କବିତା ଠୁ ଦୂରେଇନି
ଦିନେ କେବେ ଭଲ ପାଉଥିଲି ବୋଲି
ମନେଅଛି- ତା’ ଦେହର କସ୍ତୁରୀ
ମହମହ ବାସୁଥିଲା ଓ ମୁଁ ବେହୋସ ହେଇଯାଇଥିଲି ।
ଚେତା ଫେରିବା ବେଳକୁ
କବିତା ହସୁଥିଲା- କହିଲା
ମୋ ବାହାଘରକୁ ଆସିବ ।
ନିର୍ଲଜଙ୍କ ପରି ଯାଇଥିଲି- ଲୁଚି ଲୁଚି
କବିତାକୁ କିଏ ବାହା ହେଲା- ଦେଖିବାକୁ
ପୁରୋହିତ ଥିଲେ- ଜଳୁଥିଲା ସାକ୍ଷୀ
ବେଦୀ ଚାରିପଟେ ଚିହ୍ନା ଓ ଅଚିହ୍ନା ଆଖି
ଏଇବେଳେ କବିତା ଆସିଲା
ନାଲି ପାଟ, ସୁନାର ଓଢ଼ଣୀ
ଏତେ କିଆଁ ଡେରି କଲ
ଶୁଭ ବେଳ ଯାଇଥାନ୍ତା ଗଡ଼ି ।
ଦି’ପୁଅ, ତିନି ଝିଅ- ଆମର
କବିତା ଯାଇଛି ଭୁଲି ମୋତେ ଅନେକ ଦିନରୁ
ମୋର କିନ୍ତୁ ମନେଅଛି ତା କଥା
କବିମାନେ ଭୁଲା ଲୋକ
ଭୁଲିଯାନ୍ତି ବିବାହର ଘଡ଼ି
ପତ୍ନୀ ତ ଭୁଲେଇ ଦିଏ
ଜୀବନ ଜୀଇଁବାର ଇଚ୍ଛା
କବିକୁ ବଞ୍ଚେଇ ରଖେ
ତା’ ପ୍ରେମିକା କବିତା ।