ଆକାଶେ ଉଡଇ ବାଜ,
ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ ।
କଟକଟ ହୁଏ ଦୋଳି,
ଭାଉଜଙ୍କ ମନ ଯାଇଛି ଜଳି ଲୋ, ଭାଇ ନଆସିଲେ ବୋଲି ।
ବାଛୁରୀର ହେମ୍ବା ରଡି,
ମୋ ବୋଉ ମୋ ପାଇଁ ସାଇତି ରଖେଲୋ ସର ମଲେଇ ରାବିଡି ।
ଲାଞ୍ଜ ଟେକିଗଲା ବାଘ,
ନଇଁ ଚାଲୁଥିବ ବଡ଼ଙ୍କ ଆଗେ ଲୋ, ଲାଗିବ ନାହିଁଟି ଦାଗ ।
ବିରାଡ଼ି ଛିଙ୍କିଲା ବଣେ,
ଆଗରେ ଯାଉଛି ନାଗର ଜଣେ ଲୋ, ମୁଣ୍ଡି ଝାଡୁ ମାର ପଣେ ।
ହାତି ଗଲା ଥିରି ଥିରି,
ମୋ ଭାଇ ପାଇଁକି ଖୋଜା ପଡିଛିଲୋ ଚନ୍ଦର ଉଦିଆ ଗୋରୀ ।
କରାଣ୍ଡି ଡେଇଁଲା ବିଲେ,
ଭାଉଜଙ୍କ ମନ କାହିଁ ନ ଲାଗେଲୋ ଭାଇ ବିଦେଶେ ରହିଲେ ।
ବାଛୁରୀ ପିଉଛି ଦୁଧ,
ଆର ଗାଁ ଟୋକା ଉମରମତାଲୋ ସାକ୍ଷାତ ଗୋଟାଏ ଗଧ ।
ମତେ ପୁରିଲା ଚଉଦ,
ବାପା ଖୋଜିଲେଣି ମୋହରି ପାଇଁଲୋ ଗୋଟାଏ ସରଗ ଚାନ୍ଦ ।
ତିମି ପିଟିଦେଲା ଲାଞ୍ଜ,
ଭାଇ ନଆସନ୍ତି ବିଦେଶୁ ଆଉଲୋ ଭାଉଜ ରହିବେ ବାଞ୍ଝ ।
ଚାନ୍ଦରେ କଳଙ୍କ ଚିହ୍ନ,
ନବ ଯଉବନି କିଆଁ ଗୁମାନ ଲୋ, ଆସିଲେଣି ଜୀବ ଧନ ।
ଦଣ୍ଡକିରି ଫର ଫର,
ଲାଜ ସିନା ଆମ ଭୁଷଣ ଅଟେଲୋ କିମ୍ପା ହେଉ ହରବର ।
ଗଜଯାଏ ଢଳିଢଳି,
ବାପା ଖୋଜିଛନ୍ତି କାଳିଆ ବରଲୋ ବୋଉ କରେ ନୀତି କଳି ।
କୋଇଲି ବୋବାଏ ଡାଳେ,
ଆର ବରଷକୁ ବାହା ହୋଇବଲୋ ସଂଗାତ ଥିବ ଜଞ୍ଜାଳେ ।
ବଣର ରାଜାଟି ସିଂହ,
ମୋ ହାତ ଯିଏ ଧରିବ ପରାଲୋ ବୋଲିବା ପୁରୁଷ ସିଂହ ।
ରଜ ଦୋଳି ଗଲା ଛିଣ୍ଡି,
ଦୋଳିରେ ବସିଲା ଉଙ୍କୁଣି ମୂଣ୍ଡିଲୋ ଷାଠିଏ ମହଣ ଗଣ୍ଡି ।
ବନ ପକ୍ଷୀ ଗଲା ଉଡି,
କୋଡିଏ ଡେଇଁଲା ବର ନମିଳେଲୋ ହଂସା ମୋ ଯାଉଛି ଉଡି ।
ଉଷୁନା ଧାନରେ ଗଜା,
ଏସନ ରଜକୁ ଭାଇ ଆସିବେଲୋ ତେଲିଙ୍ଗି ବାଇଦ ବଜା ।
ଦୋଳିରେ ମାରିଲି ପେଙ୍ଗା,
ଯିଏ ଯାଇଥିବ ଚନ୍ଦରଭାଗାଲୋ ମୁହଁ ପଡିଯିବ ରଙ୍ଗା ।
ରଜକୁ ସାଜଇ ପାନ,
ନାଗର ମଣି ତୋ କାଲି ଆସିବଲୋ କିମ୍ପାଇଁ କରୁ ଗୁମାନ ।
ବରଗଛ ଡାଳେ ଦୋଳି,
ମନ ଜାଣି ବର ବାପା ଖୋଜିବେଲୋ କିମ୍ପାଇଁ କରିବି ଅଳି ।
କାଳି ଗାଈ ମୁଣ୍ଡେ ଚାନ୍ଦ,
ନନ୍ଦପୁଅ ବଡ ରସିକ ସିନାଲୋ ଗୋପୀଙ୍କୁ ଦିଏ ଆନନ୍ଦ ।
କାଉ ରାବ ଦେଲା ଚାଳେ,
ଭାଉଜଙ୍କ ମନ ହୁଏ ଛନଛନ ଭାଇ ଆସିଯିବେ କାଳେ ।
ଶୀରିମନ୍ଦିରର ନେତ,
ଚିଲିକା ପାରିରେ ଶାଶୁଘର ମୋର ପାଉନାହିଁ ଆତକାତ ।
ଭାକୁର ମାଛର ଝୋଳ,
ଭାଇ ଖୋଜିଛନ୍ତି ମୋପାଇଁ ବରଲୋ ମୁଣ୍ଡରେ ନାହିଁ ତା ଚୁଳ ।
ଶିବଲିଙ୍ଗେ ଦେଲି ଚମ୍ପା,
ଜଟିଆ ବାବାଙ୍କୁ ଜୁହାର ହେଲିଲୋ ନମିଳୁ କୁଜା କି କେମ୍ପା ।
ଦେଉଳେ କଲି ମାଜଣା,
ବର ବୋଲି ଯା’ର ହାତ ଧରିବିଲୋ ନଦେଉ ମତେ ଗଞ୍ଜଣା ।
ଆର ବରଷକୁ ରଜ,
ଯେଉଁ ମିତଣୀର ଡୋଲି ଉଠିବଲୋ ନଥିବ ଏ ସଜବାଜ ।
ରଜଗୀତ ହେଲା ଶେଷ,
ଓଡିଆ ଭାଷାକୁ ବଂଚାଇ ରଖଲୋ ଗାଇବା ଆର ବରଷ ।