ପାହାନ୍ତି ତାରା
ଯେତେବେଳେ ଚିକ୍ମିକ୍ କରେ
ପଶ୍ଚିମ ଆକାଶରେ
ସେତେବେଳେ ଘଟଣାଟି ଘଟେ ।।
ମୋ ବେଢ଼ାରେ କିଏ ଯେମିତି
ବାଡ଼ ଘେରେଇଲା
ପ୍ରଚୁକ୍ଷରେ ବୋଳିଦେଲା
ଜମାଟ ଅନ୍ଧାର
କାଳନାଗୁଣୀ ଚୋଟ ମାରିଲା
ମାଟିର ଘଟରେ
କାହାର ଲୋମଶ ହାତ
ନାରଖାର କରିଦେଲା
ମୋ ଗୋଲାପର ବଣ
ଏମନ୍ତ ବେଳାରେ କେହି ଜଣେ
ଢାଙ୍କିଦେଲା ମୋତେ
ତା’ର ଅଦୃଶ୍ୟ ପଣତେ
ତମେ କି ଏକଥା ଜାଣ ଶର୍ମିଷ୍ଠା ।
ସେତେବେଳେ କାନ୍ଥଘଡ଼ିରେ ସମୟ ତିନିଟା । ।
ଉଗୁରିଖିଆ ବୟସ
ଉତୁରି ଉଠା ବୟସ୍କ ବିଶ୍ୱାସ
ହଠାତ୍ ଚୁପ୍ଚାପ୍ ।।
ମାଟିରେ ଶୋଇଥିଲା ଅଜଗର
ତମ ସିନ୍ଥିରେ ସିନ୍ଦୁରର ଧାର
ଶୁଖିଲାପତ୍ର ଚୁପିଚୁପି କଥା ହେଲେ
ପବନ ସାଥିରେ-
କିଏ ଯେମିତି ନାଚିଗଲା
ଗଛର ଡାଳରେ
ଝମ୍ଝମ୍ ଶବ୍ଦର ତାଳରେ ।।
ପାହାନ୍ତିଆ ଦଲକା ପବନ
କାନ୍ଥରୁ ଖସେଇ ଦେଲା
ବନ୍ଧେଇ ଫଟୋ,
ଝଣ୍ଝଣ୍ କାଚର ଶବ୍ଦ
ବିଞ୍ଚି ହୋଇଗଲା ମାଟି ଚଟାଣରେ
ସେତେବେଳେ ତମେ ଥିଲ
ସ୍ୱପ୍ନିଳ ନିଦ୍ରାରେ ।।
ଏକ ଉଜ୍ଜ୍ୱଳତମ ରଶ୍ମି
ଧସେଇ ପଶିଲା
ଆମଘର ବୈଠକଖାନା,
ଶୋଇବା ଘର ଏବଂ ଅନ୍ୟତ୍ର. . .
ତା’ପରେ ସବୁ ଶୂନ୍ଶାନ୍
ବାରଣ୍ଡାରେ ଶୂନ୍ୟ ଦୋଳି ମୋର
ଝୁଲୁଥିଲା ଏକା ଏକା. . .
ଘରଥିଲା, ତମେ ଥିଲ
କେବଳ ମୁଁ ହିଁ ନଥିଲି
ସମୟ ସେତେବେଳେ
ରାତି ତିନିଟା. . .
ନା ନା ରାତି ତିନିଟା ପନ୍ଦର ।।
