ଭାବୁଛି ଯେତେ ମୁଁ ଭୁଲି ଯିବି ସବୁ
କିଛି ତ ପାରୁନି ଭୁଲି
ବୁଝାଇଲି ଯେତେ ବୁଝୁ ନାହିଁ ମନ
ଝୁରି ହେଉଥାଏ ଖାଲି ।।
ଆକାଶର ନୀଳ ସେ ବନ ଅନଳ
ଏ ମନର ଯେତେ ବ୍ୟଥା,
ଶ୍ରାବଣର ପରି ଢାଳିଲେ ବି ଲୁହ
ସରେନା ଏ ମନ କଥା ।
ସ୍ମୃତି ମୋ ଅନେକ କୋଟିଏ ବେଦନା
ସତେ ବା ସାହାରା ବାଲି ।
ବୁଝାଇଲି ଯେତେ ବୁଝୁ ନାହିଁ ମନ
ଝୁରି ହେଉଥାଏ ଖାଲି ।।
କହି ତ ହୁଏନା ସହିବି ହୁଏନା
ନ ସହିଲେ କିଏ ନେବ,
ନ କହିଲି ଯଦି ମନର ବେଦନା
କିଏ ଅବା ଭାଗି ହେବ ।
ଟିକି ମନକୁ ମୋ ଦୁଧ ଭାତ ଦେଈ
ଦେହୁ ପୋଛି ଦେବ ଧୁଳି,
ଭାବୁଛି ଯେତେ ମୁଁ ଭୁଲି ଯିବି ସବୁ
କିଛି ତ ପାରୁନି ଭୁଲି ।।
