ରେ ଆତ୍ମନ
ତୁ ଏମିତି କେମିତି ଭୁଲି ଗଲୁ ?
ତୁ କେଉଁଠୁ ଆସିଛୁ, କାହିଁକି ଆସିଚୁ
କିଏ ତୋତେ ଏ ବିଷମ ଦୁନିଆକୁ
ସତ ମିଛର, ପ୍ରେମ ବିରହର, ହସ କାନ୍ଦର
ପଙ୍କରେ ଲଟ ପଟ ହୋଇ
କେଉଁ ମୋତି ଖୋଜିବାକୁ ପଠେଇ ଦେଲା ?
ତୁ ତ ମାୟା ନିର୍ମାୟା, ପର ଆପଣା
ସ୍ୱାର୍ଥ ନିସ୍ୱାର୍ଥର ଗୋଳିଆ ପାଣିରେ ଉବୁଟୁବୁ,
କେବେ ପୁଣି ପାଣି ଭଅଁରରେ ଚକ୍କର କାଟୁଚୁ ।
କେବେ ଯଦି ଥକି ଯାଉ ତାକୁ ଥରେ ମନେ ପକାଇ
ଢେର ସାରା ଗାଳି ବକିଯାଉ ।
କିଛି ଦେଇନି ବୋଲି ଅଭିମାନ କରୁ ।
ପୁଣି କେବେ ହାରିଗଲେ ତାକୁ ହିଁ ଖୋଜୁଚୁ
କେବେ ମନ୍ଦିର, ଗୁରୁଦ୍ୱାରରେ
କେବେ ପୁଣି ଗିର୍ଜା ଅବା ମସ୍ଜିଦ୍ ର ଚକ୍କର କାଟୁଛୁ ।
ଆରେ କସ୍ତୁରୀ ମୃଗ ତୁ
ଅଗନା ଅଗନୀ ବନସ୍ତରେ
କେଉଁ ସୁଗନ୍ଧର ଆଶାରେ, କଅଣ ଖୋଜୁଚୁ ?
ଆରେ ମୂଢମତି
ସେଇତ ତୋରି ଭିତରେ ଅଛି
ତୋ ମିତ୍ର, ତୋ ଶତୃ, ତୋ ଆପଣାର,
ତୋ ପରର ଭିତରେ ରହିଛି ।
ତୋ ଆଖରୁ କଳା ଚଷମା ଖୋଲିଲେ
ଦେଖିବୁ କେତେ ଯେ ରୋଷଣୀ ଏଠି
ସାରା ସୃଷ୍ଠି ଜଗମଗ ଚମକୁଚି ।
ସବୁ ଜଳ ଜଳ ଦିଶୁଚି ।
ଅନ୍ଧାର ତ ତୋରି ଭିତରେ ଅଛି ।
ନା କେହି ବାବା ମାତା ନା କେହି ମୌଲବି କି ପାଦ୍ରୀ
ତୋ ଆଖିର ଅନ୍ଧାକାର ଦୁର କରି ପାରିବନି ।
ମନର ଆଇନାରୁ ଧୁଳି ଝାଡି ଦେଇ
ପୁଣି ଥରେ ନିଜ ଚେହେରାକୁ
ଭଲଭାବେ ନିରିକ୍ଷଣ କର
ତୁ ନିଜେହିଁ ଜାଣିବୁ
ତୋ ମୁହଁରେ କେଉଁଠି ଲାଗିଛି ଦାଗ,
ଆଉ କେତେ ସଫା ଅଛି ?
ଯିଏ ତୋତେ ପଠେଇଚି
ସିଏ ତୋତେ କେବେବି ଭୁଲିନି ।
ତୋତେ କେବେ ଅକେଲା ଛାଡିନି ।
ସିଏ ତୋ ସାଥିରେ ଅଛି, ତୋରି ସାଙ୍ଗରେ ଚାଲୁଛି
ପ୍ରତି ମୁହୁର୍ତ୍ତ ରେ ତୋତେ ନିରିକ୍ଷଣ କରୁଚି ।
ଚାଲୁ ଚାଲୁ କେବେ ଯଦି ଝୁଣ୍ଟି ଯାଉ
ସିଏ ତାର ହାତ ବଢାଇ ଦିଏ ଆଉ କହେ
ଆରେ ପଡି ଗଲୁକି ?
ନେ ଧର ମୋ ହାତ ଆଉ ଉଠିଆ।
ହେଲେ ତୁ ହତଭାଗା ଆଖି ବନ୍ଦ କରି
ଅନ୍ଧ ହେବାର ବାହାନା କରିଲୁ ।
ରାସ୍ତାରେ ଲକ୍ଷ୍ମି ଦତ୍ତ ଧନ ପୁଡିଆକୁ
ଅଣଦେଖା କରିଲୁ ।
ପୁଣି ଜିବନ ସାରା ଅଭିମାନ କରି
ତାକୁ ହିଁ ଭୁଲିଗଲୁ ।
ଆରେ ମୁଢ ମତି
ହାତ ଡିଆସିଲି ଭୁଲି ତୁ ଖୋଜୁଛୁ
ଅନ୍ଧାରେ କାହିଁ ବତୀ ।