ପ୍ରତିଶ୍ରୁତି ଦେଇଥିଲ ମୋତେ
ମୋ ଅଝଟ ପଣକୁ ବୁଝେଇ
ଗଢ଼ିଦେବ ସୁନାଚାନ୍ଦ
ରୂପାର ନଗରୀ
ଖାଇବାକୁ ଘିଅ ମହୁ
ପିନ୍ଧିବାକୁ ପାଟ ପିତାମ୍ୱରୀ
ଆଶିବ ନିଶ୍ଚୟ
ମୋ ଓଠରେ ଓଠ ଥାପି
ସରାଗରେ ସ୍ନେହ ଢାଳି ଦେବ ।
ବର୍ଷ ଆଉ ମାସ
ସମୟର ଅନେକ ମୁହୂର୍ତ୍ତ-ଯାଇଛନ୍ତି ଚାଲି
ଆକାଶରୁ ମେଘ
ଗଛରୁ ପତର
ଛୁଇଁଛନ୍ତି ବେଳାଭୂଇଁ-ଅନେକ ଜୁଆର
ଦିଗ୍ବଳୟ କେତେ ଯେ ସୂର୍ଯ୍ୟାସ୍ତ
ଆମେ ସବୁ ଚାହିଁଅଛୁ
ଅନେକ ଦିନରୁ-ରାତି ପରେ ଆସୁଥିବା
ସକାଳର ସୂର୍ଯ୍ୟଙ୍କୁ ଅନେକ ମଣିଷ ।
