କବିତା

ମ୍ୟୁଜିୟମ୍ ଚାଳଘର

Jachindra Kumar Rout's odia poem Museum Chalaghara

ଚାଳଘର ସବୁ ପାତାଳି
ହେଇଗଲାପରେ
ହଜିଲାଦିନ ସ୍ମୃତି ହେଲା ପରେ
ଗପ ହେଇ ରହିଗଲା ଚାଳଘର
ରଚନା ଖାତାରେ
ଉପକାରିତା କି ଅପକାରିତା କଥା
ଲେଖା ହେଇ ରହିଯିବ ।

ମ୍ୟୁଜିୟମ୍ ଚାଳଘର

ଏସନ ସବୁ ଚାଳଘରକୁ
ପାତାଳି କରିଦେଲା, ଇନ୍ଦିରା ଆବାସ
ଧୂଆଁଙ୍କ ଚକାଭଉଁରୀ ଖେଳକୁ
ଉଡ଼େଇ ଦେଲା ଡିସ୍ ଆଣ୍ଟେନା
ଅକାଲୁଆ ହେଇଗଲେ ମହୁମାଛି
ଦୂରଭାଷର ତରଙ୍ଗ ତାପରେ ।

ବିଶ୍ୱାୟନରେ ବିଶିରିଗଲା
ବିଲ, ବାଡ଼ି, ବଣ, ବଇଶାଖ ତାତି
ଚାଳଘର ପଛପାଖ ଅରମାରୁ
ଲହରେଇ ଲହରେଇ
ଆସୁଥିଲା ଅନ୍ଧାର, କୂଳ ଲଙ୍ଘି
ଝିଣ୍ଟିକାର ରାଗ ଭୈରବୀରେ
ନାଚୁଥିଲା ଚାଳପାଣି
ଗାଉଥିଲା ମେଘର ମହ୍ଲାର
ପଚ ପଚ କାଦୁଅ
ରୋଷଣିରେ ଚାଲୁଥାଏ
ପୋକଙ୍କର ଆଲୁଅ ପଟୁଆର ।

ଚହଲି ଚହଲି ଭାସୁଥାଏ
କାଗଜ ଡଙ୍ଗା, ଫୋଟକା ଫୁଲରେ
ମେଞ୍ଚାଏ ସ୍ୱପ୍ନର ବୋଝରେ
ଭିଜୁଥାଏ ଭରସା
ନାଁ ଗାଁ ଠିକଣା
ଝିପ୍‌ଝିପ୍‌ ଠୋପାରେ
ପରୀରାଇଜକୁ ଯିବା ରାସ୍ତାରେ !

ମାଟିକାନ୍ଥ ଝରକା ପାଖେ
ଠିଆ ହୁଏ ବୁଢ଼ୀ ଅସୁରୁଣୀ
ଘଡ଼ଘଡ଼ି ଆଲୁଅରେ ଚମକିଯାଏ
ଛାତିର ଘୋଡ଼ଣି
ସରଳରେଖା ପରି ଆକାଶରୁ ଖସୁଥାଏ
ଚିକିମିକି ବର୍ଷାପାଣି
ବାରଣ୍ଡାରେ ନାଲିନାଲି ସାଧବାଣୀ !

ଚାଳଘର ଝରକା ଦେଇ
ପଶିଆସେ ଦଲକାଏ ଶିହରଣ
କୋଇଲି କଣ୍ଠରୁ
ମହୁ ମକରନ୍ଦ ଖସୁଥାଏ !
ଥପ ଥପ ବଉଳ ଖୋସାରୁ ।

ଜାମା ପରି ଛାତ ତା’ର
ଛତାର ନଅର
ଗଞ୍ଜି ପରି ଦେହ ତା’ର ଆଟୁ ଆସ୍ତରଣ
କଅଁଳା ବାଛୁରୀ ପରି କୁଦାମାରେ
ଧୁ’ ଧୁ’ ଖରାବେଳ
ପଚାଶ ଡିଗ୍ରୀ ଉତ୍ତାପର ଖେଳ
ଆମ ଚାଳଘର !

ଶୀତଦିନେ, ଦିନ ସବୁ ଚାପି ହୋଇଯାଏ
ମାଟି ଖଞ୍ଜାରେ
ରାତିମାନେ ଲମ୍ୱିଯାଆନ୍ତି ଧାନକ୍ଷେତ ପରି
ପେଟରାର ଲୁଗା ପରି
ଜାକିଜୁକି ହୋଇଯାଏ ଆଈ ମା’ ଚମ
ମାଟି ପରି ଓଠ ଫାଟି ଆଁ କରେ
ଥୁରୁ ଥୁରୁ ବୁଢ଼ାଙ୍କର ଦେହ ଆଉ ମନ ।

ଚାଳଘର ସବୁ ପାତାଳି
ହେଇଗଲାପରେ
ହଜିଲାଦିନ ସ୍ମୃତି ହେଲା ପରେ
ଗପ ହେଇ ରହିଗଲା ଚାଳଘର
ରଚନା ଖାତାରେ
ଉପକାରିତା କି ଅପକାରିତା କଥା
ଲେଖା ହେଇ ରହିଯିବ ।

ମ୍ୟୁଜିୟମ୍ ଥାକରେ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top