ମେଳା ପଡ଼ିଆରେ
ମାଆ ପାଖରୁ କରଛଡ଼ା ଶିଶୁଟି
ହଜିଗଲା ଭିଡ଼ର ସୁଅରେ
ତା’ କନ୍ଦୁରା ମୁହଁରୁ
ଶୁଣାଗଲା ଗୋଟିଏ ମାତ୍ର ଶବ୍ଦ
ମାଆ, ମାଆ ।
ଅସଂଖ୍ୟ ଦରଦୀ ମଣିଷ
ଘେରିଗଲେ ଶିଶୁଟି ପାଖରେ
କେହି ଜଣେ ପଚାରି ବସିଲା
ତୋ’ ମାଆ ଦେଖିବାକୁ କେମିତିରେ ପୁଅ ?
ବିକଳ ଶିଶୁଟିର ମୁହଁ ଓ ଆଖିରେ
ଭାସି ଉଠିଲା ବିସ୍ମିତମୁଦ୍ରା
ଏମାନେ ଚିହ୍ନି ନାହାଁନ୍ତି ମୋ ମାଆକୁ !
ମୋ ମାଆ ଯେ ସବୁଠୁଁ ସୁନ୍ଦରୀ
ଏକଥା ଜାଣନ୍ତିନି ଏମାନେ ?
