ମୁଁ ଏଠିକି ଆସିବାର ଠିକ୍ ପୂର୍ବରୁ
କେହି ଜଣେ ଖୋଜୁଥିଲା ମୋତେ
ଘର, ଗାଁ, ଗୋହିରୀ, ବେଣାପାଟ, ନଈତୁଠ
ଦେବୀ ପୀଠ. . . ମଶାଣି ପଦା ।।
ଯେତେଥର ଅକାଳେ, ସକାଳେ ପଚାରିଛି
ତମେ କିଏ ବୋଲି ?
ଉତ୍ତର ଗୋଟିଏ ସବର୍ କର
ଠିକ୍ବେଳେ ତମକୁ କହିବି ।।
ଜନ୍ମ ପରେ ପରେ
ବାଲ୍ୟ, କୈଶୋର, ଯୌବନ, ବାର୍ଦ୍ଧକ୍ୟ
କେଉଁଠି ଥିଲେ କେଜାଣି
ପହଞ୍ଚି ଗଲେ ମୋ ଭିତରେ
ସମୟରେ ଆଖିଠାରରେ ।
ମୁଁ ଆସିବା ପୂର୍ବରୁ-
ଭାଜ୍ୟ, ଭାଜକ, ଭାଗଫଳ ଏବଂ
ଭାଗଶେଷ ଲୁଚି ରହିଥିଲେ
ମୋ ଭାଗ୍ୟର ସିଲଟରେ
ମୁଁ କେବଳ ମାଟିବଂଶ ଅବଧାନଙ୍କ
ଚିକ୍କଣିଆ ବେତକୁ ନିଘା କରି
ଗଡ଼ଗଡ଼ ପଢ଼ିଯାଇଥିଲି
ମିଶାଣ, ଫେଡ଼ାଣ, ଗୁଣନ, ହରଣ
ଏବଂ ବୀଜଗଣିତର ପ୍ରତିଟି ପୃଷ୍ଠା
ସମୟର ବ୍ୟବଧାନରେ ।।
ଜୀବନ ଅଙ୍କ ଏତେ ଜଟିଳ ଯେ-
ହେତୁ ଆସିଲା ଶେଷ ଅଙ୍କଟିରେ,
ଜୀବନ ତା ରାସ୍ତାରେ
ମଝି ରାସ୍ତାର ତ୍ରିଛକିରେ
ହୁଦସ୍ତ ଭେଟ ହେଲା
ସେହି ଅଜ୍ଞାତ ଲୋକଟି ସାଥିରେ ।।
ଲୋକଟି ହାତଠାରି ଡାକିଲା ସେଦିନ
ହସି, ହସି କହିଲା, “ହଇହୋ’ ଶୁଣୁଛ !
ତମେ ମୋତେ ଖୋଜୁଥିଲ ପରା ??”
ମୁଁ ତୁମକୁ ସବୁଠି, ସବୁବେଳେ ଭେଟେ
ତମେ କିନ୍ତୁ ମୋତେ ବାଟଭାଙ୍ଗି ଚାଲିଯାଉଥିଲ
ଏବେ ଆସ ସାଥି ହୋଇଯିବା ।
ଯାତ୍ରା ଆରମ୍ଭରେ ମୁଁ ଥିଲି
ଯାତ୍ରା ଶେଷରେ ବି ମୁଁ. . .
କେହି ହାତଧରି ଚାଲିବାକୁ ନଥିଲେ ନଥାନ୍ତୁ
ସବୁ ସମୟରେ ମୁଁ ଥିଲି
ମୁଁ ଅଛି. . . ମୁଁ ଥିବି ।।
