ଆକାଶରେ ଜହ୍ନ
ଜହ୍ନରେ ଜୋଛନା
ଜୋଛନାରେ ତୁମେ ଦିଶ ।
ମୁଁ ଯେ ନୀଳକଇଁ
ରହିଥାଏ ଚାହିଁ
ଅପେକ୍ଷାର ନାହିଁ ଅନ୍ତ ।।
ଏଆଖିରେ ନିଦ
ନିଦରେ ସପନ
ସପନରେ ତୁମେ ଆସ ।
ସପନ ସରିଲେ
ତୁମେ ହଜିଯାଅ
ରହିଯାଏ ଅବସୋସ ।।
ବର୍ଷା ମୂର୍ଚ୍ଛନାରେ
ଶୁଭେ ତୁମ ନାମ
ସ୍ପନ୍ଦନ ବଢ଼ାଇ ଦିଏ ।
ବର୍ଷା ଚାଲିଗଲେ
ଶାନ୍ତ ପଡିଗଲେ
ମନ ଖାଲି ଝୁରିହୁଏ ।।
ସାଥି ତୁମେ ମୋର
ମନ ଗହନର
ନିତ୍ୟ ଇପ୍ସିତ ଛବି ।
କହିବ କି ତୁମେ
ହୃଦୟରୁ ମୋର
କେମିତି ପାସୋରି ଦେବି ।।
