ମାଆ କୋଳ ଛାଡ଼ି
ଯେବେଠୁଁ ଆସିଲି
ପାଇଲି ସେନେହ କେତେ
ଝିଅଟିଏ ବୋଲି
ସବୁରି ଆଖିରେ
ଭରିଲି ଦରଦ ଯେତେ
ବାପାଙ୍କର ଗର୍ବ ମାଆର ଦୁଲାରୀ
ଭାଇ କହେ ହୁଣ୍ଡି ପଡୋଶୀଙ୍କ ଚୁଲୁବୁଲି
ଆଖିର ତାରାକୁ ଛାତିର ପୀଡ଼ା
କରିଥିଲେ ସିନା ମତେ ।
ମାଆକୁ ସାହାଯ୍ୟ
ବାପାଙ୍କର ସେବା
କରିବାକୁ ଭଲ ଲାଗେ
ଭାଇ ସାଙ୍ଗେ କଳି
କେବେ ପୁଣି ଅଳି
କରୁଥାଇ ରୁଷା ରାଗେ
ମାଆ ମତେ ଏବେ ଦୂରକୁ ଛାଡ଼େନି
କାହିଁକି ପୁଛିଲେ ଉତ୍ତର ଦିଏନି
ଦିନ କେଇଟାରେ କିସ ବଦଳିଲା
କାହିଁକି ତାଗିଦା ଏତେ?
ଯାହା ଶିଖିଥିଲି
ଏ ଯାଏଁ ଜୀବନେ
ଓଲଟା ହେଲାଣି ସବୁ
ନୁଆ କରି ମତେ
ଶିଖିବାକୁ ହେବ
ସମାଜରେ ଚଳିବାକୁ
ମୁଣ୍ଡ ଘୂରିଲାଣି ମୋହରି ଦିଗରେ
ଆଖି ବୁଲିଲାଣି ମୋହରି ଦେହରେ
ବାଡ଼ବତା ନାହିଁ କାହାରି ମୁହଁରେ
ଡରଲାଗେ ବଡ଼ ହେବାକୁ ।
ଧଳା ଶାଢ଼ୀ ପିନ୍ଧି
ସମାଜ ହୋଲିକୁ
ଖେଳୁଛି କୁତ୍ସିତ ଅବିରେ
ଘରକୁ ଫେରିବି
ବେଦାଗ କେମିତି
ଅମଳିନ ରଖି ଛବିରେ
ତରଭୁଜ ଆଉ ଛୁରୀର ଖେଳରେ
ବଳିପଡ଼େ ସିନା ବଞ୍ଚିବା ଆଳରେ
କୁଆଁରୀ ମନର କଅଁଳ ଆବେଗ
ଚାପି ରଖି ଥାଇ ଛାତିରେ ।
ମାଆ କହେ ତତେ
ଅନେଇ ହେଉନି
ବାନ୍ଧିଦେବି କାହା ବେକରେ
ଅନୁଢ଼ା ଜୀବନ
ଅଲୋଡ଼ା ହେଲାକି
ତଡ଼ିଦେଉ ପର ଘରେ
ମନଟିଏ ମୁଁ ଆଶା ମୋର ଅଛି
ଜୀବନକୁ ଗଢ଼ି ତୋଳିବାର ଅଛି
କେମିତି ଏକଥା କାହାର ଚାପରେ
ଭୁଲିଯାନ୍ତି ଘରେ ବାହାରେ ।
