ଅକ୍ଷିତୃତୀୟା ଦିନ
ବାପାଙ୍କ ଆଖି ଦିଶେ ଲୁହ ଛଳଛଳ ।
ଦାଣ୍ଡର ବଳଦବନ୍ଧା ଜାଗାରେ
ଏବେ ଦୁଇଟା ଖାଲି ଖୁଣ୍ଟ
ଖୁଣ୍ଟର ସାମର୍ଥ୍ୟ କହୁଚି
ଆମ ଚାଷବାସର ଇତିହାସ ।
ଗୋଟିଏ ଖୁଣ୍ଟ ମୋ ବାପା
ଆରଟି ବୋଉ ।
ଏସନ ଧାନତଳି ରୋଇବାକୁ ମୂଲିଆ ମିଳିଲେନି
ପଡ଼ିଆ ପଡ଼ିଲା ପାଞ୍ଚମାଣ ବିଲ
ଦୁଆରର ଧାନ ଅମାର
ପୋତି ହୋଇଗଲାଣି କେବେଠୁ ।
ଅଠର ଗଉଣିଆ ଅଖା
ଏବେ ଦିଶିଲାଣି ଚରିତ୍ରହୀନ ।
ଅକ୍ଷିତୃତୀୟା ଦିନ
ବାପାଙ୍କ ଆଖି ଦିଶେ ଲୁହ ଛଳଛଳ ।
ବାପା ଯାଆନ୍ତି ନଈକୂଳ
ସେଇଟା ଆମର ଲକ୍ଷ୍ମୀବିଲ ।
ଫଟାମାଟିର ଆଁ ଭିତରେ ମିଳେଇଯାଏ
ବାପାଙ୍କ ସ୍ୱପ୍ନ
ଏଇ ବିଲରୁ ଧାନଗଲେ
ବୋଉ ପକାଏ ହୁଳହୁଳି ମାଣ ଓଷାରେ
ନୂଆଖାଇ ଦିନ ମକର ଚାଉଳ
ଦିଏ ଏଇ ଲକ୍ଷ୍ମୀବିଲ ।
ଦି’ଟଙ୍କିଆ ଚାଉଳ ଖାଇ
ମୂଲ, ମୂଲିଆ ମାଲାମାଲ ।
କ୍ଷେତକୁ ପାଣି ନାହିଁ
ବିଲକୁ ବିହନ ନାହିଁ
ବିଲ ନୁହେଁ ବୀମା ବାଣ୍ଟୁଛନ୍ତି ସର୍କାର ।
ଅକ୍ଷିମୁଠି ଆଉ ସଜାଡ଼ନା ବୋଉ
ବାପା କ’ଣ ଆଉ ଫେରିବେ ?
ଆଜିର ଦିନରେ କ’ଣ ଭାବୁଚ ତୁମେ ?
ଜହ୍ନ ନୁହେଁ
ମୁଠାଏ ଧାନ ଖସିପଡ଼ନ୍ତା କି ଆକାଶରୁ ।
ମୋତେ କାନ୍ଧରେ ବସେଇ କହନ୍ତ
ଧାନ ନେବ ଧାନ
ଲକ୍ଷ୍ମୀବିଲ ଧାନ !