ଆଉ ନାହିଁ …
ଚାଳ ଛପର ଘର – ଚାଟଶାଳି
ଶିକ୍ଷା ଦପ୍ତରୀର ହୁକୁମତିରେ
ଛତୁ ଫୁଟିଲାପରି ଫୁଟି ପଡ଼ିଛନ୍ତି
ମାଳମାଳ କୋଠା !
ବଦଳି ଯାଇଛି ଶିକ୍ଷା, ବଦଳି ଯାଇଛି
ଶିକ୍ଷକ ଆଉ ଶିକ୍ଷାୟତନର ଢାଞ୍ଚା ।
ଲେଖି ହୋଇଯାଇଛି, ସରକାରଙ୍କ
କାଳି ନ ଥିବା କଲମମୂନରେ
ପ୍ରତି ଶ୍ରେଣୀର
ପ୍ରକୋଷ୍ଠ ଦ୍ୱାରରେ ଗାନ୍ଧୀ, ଗୋପବନ୍ଧୁ
ପୁଣି ସୁବାଷଙ୍କ ନାଁ ।
କାନ୍ଥର ପରଦାରେ ସିନେମାର
ଦୃଶ୍ୟପରି ଦିଶିଯାଉଛି ଜକ୍ମକ୍ ହୋଇ
ଧାଡ଼ି ଧାଡ଼ି ନୀତି ଶିକ୍ଷା, ବର୍ଣ୍ଣମାଳା, ମାନଚିତ୍ର
ଆଉ ପେନସିଲର ଦୁଇ ମୁଣ୍ଡରେ ବସି
ପିଇ ଯାଉଛନ୍ତି ପାଠ, ଦୁଇ ଅବଢ଼ା ବାଳକ
ଏକଲବ୍ୟ – କାଳିଦାସ ।
ଆଉ ନାହିଁ ଶିକ୍ଷକ ହାତରେ ବେତ…
ପଛପଟ କେଉଁ ପରିତ୍ୟକ୍ତ ଅରମା ଅଳନ୍ଧୁରେ
ପଡି ଖାଲି ହେଉଅଛି ଛଟପଟ !
ବେକରେ ତାର ବେତ ବଦଳରେ ପଡ଼ିଅଛି
ଘଣ୍ଟି, ହରଦମ କରିବାକୁ ମଧ୍ୟାହ୍ନ ଭୋଜନ
ଭୋଅଟ ତାଲିକା ଜଣ ଗଣନା ଆଉ
ରାମ୍ସା ଯୋଜନା ଫାଇଲର ଚାଷ ।
ଉଡିଯାଇଛି ପାଠପଢ଼ା, ପୋକରା ଡାଲି,
ଚାଉଳର ବାମ୍ଫରେ ତ ଲାଳ ହୋଇ ବୋହିଯାଉଛି
ଅଣ୍ଡାର ଆଇଁଷିଣିଆଁ ଗନ୍ଧରେ, ହାଣ୍ଡି , ଦଣ୍ଡୀ
ଥାଳିର ଢଂ ଢଂ ଶବ୍ଦରେ ଦୋହଲି ଯାଉଛି
ରାସ୍ତା – ରାଜନୀତି, ଭୂକମ୍ପନପରି ଥରିଯାଉଛି
ଗରିବୀ ମଳିମୁଣ୍ଡିଆଙ୍କ ଆସ୍ଥା ଆସେମ୍ଳି
ଆଉ ଶିକ୍ଷାଧିକାରୀଙ୍କ ତୋଫାନି ଗସ୍ତରେ
ବଢିଯାଉଅଛି ଗୁରୁକୁଳଙ୍କର
ଉଚ୍ଚ ରକ୍ତଚାପ !
ମହାଦର୍ପରେ ସର୍ବଗିଳା ଅଜଗର ସାଜି
ଶିକ୍ଷା ଅର୍ଜି ଡେଙ୍ଗୁରା ପିଟୁଛି
ପ୍ରମାଣ କରିବାକୁ ଶତ ପ୍ରତିଶତ ସ୍ଵାକ୍ଷର !!