ହେ ମାଆ,
ସବୁ କିଛି ଏଇମିତି ହସି ହସି,
କେମିତି ସହୁଛ ତୁମେ, ଏତେ ଲାଞ୍ଛନା,
ଏତେ ଅପମାନ, ନିରାଦର, ହତାଦର ?
କେବେ କି ହୁଏନା ମନ,
ଧରି ନେବାକୁ ତୁମର ସେ କରାଳ
କାଳିକାର ରୂପ ଅବା ଦୁର୍ଗା,
ଦୂର୍ଗତୀ ନାଶିନୀର ଅବତାର?
ହଁ, ତୁମକୁ ତ କେବଳ ସହିବା ର,
ନୀରବ ରହିବାର କଳା ଜଣା ଅଛି ।
ପଣତ କାନିରେ, ସମସ୍ତଙ୍କ ନେତ୍ର ଆଢୁଆଳେ,
ଲୁହ ପୋଛି ନେଇ, ସବୁ କିଛି ସହିବାର,
ଶପଥ ନେଇଛ ଯେପରି ।
ଏଠି ମାଗିଲେ ମିଳେନି କିଛି,
ମାଆ ଗୋ, କେହି ନୁହେଁ ଏତେ ଦୟାବନ୍ତ,
ନାରୀ କୁ ଅବଳା, ଦୁର୍ବାଳର
ଖୋଳପା ଭିତରେ ବନ୍ଦି କରି,
ଏ ସମାଜ, ଯୁଗେ ଯୁଗେ ନେଇ ଅଛି,
ବହୁତ ପରୀକ୍ଷା ତୁମର ।
ପରିଶେଷେ ‘ସପ୍ତସତୀ’ ର
ଉପାଧି ଦେଇଛି ଖାଲି,
ଦେଇ ନାହିଁ କେବେ କିଛି,
ତୁମ ତ୍ୟାଗ ଉପହାର ।
ନାରୀ ତ ଅବଳା ନୁହେଁ ‘ଅତି ବଳା’
ଦୁର୍ବଳା ନୁହେଁ ସେ ‘ଦୁଇ ଗୁଣ ବଳା’
ଏ କଥା ଭୁଲୁଛ କିପରି ?
ତୁମ ବଳ, କଳ, କୌଶଳର ନମୁନା
ଦେଖିଛି, ଦେଖୁଛି, ଦେଖିବ
ଏ ଦୁନିଆଁ ସବୁ ଯୁଗେ ।
କିନ୍ତୁ ଏହି ଦୁଃଖ ମାତ୍ର ଅବଶୋଷ,
ତୁମେ ତୁମ ନିଜକୁ ଚିହ୍ନନା ।
ତୁମେ ପାର୍ବତୀ, କନ୍ୟା, ଜାୟା, ଜନନୀ ପୁଣି,
ତୁମେ ଦୁର୍ଗା, ଭବାନୀ, କାତ୍ୟାୟନୀ, ଭଗବତୀ,
ପାର୍ବତୀର କୋମଳ ଅବତାରେ
ଅଟକି ଯାଅନା ମାଆ,
ଭୁଲ ନାହିଁ ତୁମ କତ୍ୟାୟନୀ ଶକ୍ତି ।
ତୁମେ ଯଦି ତୁମ ନିଜକୁ ଭୂଲିବ,
କୁହ, କିଏବା କାହିଁକି ପୋଛି ଦେବ ଲୁହ,
ନିରିମିଖି ତୁମ ଦୁଇ ନୟନରୁ?
ହେ ମାତା ମହାଶକ୍ତି ସ୍ୱରୂପିଣୀ
ଜାଗିବାକୁ ତୁମକୁ ତ ଅଛି,
ମୁଁ ଥରେ ଖାଲି ଜଗାଇ ଦେଲି।
ତୁମେ ତୁମ ଶକ୍ତି ଯାଇଛ ଭୂଲି
ମନେ ପଡିଯିବ ତୁମ ପରାକ୍ରମ
ତୁମେ ଯଦି ଥରେ ଜାଗି ଯିବ
ମନେ ପକାଇବାକୁ ଚାହିଁବ
ତୁମର ସେ ଦିବ୍ୟ ଅବତାର ।