କବିତା

ସରଳ ବା ଜଟିଳ

Nirupama Swain's odia poem Sarala ba Jatila

ମଣିଷ ମନଟା କ’ଣ ସତରେ ସବୁବେଳେ
ଆକାଂକ୍ଷିତ ସ୍ୱପ୍ନର ଡୋରରେ ବନ୍ଧା

ସରଳ ବା ଜଟିଳ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମନଟା ସବୁବେଳେ ଚାହେଁ
ସରଳ ହୋଇଯିବ, ବିଦ୍ରୋହୀ ହେବନି
ସିଧା ଭାବେ ସବୁ ସମସ୍ୟାର ସମାଧାନ
କରିବ, ହେଲେ. . . ଅଲକ୍ଷ୍ୟରେ
କେବେ, ବିଦ୍ରୋହୀ ହୋଇ ସାରିଥାଏ
ତା’ ଜାଣିପାରେ ନାହିଁ ।

ମଣିଷ ମନଟା କ’ଣ ସତରେ ସବୁବେଳେ
ଆକାଂକ୍ଷିତ ସ୍ୱପ୍ନର ଡୋରରେ ବନ୍ଧା
ନ ହେଲେ, ଯେମିତି ତା’ର ସ୍ଥିତି ନାହିଁ
ପ୍ରତିକ୍ଷଣେ ଚିନ୍ତାରେ ବ୍ୟତିବ୍ୟସ୍ତ
ହସିବାକୁ ଯେମିତି ସମୟ ହିଁ ନାହିଁ ।

କେବେ କେବେ ଉତ୍ସର୍ଗୀକୃତ ହୋଇଯାଏ
ଅନ୍ୟ ଲାଗି, ଭୁଲିଯାଏ ନିଜ ଦୁଃଖ
ଅନ୍ୟକୁ ହସାଇବାର ପ୍ରଚେଷ୍ଟାରେ
ପିଇଯାଏ ଦୁନିଆଁର ଯେତେ ଦୁଃଖ
ଆଉ ଅପବାଦ. . .

ହେଲେ, କେବେ ଅଲକ୍ଷ୍ୟରେ
ନିଜ କଥା ଭାବି ଦେଲେ
ସେ ନ ଚାହିଁଲେ ବି, ହୋଇଯାଇଥାଏ
ଅନ୍ୟ ଲାଗି, ଅଲୋଡ଼ା, ଅଖୋଜାଟିଏ,
ଆଖି ମେଲି ଚାହିଁ ଦେଲେ, ଏ ଦୁନିଆଁଟା
ତା’ ଲାଗି ଏକ ଅଭେଦ୍ୟ ପ୍ରାଚୀର ବନିଯାଏ ।

ଆଘାତ ପାଇ, ରକ୍ତାକ୍ତ ଶରୀରକୁ
ବଞ୍ଚାଇବା ପାଇଁ ଯଦି
ସେଇଠି ସିଏ ପ୍ରାର୍ଥନା କରେ
ତେବେ ସିଏ ହୁଏ, ବିଦ୍ରୋହୀ
ବିଦ୍ରୁପିତ. . . ଲାଞ୍ଛିତ !

ଶେଷରେ. . . ବଞ୍ଚିବା ଲାଗି ତ
ଆନ୍ଦୋଳନ ନିହାତି ଆବଶ୍ୟକ,
ଏଇଠି
କିଏ ତେବେ ସମାଧାନ କରିବ
ଏଇ ମୋ ପ୍ରଶ୍ନର ଯେ
ମନର ସ୍ଥିତିଟା ସରଳ ନା ଜଟିଳ
ଏକ ଅଜବ ପ୍ରଶ୍ନବାଚୀ ଇଏ ମୋ ମନର !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top