର ନାତିଟୋକା
କେତେ କ’ଣ ପଚାରିଥିଲା,
“ଜେଜେ ତମେ ଏତେ ଗାଁ କଥା କହୁଛ
ତମ ଗାଁଟା କେମିତିକା ଜେଜେ ?”
ଡାଡ଼ିଙ୍କୁ କେତେଥର କହିଲିଣି ଗାଁକୁ ଯିବା
ମମିର ସବୁଥର ନା. . .
ମୁଁ ଥରୁଟିଏ ଗାଁକୁ ଦେଖନ୍ତି ।।
ପଧାନେ “ହୁଁ” ମାରିଲେ ଏବଂ କହିଲେ
“ସେଦିନର ଗାଁ ଓ ଏବର ଗାଁ
ଅନେକ ତଫାତ୍
ତୋ ବାପକୁ କହିବୁ
ମାଟିର ମଣିଷ ସିନେମାର
ପଧାନ ପଡ଼ା ଗାଁକୁ
ତୋତେ ଦେଖେଇ ଦେବ ଭିଡ଼ିଓରେ ।।”
