ସ୍ରଷ୍ଟା ହାତେ ଶ୍ରେଷ୍ଠ ଜୀବ
ଆପଣାକୁ ବୋଲାଇ
ବୁଦ୍ଧିବଳେ ମାନବ
ଧରାକୁ ସରା ମଣଇ
ପୁରାଣ ଦେଖ, ଦେଖ ଅତୀତ
ଏମିତି ଭୁତ ହୋଇଲା ମିତ
ଘାରିଲା ତାକୁ ରକତ ପାତ
ସ୍ୱଜନ ଜାତି କଲା ନିପାତ ।
ଧନ, ଧନୀ*, ଧରା ଆଉ (*ଧନୀ- ଯୁବତୀ)
ଧରମର ମୋହରେ
ରକତରେ ଜୁଡ଼ୁବୁଡ଼ୁ
ଇତିହାସ ପୃଷ୍ଠାରେ
ଲେଖିଲା ନେଇ ଖଡ୍ଗ ମୁନ
ଜୀବନ ମୂଲ ଗଣିଲା ଶୂନ
ବାରୁଦ ଧାରେ ପକାଇ ଗାର
ଯୋଡ଼ିଲା ଶୂନ କେତେଯେ ବାର ।
ଏଥିପାଇଁ ଦାୟୀ ସିନା
ସଂସାରର ରଚିତା
ବୁଦ୍ଧି ଦେଇ ମାନବେ
ବୁଦ୍ଧିଶୂନ୍ୟ ବିଧାତା
ଲୋଭ ଜାତକରି ସମଗ୍ର ମାନବେ
ସଂଚିଲା ସମ୍ପଦ ଭୂତଳ ଗରଭେ
ଛପର ଫାଡ଼ି ଯଦି ଧନ ଦେଇଥାନ୍ତା
ସାଜନ୍ତା କାହିଁକି କିଏ ନରହନ୍ତା !
ଜଗତର ଜୀବ ସବୁ
ନିଜ ଧର୍ମେ ବିହରି
ବ୍ୟତିରେକ ମାତ୍ର ନର
ଖୋଜୁଥାଏ ସୁନ୍ଦରୀ
ତ୍ୱଚା ମାତ୍ର ଗଭୀର ତା’ ସୁନ୍ଦରତା
କାମାତୁର ନର କେମନ୍ତେ ବୁଝନ୍ତା
ବିହି ଯଦି ସର୍ବେ ସୁନ୍ଦରୀ କରିଥାନ୍ତା
ସାଜନ୍ତା କାହିଁକି କିଏ ନରହନ୍ତା !
ବିନା ଯୁଦ୍ଧେ ନମିଳେ
ସୂଚୀ ଅଗ୍ରେ ମେଦିନୀ
ସୀମା ଲଂଘି ପ୍ରହାରେ
ଅଭିଯାନେ ସେନାନୀ
ବନ୍ଧ ବାନ୍ଧି ଛାତିରେ ଭାଇ ହୁଏ ଭଗାରୀ
ବାଣ୍ଟିନିଏ ଧରଣୀ ଦେହକୁ ତା’ ଚିରି
ବରଷକୁ ବରଷ ଜମି ଯଦି ବଢ଼ନ୍ତା
ସାଜନ୍ତା କାହିଁକି କିଏ ନରହନ୍ତା !
କାହିଁ ନେଲ ଅବତାର
କିଆଁ ପଠାଇଲ ଦୂତ
ପଢ଼ି କି ପାଇଲ ପ୍ରଭୁ !
ଘୋଡ଼ା ଆଗେ ଭାଗବତ
ଧର୍ମଯୁଦ୍ଧ ରୂପ ନିଏ ଧରମ ଆତଙ୍କ
ମାରି ଅର୍ଜେ ପୁଣ୍ୟ ପୁଣି ମରି ଲଭେ ସ୍ୱର୍ଗ
ସବୁ ଧର୍ମ ତେଜି ଯଦିମାନବ-ଧରମ ପାଳନ୍ତା
ସାଜନ୍ତା କାହିଁକି କିଏ ନରହନ୍ତା !
