ଆହୁରି ଅନେକ ରାତି
ଏବେ ବାକି ଅଛି ,
ତୁମେ ଆରମ୍ଭରୁ
ଆଖି କାହିଁ ମୁଦି ଦେଲ ଯେ ।
ଜାଣିନ କି
ଚାଲିବାକୁ ହେବ ଆମକୁ
ସକାଳ ପଯ୍ୟନ୍ତ , ସୂର୍ଯ୍ୟର ସଫା ଦେହକୁ ଦେଖିବାକୁ ହେବ ।
ଭାଙ୍ଗିପଡୁଛ କାହିଁକି ?
ନଇଁପଡିଲେ ଅନ୍ଧାର ମାଡ଼ିବସିବ ,
ମାଡ଼ିବସିବ ଯେ ଆଉ ନଛାଡିବା ପାଇଁ
ତୁମେ
ଡରି ଡରି ମାରିବାକୁ ଭଲପାଇବ କି ?
ତୁମେ
ନିଜକୁ ସମର୍ପି ଦେବାକୁ ଚାହିଁବ କି
ଅନ୍ଧାର ହାତରେ ,
ତୁମେ ଚାହିଁବ କି
ଅନ୍ଧାର ତୁମ ସୁଖତକ
ଜୋକ ପରି ପିଇ ଯାଉ ,
ତୁମେ ଚାହିଁବ କି ରାତିର ପକ୍ଷୀ ପରି
ଲକ୍ଷ୍ୟହୀନ ଭାବେ ଉଡି ଉଡି
ଅନ୍ଧାରରେ ମିଶିଯିବା ପାଇଁ ,
ନୁହେଁ ନା ….
ତା ହେଲେ ଆସ
ମୋ ହାତକୁ ଜୋର କରି ଧର ,
ଅନ୍ୟ କେହି ନ ହେଲେ ନାହିଁ
ମୁଁ ତୁମକୁ ନେଇଯିବି
ଅନ୍ଧାରର ଶେଷ ସୀମାକୁ
ସକାଳ ଆରମ୍ଭ ପଯ୍ୟନ୍ତ । ।
