ମନଟା ସବୁବେଳେ ଚାହେଁ
ସରଳ ହୋଇଯିବ, ବିଦ୍ରୋହୀ ହେବନି
ସିଧା ଭାବେ ସବୁ ସମସ୍ୟାର ସମାଧାନ
କରିବ, ହେଲେ. . . ଅଲକ୍ଷ୍ୟରେ
କେବେ, ବିଦ୍ରୋହୀ ହୋଇ ସାରିଥାଏ
ତା’ ଜାଣିପାରେ ନାହିଁ ।
ମଣିଷ ମନଟା କ’ଣ ସତରେ ସବୁବେଳେ
ଆକାଂକ୍ଷିତ ସ୍ୱପ୍ନର ଡୋରରେ ବନ୍ଧା
ନ ହେଲେ, ଯେମିତି ତା’ର ସ୍ଥିତି ନାହିଁ
ପ୍ରତିକ୍ଷଣେ ଚିନ୍ତାରେ ବ୍ୟତିବ୍ୟସ୍ତ
ହସିବାକୁ ଯେମିତି ସମୟ ହିଁ ନାହିଁ ।
କେବେ କେବେ ଉତ୍ସର୍ଗୀକୃତ ହୋଇଯାଏ
ଅନ୍ୟ ଲାଗି, ଭୁଲିଯାଏ ନିଜ ଦୁଃଖ
ଅନ୍ୟକୁ ହସାଇବାର ପ୍ରଚେଷ୍ଟାରେ
ପିଇଯାଏ ଦୁନିଆଁର ଯେତେ ଦୁଃଖ
ଆଉ ଅପବାଦ. . .
ହେଲେ, କେବେ ଅଲକ୍ଷ୍ୟରେ
ନିଜ କଥା ଭାବି ଦେଲେ
ସେ ନ ଚାହିଁଲେ ବି, ହୋଇଯାଇଥାଏ
ଅନ୍ୟ ଲାଗି, ଅଲୋଡ଼ା, ଅଖୋଜାଟିଏ,
ଆଖି ମେଲି ଚାହିଁ ଦେଲେ, ଏ ଦୁନିଆଁଟା
ତା’ ଲାଗି ଏକ ଅଭେଦ୍ୟ ପ୍ରାଚୀର ବନିଯାଏ ।
ଆଘାତ ପାଇ, ରକ୍ତାକ୍ତ ଶରୀରକୁ
ବଞ୍ଚାଇବା ପାଇଁ ଯଦି
ସେଇଠି ସିଏ ପ୍ରାର୍ଥନା କରେ
ତେବେ ସିଏ ହୁଏ, ବିଦ୍ରୋହୀ
ବିଦ୍ରୁପିତ. . . ଲାଞ୍ଛିତ !
ଶେଷରେ. . . ବଞ୍ଚିବା ଲାଗି ତ
ଆନ୍ଦୋଳନ ନିହାତି ଆବଶ୍ୟକ,
ଏଇଠି
କିଏ ତେବେ ସମାଧାନ କରିବ
ଏଇ ମୋ ପ୍ରଶ୍ନର ଯେ
ମନର ସ୍ଥିତିଟା ସରଳ ନା ଜଟିଳ
ଏକ ଅଜବ ପ୍ରଶ୍ନବାଚୀ ଇଏ ମୋ ମନର !