ସତ୍ୟ ଯୁଗେ କୁଆଡ଼େ
ଦେବତାଙ୍କ ସମ୍ମିଳିତ ତେଜର
ଜ୍ୱଳନରେ ଅଗ୍ନିଗର୍ଭା ହୋଇ
ବନିଗଲ ତୁମେ ……
ମହାମାୟା ମୁକ୍ତିର ସଳିତା,
ଶକ୍ତି ସ୍ୱରୂପିଣୀ, ସିଂହବାହିନୀ,
ଦୁର୍ଗତିନାଶିନୀ ମା’ ଦୁର୍ଗା !
ବଧ କରିଦେଲ, କବ ଦିବ୍ୟ ଅସ୍ତ୍ରଶସ୍ତ୍ର
ଆଉ କରାଳ ତ୍ରିଶୂଳର ଯାଦୁରେ
ଅହଙ୍କାରୀ, ଦୁରାଚାରୀ, ପାପୀ,
ଭ୍ରଷ୍ଟାଚାରୀ ଚଣ୍ଡ ମୁଣ୍ଡ, ଶୁମ୍ଭ ନିଶୁମ୍ଭ
ଆଉ ବ୍ରହ୍ମାବରେ ମହାବଳୀୟାନ
ମହିଷାସୁରକୁ, ତବ ଅପରୂପା ଯୌବନର
ସ୍ଥାପତ୍ୟରେ ବିମୋହିତ କରି ;
ଯୁଗ ଯୁଗ ପାଇଁ ରକ୍ଷା କରି ଦେଲ
କୋଉ ଦେବତାଙ୍କ ହିନୀମାନା ।
ରାମଚନ୍ଦ୍ର କୁଆଡ଼େ, ତ୍ରେତୟାରେ
ତବ ଅପାର କରୁଣାରେ….
ମନ୍ତ୍ରମୁଗ୍ଧ ହୋଇ ନାଶ କରିଦେଲେ
ରାବଣ, କୁମ୍ଭକର୍ଣ୍ଣ, ଇନ୍ଦ୍ରଜିତ
ଆଉ ଯେତେ ସବୁ ଦୈତ୍ୟଗଣ
ପର ସ୍ତ୍ରୀ ହରଣ କରିବାର କରୁଣ
ପରିଣତି ଇତିହାସ ରଚିଦେବା ପାଇଁ ।
ଦ୍ୱାପରରେ ତୁମେ ……
ପରମ ପ୍ରତାପୀ ଦୁରାଚାରୀ କଂସକୁ
ଶ୍ରବଣ କରାଇ ଦେଇଥିଲ
ତା’ର ସୁନିଶ୍ଚିତ ମୃତ୍ୟୁର ଚରମବାଣୀ,
କିନ୍ତୁ, କାହିଁ, …. କାହିଁ ଏ କଳିଯୁଗେ
ତମର ସେ ଅପାର ଶକ୍ତିର ଝଙ୍କାର
ଅନନ୍ତ କରୁଣାର ବାରିଧାରା,
ଆଉ ଅପ୍ରମିତ ମମତାର ମହାପାରାବାର !
କରାଳ କଳୁଷ ଭର୍ତ୍ତି ଏ ବିଶ୍ୱରେ
ଚାଲୁଅଛି ତବ ନାମେ ନିତି
ଦଶରାରେ ମିଛ ପାର୍ବଣର ମହାପଟୁଆର ! !
ଦେଖ ମା’, ତବ ନୀଳ ଚକ୍ଷୁର ଦୁ୍ୟତିରେ
ଘଣ୍ଟ ମର୍ଦ୍ଧଳର ବିଧୂନିତ ବୁକୁ ଚିରି
କିପରି ଘେରିଛନ୍ତି, ରତ୍ନଖଚିତ
ତବ ପୂଜାମଣ୍ଡପକୁ, ଷଡ଼ ରିପୁର
ଏ ଯୁଗର ଶତସହସ୍ର ଶୁମ୍ଭ ନିଶୁମ୍ଭମାନଙ୍କୁ
ପ୍ରଚଣ୍ଡ ଅହଙ୍କାରର ଚଣ୍ଡ ମୁଣ୍ଡଙ୍କୁ,
ଆଉ ପାପୀ ଦୁରାଚାରୀ ମହିଷାସୁର
ଓ ରାବଣମାନଙ୍କୁ, ସ୍ୱାର୍ଥକୁ ନୈବେଦ୍ୟକରି
ଐଷ୍ଟିକ ଉପଚାରରେ ଆବାହନ କରି ଚାଲିଛନ୍ତି
ମଦ, ମାଂସ ଆଉ ନାରୀର ନିଶାରେ
ମସଗୁଲ୍ ହୋଇ, ଲଭିବାକୁ
ଏ ସସାଗରା ଧରାର ସକଳ ଐଶ୍ୱର୍ଯ୍ୟ ।
ପାରିବନି ମା’ ତୁମେ, ପାରିବନି…..
କରାଳ ତ୍ରିଶୂଳରେ ତବ
ଆମର୍ଷ ଏ ଦୁର୍ବାର ମଣିଷଙ୍କୁ ବଧକରି
ଦେବ ଦାନବ ଠୁ ତ ଏମାନେ ମହାଭୟଙ୍କରୀ !
ମାଟିର ଦୁର୍ଗା ତୁମେ, ଯୁଗ ଫୁଗ ତ କୋଉ
ମଣିଷର ସୁପରିକଳ୍ପିତ ମନଗଢ଼ା କଥା
ପାରିବନି, ମିଛ ପାର୍ବଣର ଏ ଆସୁରିକ
ଆତ୍ମମ୍ଭରିତାକୁ ନାଶ କରି ! !