କବିତା

ସଚ୍ଚିବଙ୍କ ବଦଳି ପରେ- ଆମ ଗାଁ ସ୍କୁଲ

Jachindra Kumar Rout's odia poem Sachhibanka Badali Pare - Aama Gaan Skool

ଝାଳରେ ଉଷୁମୁଳିଆ ଗନ୍ଧାଉଥିବା
ସ୍କୁଲ୍ ୟୁନିଫର୍ମ –
ଛତି ମାରିଲାଣି ଆଲଣାରେ
ପକ୍ଷାଘାତରେ ପୀଡ଼ିତ ରଙ୍ଗୀନ୍ ପୋଷାକସବୁ

ସଚ୍ଚିବଙ୍କ ବଦଳି ପରେ- ଆମ ଗାଁ ସ୍କୁଲ

ଲମ୍ୱା ନିଶ୍ୱାସରେ
ଧଇଁ ସଇଁ ହେଉଥିବା ଆମ ବିଦ୍ୟାଳୟ
ଝାମା ମାରି ଆଉଜି ଯାଇଛି କାନ୍ଥକୁ
ଖପଖପ ହେଇ ବିନ୍ଧୁଥିବା ବଥରୁ
ବୋଇ ଯାଉଚି ଗଣ୍ଡପୁଜ-
ଗୋଟେ ଯନ୍ତ୍ରଣା
ଝାଳରେ ଉଷୁମୁଳିଆ ଗନ୍ଧାଉଥିବା
ସ୍କୁଲ୍ ୟୁନିଫର୍ମ –
ଛତି ମାରିଲାଣି ଆଲଣାରେ
ପକ୍ଷାଘାତରେ ପୀଡ଼ିତ ରଙ୍ଗୀନ୍ ପୋଷାକସବୁ
ବେଶ ଫୁର୍ତ୍ତି ଫାଜିଲାମି
ଆମ ସାର୍‌ମାନଙ୍କ ଦେହରେ
ଆଖିରୁ ହଜିଯାଇଥିବା ନିଦରେ
ଏବେ ଘୁଙ୍ଗୁଡ଼ି ମାରୁଚି ସ୍କୁଲ୍ ଛାତ
ପାନଖିଆ ପାଟିରୁ ବୋଇପଡୁଚି
ଖିଲି ଖିଲି ହସ-ଗୋଟେ ପ୍ରତିଶୋଧ ।

ଅଦିନିଆ ଝଡ଼ପରେ
ଫସ୍ କିନି ଲିଭିଯାଇଚି ଚୁଲି-ମଧ୍ୟାହ୍ନ ଭୋଜନ
ପୋକବିନ୍ଧା ଜାଇର କଣାସବୁକୁ
ବୁଜି ଦେଇଚି ପଞ୍ଚାୟତ ଇଲେକ୍ସନ୍
ଗୋଟେ ଟର୍‌ନାଡ଼ୋରେ
ଭାସିଯାଇଚି ସ୍କୁଲ୍ ଉପସ୍ଥାନ
ଫୁଲର ଫଗୁଣ ମହ ମହ ବାସ୍ନା
ସ୍କୁଲ୍ ଲତା-ଷଣ୍ଢମାନଙ୍କ କୁସ୍ତିକସରତ,

ଧୂଳି ଧୂଆଁରେ ନସରପସର
ଅବୋଧ ବାଳକ-ସର୍ବଶିକ୍ଷା ଅଭିଯାନ ।

ବନ୍ୟା ଛାଡ଼ିଲା ପରେ-
ଖୋଲା ମେଲା ଦିଶୁଥିବା ନଈ
କଟମଟ କରି କୋରଡ଼ ଆଖିରେ ଅନେଇଛନ୍ତି
ଅତଡ଼ା-ବିରୋଧି ଦଳ

ଦୀର୍ଘ ଦିନ ପରେ
ଉଭେଇ ଗଲା ହାଡ଼ସନ୍ଧିର ପରାସ
ଗୋଟେ କସରତ-ଗୋଟେ ଟେନସନ୍ ।

ଶିକ୍ଷାସଚ୍ଚିବଙ୍କ ବଦଳି ଖବରରେ
ଫୁଟିଲା ଢ଼ୋ’ ଢ଼ୋ’ ଗଡ଼ମା
ମଠ ମନ୍ଦିର ଫୁଲି ଉଠିଲା ଫୁଲରେ
ଧୂପ ଦୀପରେ ମହକି ଉଠିଲା ଦିବାଲି
ଉଭେଇଗଲା ଗୋଟେ ଅନ୍ଧାର-
ଅମାବାସ୍ୟା-ଆତଙ୍କ

ଇତିହାସର ଭଗ୍ନ ଇମାରତକୁ
ଉଦ୍ଧାର କରିବାବେଳେ
ପାଦକୁ ମଜଭୁତ କରି
ଠିଆ କରେଇବା ବେଳେ
ଗୋଟେ ଅଜଣା ଆଶଙ୍କାରେ
ଖସିପଡ଼ିବା ଭୟରେ-
ଭୂମିକମ୍ପରେ
ଭୁଷୁଡ଼ି ପଡ଼ିଲା-ସ୍ୱପ୍ନ-
ସରକାର-ସର୍ବଶିକ୍ଷା ଅଭିଯାନ

ଲୋକମାନଙ୍କ ଆସ୍ଥା-ଆଶ୍ୱାସନା
ଧସିଗଲା ଗଣତନ୍ତ୍ର-ଗଣବିଚାର
ଏବେ ଆମ ଗାଁ ସ୍କୁଲ୍ ଠିଆ ହେଇଚି
ଶୂନ୍ୟ ମୂଳୁଦୁଆରେ
ଶୂନ୍ୟ ଘର-
ଶୂନ୍ୟ ଭବିଷ୍ୟତ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top