ସେ ବାଟରେ ଗଲାବେଳେ
ବାଟ ଓଗାଳେ
ହଠାତ୍ ଦଲକାଏ ଶୀତଳ ପବନ
ମୁହୂର୍ତ୍ତଟିଏ ହେଲେ ବି
ମୁଁ ଉଝେଇଦିଏ
ସବୁତକ ଅବସୋସ ଦୀର୍ଘଶ୍ୱାସ ।
ନିଜ ଭିତରୁ କେହିଜଣେ
ଏକମୁହାଁ ହୋଇ ଚାଲି ଯାଉଥାଏ ଦୂରକୁ ଦୂରକୁ ।
ପାହାଡ ଶିଖରୁ
ନିରବତା ଡେଇଁ ଭାସି ଆସୁଥାଏ
ସମ୍ମିଳିତ କଣ୍ଠୁଁ
ଅସ୍ପଷ୍ଟ ଅସ୍ପଷ୍ଟ …
ବୁଦ୍ଧଂ ଶରଣଂ ଗଚ୍ଛାମି..ସଙ୍ଘମ୍ ଶରଣଂ…ଧର୍ମଂ….
ସେ ନିରବତାର ବି
ଗୋଟେ କରୁଣ ସୁର୍ ଥାଏ ।
ସେ ବାଟରେ ଯିବାବେଳେ
ଲାଗେ
କୋଳାହଳ ବି ବେଶ୍ ନୀରବ ନୀରବ
ଟପ୍ ଟପ୍ ବର୍ଷା ବି ବେଶ୍ ସଙ୍ଗୀତ ସଙ୍ଗୀତ
ଖରା ବର୍ଷା ଶୀତ ଝାଞ୍ଜି
ଯେମିତି ମଥାନତ କରି
ବଡ ସଂଭ୍ରମରେ ଆତଯାତ ହେଉଛନ୍ତି
କେଉଁ କାଳଠୁଁ ଏଯାଏ ।
ପକ୍ଷୀ ଗାଇଲେ ଗୀତ
ପତ୍ରସବୁ କାନ ଡେରାନ୍ତି କିଏ ଆସୁଛି କି !
କେଉଁ ବୈରାଗୀ ଭିକ୍ଷୁର ଗୀତ ଛୁଉଁଥାଏ ଛାତି
ମାୟା ନାହିଁ ମମତା ନାହିଁ
ଅଳିକ ଜୀବନ ଆଜି ଅଛି କାଲି ନାହିଁ
ଦୁଃଖ ଆଉ ବିଷାଦରେ ଦିନେ
ରଙ୍ଗହୀନ ହୋଇଯିବ ଏ ଜୀବନ ।
ଜରା ବ୍ଯାଧି ଶୋକ
ତା’ ସତ୍ତ୍ୱେ ବି ନିର୍ବାଣର ମନ୍ତ୍ର
ନିଜ ଭିତରୁ ନଈହୋଇ ବହିଗଲେ
ସେଠି ଥିବ ଗୋଟେ ତଥାସ୍ତୁ ମୁଦ୍ରାରେ ହାତ
ତା’ ଛଡା ଆଉ ନଥିବ କିଛି ।