ଆଲିଙ୍ଗନ କରିବାକୁ ଡର ଲାଗେ
ସମୟକୁ, ଖୁବ୍ କ୍ଷୀପ୍ରତର ସିଏ
ଏଇ ଆସୁଛି ବୋଲି ଚାଲିଯିବ କାଳେ
ବିଶ୍ୱାସ ବା କରିବ ତାକୁ କିଏ ?
ସେ ଦିନରୁ ସମୟ ତ ଚାଲୁଛି
ଅବିରାମ ଭାବେ, କିଏ
ବା ଚାଲୁଛି ତା’ ସହ ତାଳ ଦେଇ ।
ତଥାପି ମନକୁ ତା’ ବୁଝିବାକୁ ହେବ,
ସେ ନିଷ୍ଠୁର ନୁହେଁ, ବରଂ ସହିଷ୍ଣୁ
ସେ ସବୁଦିନ ପାଇଁ. . . !
ପ୍ରିୟାର ପଣତ କାନିରେ ଥିବାଯାଏ
ଯେମିତି ଦୁନିଆର କିଛି ଦୁଃଖ ସୁଖ
ଜଣାପଡ଼େ ନାହିଁ,
ସମୟର ଗତି ସହ ଚାଲିବାର
ପ୍ରତିଶ୍ରୁତି ନେଲେ
ଆଉ କିଛି ଦୁଃଖ ରହେ ନାହିଁ ।
ସଜାଡ଼ି ନିଅ, ପରଖି ନିଅ, ସବୁକିଛି
ବେଶଭୂଷା, ଆଉ କର୍ତ୍ତବ୍ୟର ଲମ୍ୱା ରୁଟିନ୍କୁ
ଏଇତ ହସୁଛି ସମୟ, ତୁମ ଆଡ଼େ
ଚାହିଁ, ହାତ ବଢ଼ାଉଛି
ତୁମ ବନ୍ଧୁତ୍ୱକୁ ସ୍ୱୀକାର କରିବାକୁ ।
