ସିଗାରେଟ୍ର ଗୋଟିଏ ପଟେ ଥାଏ
ତୁମ ହାତ ଆଉ ପାଟି,
ଅପର କାନ୍ଧରେ
ଗଛରେ ବେତାଳ ଝୁଲିଲା ପରି
ଝୁଲୁଥାନ୍ତି ଝୁଲେ ନିଆଁ ଧାପେ ଧୂଆଁ
ଯେଉଁମାନେ ଆକାଶ ଦେହରେ ଲେଖୁଥାନ୍ତି
ମୃତ୍ୟୁର ବିଭତ୍ସ କାହାଣୀ ।
ସେ କେଉଁ କଦଳୀ
କି ନଡ଼ିଆ ନୁହେଁ ଯେ
ତୁମ ଦେହ ଦେଉଳରେ
ହୋଇ ପାରିବ ପ୍ରସାଦ,
ସେ ପରା ପେଟରେ ଧରିଥାଏ ପେଟେ
ଗଞ୍ଜେଇ, ଅଫିମ, ଦୋକତା
ଅବା ଡ୍ରଗ୍ସ ଆଦି ନାନାବିଧ ବିଷ,
ଯିଏ ଅହରହ ଖାଇଚାଲେ
ତୁମ ହାଡ଼ ରକ୍ତ ମାଂସ ।
ଗନ୍ତବ୍ୟ ତ ପରିଷ୍କାର
ନୀଳକଇଁ କାଚକେନ୍ଦୁ ପାଣି,
ଥାଟ ପଟୁଆର, ନିଶାଣ ବାଇଦ
ଅବା ବାଣ ରୋଷଣୀରେ
ଯିଏ ଅନ୍ତ ଥାଏ ଲୋଡି,
ତା ପାଇଁ, ସ୍ମଶାନ ବେଦିରେ
ଯୁଇ ଯଜ୍ଞ ଜଳେ
ମୃତ୍ୟୁ ସାଥେ ହାତଗଣ୍ଠି ପଡି ।
ସିଗାରେଟ୍ ପ୍ୟାକେଟ କହିଲେ
ମୁଁ ବୁଝେ,
ଛୋଟ ଏକ କାଗଜର ଘର
ଯା ଭିତରେ ଶୋଇଥାନ୍ତି
ମୃତ୍ୟୁ ଧାଡି ଧାଡି,
କବାଟରେ ମୃତ୍ୟୁର ଫଳକ
ତା’ର ରହିଥାଏ ଝୁଲି,
ଅମାନିଆ ଅଣବୁଝା ହୋଇ
ପଶିଲେ ସେ ଘରେ
ମଣିଷ ପାଲଟି ଯାଏ
ଏକ ଜିଅନ୍ତା ଶବ
ସେ ଜଳି ଚାଲେ କୁହୁଳି କୁହୁଳି ।
ମଣିଷ ମାତ୍ରେ ଭୁଲ କରେ
ଏ କଥା ସତ,
କିନ୍ତୁ ଏ କଥା ଵି ତ ସତ
ବିଫଳତା ହିଁ ସଫଳତାର ଚାବିକାଠି ।
ଭାଇ, ତେବେ ଡେରି କାହିଁକି
ବଢ଼ାଅ ସହଯୋଗର ହାତ
ଗଢିବାକୁ ଏକ ନିଶାମୁକ୍ତ ପୃଥିବୀ ।