ମହମହ ବାସୁଥିବା
ବୋଉର ପଣତ କାନୀ ହିଁ
ମୋ ଅସରନ୍ତି ପିଲାଦିନ ।
କଣ୍ଢେଇ ଧରି ଧୂଳୀରେ ଗଡ଼ୁଥିବା
ତମାମ୍ ଖରାବେଳ ହିଁ
ମୋର ଅର୍ଜିତ ଅହଂକାର ।
ଯିବା ଆସିବାର ରଫ୍ ଖାତାରେ
ଲେଖାଥିବା ହିସାବତଳେ
ନାଲିଗାର ପଡ଼ିଥିବା ଦିନଗୁଡ଼ିକ ହିଁ
ମୋର ସ୍ମୃତି ସଂକୁଳ ନଈଘାଟ ।
ଇସ୍ତ୍ରୀକରା ଧଳା ପଞ୍ଜାବୀରେ
ଲାଗିଥିବା ବିନ୍ଦୁବିନ୍ଦୁ ଝାଳଦାଗ ହିଁ
ମୋର ବ୍ୟକ୍ତିଗତ ଚରିତ୍ର ।
ଓଦା ସରସର ପ୍ରେମର ପଣତ କାନିହିଁ
ମୋର ପରିପୂର୍ଣ୍ଣ ସଂସାର ।
ଠିକଣା ଭୂଲଥିବା ଚିଠିପରି
ଫେରିଆସୁଥିବା ସବୁତକ ଅପମାନହିଁ
ମୋର ଉଜେଇଁ ଦେଇଥିବା ଦୁଃଖ ।
ଆବୁରୁ ଜାବୁରୁ ସ୍ୱପର୍ଭିତରୁ
ଉତୁରି ଆସୁଥିବା ରାଜକୁମାର ଟିଏହିଁ
ମୋର ଚଳନ୍ତି ସୁଖ ।
ଝରକା ସେପଟେ ଝରାପତ୍ରରେ
ମେଲାଣି ମାଗୁଥିବା ଶୀତ ହିଁ
ମୋର ବାର୍ଦ୍ଧକ୍ୟ ।
