ଏବେ ଧୀରେ ଧୀରେ
ମିଳେଇ ଯାଉଛି ବୟସ
ସମୟର ପରିଧି ଭିତରେ ପ୍ରତି ମୁହୂର୍ତ୍ତରେ
ଲମ୍ୱି ଲମ୍ୱି ଆସୁଛି ତା’ର ହାତ
ମୋ ଆଡ଼କୁ ନିବିଡ଼ ଭାବରେ
ତା’ ଦେହରେ ବାଜି ବାଜି
ମୋ ଦେହଟା ପାଲଟି ଯାଉଛି
ବାଲିଗରଡ଼ା
ଅଙ୍କା ବଙ୍କା ସମୁଦ୍ର ଶେଯରେ
ମନରେ ଅଦମ୍ୟ ପିପାସା
ହାତମୁଠାରେ ଧରି ରଖିବାକୁ
ଇନ୍ଦ୍ରଧନୁର ଛବି
ଜହ୍ନ ଆଲୁଅରେ
କାଶତଣ୍ଡୀ କ୍ଷେତ
ବର ଓହଳ ଦୋଳି
ଗାଁ ମୁଣ୍ଡ ନଈଧାରେ
ନିରବତାର ଅକୁହା ଆନନ୍ଦ
ପବନର ଶୀତଳ ପରଶ
ସତେଜ ଯୌବନର ସବୁ ଟାଣପଣ,
ଅଥଚ ହାତ ମୁଠାରୁ
ଖସି ଖସି ଆସୁଛି
ବର୍ଷ, ମାସ, ଦିନ,
ଘଣ୍ଟା, ମିନିଟ୍ ଆଉ
ସେକେଣ୍ଡ
ମୁଁ ପ୍ରଗଳ୍ଭା. . . ହୋଇଯାଉଛି
ଆଶା ଆଉ ପ୍ରତ୍ୟାଶାର
ନିବିଡ଼. . . କୋଠିରେ ! !