ବୁଢ଼ାଟିଏ ଦିନେ କାନ୍ଦୁଥିଲା ବସି
ଗୁମୁରି ଗୁମୁରି ହୋଇ
ପଚାରିଲି ଯାଇ ପାଖକୁ ତାଙ୍କର
କାନ୍ଦୁଛ କଅଣ ପାଇଁ ?
କହିଲା “ସ୍ତ୍ରୀ ମୋର ବେମାର ପଡ଼ିଛି
ପାରୁନି ସେ ଉଠି ବସି
କହିଲି ପୁଅକୁ ଡାକ୍ତର ଡାକୁନୁ
ଯାଇଛି ଆଣିବ ଖାସି ।
ଶଳା ତାର ଆଜି ଘରକୁ ଆସୁଛି
ଯୋଗାଡ଼ରେ ଅଛି ସିଏ
ମାଆକୁ ଡାକ୍ତର କିଏ ଦେଖେଇବ
ମନକୁ ମୋ ପାପ ଛୁଏଁ ।
ବଳ ନାହିଁ ଆଉ ହାତରେ ମୋହର
ପାରୁନି ତାକୁ ମୁଁ ନେଇ
ଟଙ୍କା ପଇସା ବି ନାହିଁ ତ ପାଖରେ
ବୁଦ୍ଧି ବାଟ ଦିଶୁ ନାହିଁ ।
କେତେ ସେବା କରୁଥିଲା ସ୍ତ୍ରୀ ମୋହର
ଆଜି ସେ ପଡ଼ିଛି ରୋଗେ
ପାରୁନାହିଁ କିଛି କରି ତାହା ପାଇଁ
ନାହିଁ ତାହା ମୋର ଭାଗ୍ୟେ !”
ଭଲ ପାଇବା ଦେଖି ସେ ବୃଦ୍ଧାଟିର
ବହୁତ ମୁଁ ଖୁସି ହେଲି
କିସ ଯେ ସାନ୍ତ୍ୱନା ଦେବି ଭାବି ମୁଁ
ମନେ ମନେ ଚିନ୍ତା କଲି ।
କହିଲି “ଅଜା ହେ କିଛି ହେବ ନାହିଁ
ପୋଛି ଦିଅ ଆଖି ଲୁହ
ତାଙ୍କ ପ୍ରତି ତୁମ ଭଲ ପାଇବା ହିଁ
ତାଙ୍କୁ ତ ହେବ ସହାୟ ।”
ସେହି ପୁଅ କଥା ଭାବିଲି ଯେବେ ମୁଁ
ମୋତେ ଭାରି କଷ୍ଟ ହେଲା
ପୁଅ ଜନ୍ମ କରି ସେହି ମାଆ ସତେ
ପାପ କିସ କରିଥିଲା ?
ନିଦ ହେଲା ନାହିଁ ସେଦିନ ରାତିରେ
ଭାବିଲି ତାହାରି କଥା
ସବୁ ପୁଅଙ୍କୁ ଯେ ଅନୁରୋଧ ମୋର
ବୁଝନ୍ତୁ ମାଆ ମମତା !