ନବ ବର୍ଷ ଜନ୍ମନିଅ ସହସ୍ରାଂଶୁ ହାତ ଧରି,
ଦିଅ ହେ ସୁଯୋଗ ବଞ୍ଚିବାକୁ ସୁଗମ୍ୟ ପଥ ଚାଲି ।
ଅନ୍ତର ତୁମର ନିଷ୍ପାପ, ଶୂନ୍ୟତାରେ ଭରା, ନିର୍ବିକାର,
ଯେମନ୍ତେ ସଦ୍ୟ ଜନ୍ମିତ କୋମଳ ଶିଶୁର ଅନ୍ତର ।
ତୁମେତ ଅଦୃଶ୍ୟ, ଅଛୁଆଁ, ଅମାନିଆ ଯାତ୍ରୀ,
ପ୍ରତି ବର୍ଷ ଜନ୍ମନିଅ ଦୌଡ଼ି , ପାର ହୋଇ ଦିବାରାତ୍ରି ।
ନିରବରେ ବିଗତ ବର୍ଷର ବୋଝ ଢାଳି ଇତିହାସ ଘରେ,
ଫେରି ଆସ ପୃଥିବୀରେ କର୍ମଫଳ ବୋହିବାକୁ ଆଉଥରେ ।
ତୁମେ ତ ଉଦାର, ନିର୍ବିକାର, ଯିଏ ଯାହା ଦିଏ ନିଅ ବୋହି,
ଭଲ ମନ୍ଦ ସବୁ କୋଳେ ନିଅ ବାଦ ଅପବାଦ ସହି ।
ତୁମର ନିନ୍ଦା ବା ପ୍ରଶଂସା ଆମ କର୍ମଫଳ ଜାତ,
ଅପକର୍ମ କରି ଅପବାଦ ବୋଲି ତୁମକୁ କରୁ ଆହତ ।
ତୁମେ ନିଷ୍ପାପ, ଏଣୁ ହେ ବରଷ, ରୁହ ହେ ନିଶ୍ଚିନ୍ତ,
ନିଜକୁ ସୁଧାରି, ଚାଲିବୁ ସମ୍ଭାଳି ଛାଡ଼ି ପଥ ବିପରିତ ।
ପ୍ରତି ବର୍ଷ ପରି ଆଜି ମାଗୁଛି ବିଦାୟ ପୁରାତନ ବର୍ଷ,
ସ୍ୱାଗତ ନବବର୍ଷ, ଘେନି ସଙ୍ଗେ ଆସ ପ୍ରଭୁଙ୍କ ଆଶିଷ ।
