ସୋରିଷ କ୍ଷେତରେ ଅଳସ
ଭାଙ୍ଗୁଥାଏ ଶୀତ
ପତ୍ରଝଡ଼ା ବ୍ୟସ୍ତ ବିପଣୀରେ
ମନର ସଉଦା କରେ
ନଈପଠା ଆରପଟେ ଅବାକ୍ ଦୃଶ୍ୟଟେ
ହାତ ଠାରେ
ଅଧା ଛାଇ ଆଲୁଅର ମୁଗ୍ଧ ଇଲାକାରେ
ପାହାଡ଼ୀ ଝିଅର ଆନତ ଗଭାରେ
ମେଞ୍ଚାଏ ଶୀତର ଫୁଲ
ଶୀତର ଗଜଲ୍ ଗାଏ ପଉଷ ମାଦଲ
ପ୍ରତୀକ୍ଷାର ତାପସ ମନଟି
ଶୀତରେ ଶୀତରେ ଓଦା
ପ୍ରୀତିର ପାର୍ବଣ ହାଟ
କୁଢ଼ କୁଢ଼ ଶୀତର ଫସଲ
ଶୀତ, ବିଦେହୀ ମନର ଧୂଆଁଧାର
ଶୀତ, ଇପ୍ସିତ ମୁହୂର୍ତ୍ତମାନଙ୍କ
କିଛି ଇସ୍ତାହାର
ବହ୍ନିର ବଳୟରେ
ଶୀତ ଯେବେ ସ୍ମୃତିର ମେଖଳା ପିନ୍ଧେ
ନିଷିଦ୍ଧ ଇଚ୍ଛା ସବୁ
ଅରଣ୍ୟର ସରୀସୃପ
ମୁଁ ପୁଣି ଆଉଥରେ
ଖେଳରେ ବିଭୋର
ମୁଁ ଶୁଣେ ମୋ ଆଦିମ
ପ୍ରଶ୍ନମାନଙ୍କର ସମ୍ମୋହନ ସ୍ୱର
ଜହ୍ନ ସାଥେ ଗପ କରି
କଡ଼ ଲେଉଟାଏ ପଉଷର ଶୀତ କୁହୁଡ଼ିର ଓଦା ଓଦା
ଧୂଆଁଳିଆ ମନର ସଙ୍ଗୀତ
ଶାଳବଣ ଶୀତଳ ଜ୍ୟୋତ୍ସ୍ନାରେ
ପଉଷର ଶୀତ ଏକା ଏକା
ଅଭିସାର କରେ
ରାଗ ଅନୁରାଗର ବିଚିତ୍ର ମୁଦ୍ରାରେ
ସ୍ୱପ୍ନର ସିଲହଟ୍ଟିଏ
ଲାଖିଯାଏ ତା’ର କ୍ଳାନ୍ତ
ଓଠ ଚିବୁକରେ
ଶୀତ ରାତି ଗମ୍ବୁଜ ଭିତରେ
ଅନ୍ଧ ଏକ ତୃଷ୍ଣାର ବୃତ୍ତରେ
ଚମତ୍କାର ଏକ କାବ୍ୟର ଶୃଙ୍ଗାର
ନିର୍ବାପିତ ରାତ୍ରୀର ପ୍ରତିଟି ପ୍ରହର ।