ଏବେ ଏବେ ପ୍ରିୟା ଆସି କହିଦେଇ ଯାଏ ,
ଯେତେ ଯେତେ ରାତି ପୁହାଇଚ ମୋ ପାଇଁ ,
ଦେଇଦିଅ ସବୁତକ !
ମୁଁ ଚାହେଁ ଯିବାକୁ ଦୂରେଇ ,
ମୋତେ ଭୁଲିଯାଅ !
ମୁଁ ତୁମକୁ ଭଲପାଏ ନାହିଁ ।
ସେ ଏଇ କହିବା ପରେ ପରେ ,
କାହିଁକି କେଜାଣି ଭାରି ମନେପଡେ ?
ଆକାଶରୁ ଚାନ୍ଦ ଆଣି ଦେବା କଥା !
ନଈ ପଠାରେ ନିତି ସଞ୍ଜବେଳର ମିଠା ମୁହୂର୍ତ୍ତ ,
ସେ ତ ମାଗୁଛି ନେବାପାଇଁ ,
ହେଲେ କେମିତି ଦେଇଦେବି ସ୍ମୃତି ସବୁତକ ?
ମୋ ସାଉଁଟା ଅନୁଭବ ,
ବଞ୍ଚିବାର ଗୁଡାଏ ରାସ୍ତାର ଦୋଛକି !
ଏବେ ଏବେ କିନ୍ତୁ ସେ ଚାଲିଗଲେ ଦୁଃଖ ନାହିଁ ,
ଗଲେ ଯାଉ ସେ ,
ହେଇଯାଉ ପଛେ ସେ ଅମୂଲ୍ୟ ସ୍ମୃତି !
କାହାପାଇଁ କିଏ ଅଟକିବ ନା ଅଟକିଛି ?
ଆଜି ଅପରାହ୍ନରେ ପ୍ରଜାପତି କଥା ଦେଇଛି ,
ନିଇତି ଆସିବ ସପ୍ତରଙ୍ଗ ଗୋଟେଇ !
ବୁଣିବାକୁ ସୁବର୍ଣ୍ଣ ମୁହୂର୍ତ୍ତ ,
ହଳଦୀ ବସନ୍ତ କଥା ଦେଇଛି ଦେଇଯିବ ରଙ୍ଗବୋଳି ,
ରାତି ଦେଇଯିବ ମଧୁଝରା କିଛି ଅମୂଲ୍ୟ ସ୍ମୃତି ।
ପ୍ରେମ କ’ଣ କେବେ କାହାପାଇଁ ଅଟକିଛି ?