ଟପ୍ଟପ୍ ବରଷାର ବିନ୍ଦୁ ନୁହେଁ. . .
ଇଏ ମୋ ଆଖିର ଟୋପା ଟୋପା ଲୁହ
ଆବେଗର ପାହାଡ଼କୁ ଧରି
ସେ ଯେ ଉଠାଏ ଅସରନ୍ତି କୋହ ।
ନାଲି ନାଲି ଶିଙ୍ଗାରର ଚିହ୍ନ ନୁହେଁ
ଏ ଯେ ମୋ ରକ୍ତର ଆର୍ଦ୍ରତାର ଚିହ୍ନ,
ଜୀବନ ତୋଫାନରେ କଣ୍ଟକିତ ହୋଇ
ଆଜି ଏ ଶରୀର ମୋ ହୋଇଛି ବିବର୍ଣ୍ଣି ।
ଚିକ୍ ଚିକ୍ ଶୁଦ୍ଧ ଜ୍ୟୋତ୍ସ୍ନାର ରୂପ ନୁହେଁ
ଇଏ ମୋ ମନର ଶୁଷ୍କତାର ରେଖା
ପାହାଡ଼ ସମ ଦଣ୍ଡାୟମାନ ହୋଇ ଯିଏ
ମୋ ଗତିକୁ କରି ଦିଏ ବଙ୍କା ।
ନୀଳ ନୀଳ ଆକାଶର ଗମ୍ଭୀରତା ନୁହେଁ
ଇଏ ମୋ ହୃଦୟର ଗଭୀର ଦୁଃଖର ଛାୟା
ଗ୍ଲାନି ସହ ଯନ୍ତ୍ରଣାକୁ ବାନ୍ଧି
ମୋ ଚତୁଃପାର୍ଶ୍ୱରେ ତା’ର ଏ ମାୟା ।
ଗୁଣୁ ଗୁଣୁ ଗାଉଥିବା ମହୁମାଛି ନୁହେଁ
ଇଏ ପ୍ରତୀକ୍ଷିତ ଆଶାବାଦୀ ଏକ ଲତାର ଗୁଞ୍ଜନ
ଇପ୍ସିତ ଉଦ୍ଦେଶ୍ୟ ଯା’ର ଲୋଟିଯିବା ପାଇଁ
ତା’ ଆଶ୍ରିତ ବକ୍ଷରେ ହଜାଇ ନିଜ ସ୍ୱରର ଧୂନ୍ ।
ଠକ୍ ଠକ୍ ହୋଇ ମାଡ଼ି ଚାଲୁଥିବା ଅଜଣା
ବାଟୋଇର ବ୍ୟସ୍ତତା ନୁହେଁ
ଇଏ ମୋ ଜୀବନର ଗତିର ମନ୍ତ୍ର,
କର୍ତ୍ତବ୍ୟ ସହ ସମୟକୁ ଖୋଜିବାର ନିଶା ଯା’ର
ଏଇ ସେଇ ଅସହାୟ ଯନ୍ତ୍ର. . . !