ଟ୍ରାନ୍ସଫର୍ ଅର୍ଡର ବାହାରିଗଲାଣି,
ଦିନେ କି ଦୁଇଦିନ ଭିତରେ
ମୋତେ ଏ ଜାଗା ଛାଡ଼ିବାକୁ ହେବ
ଯଦିଓ ଜାଗା ପ୍ରତି ଅଛି ଅତୁଟ ମୋହ ।
ଏ ଜାଗା ବି ମୋ ପାଇଁ ଦିନେ ନୂଆଁ ଥିଲା
ପାଣି ପବନ ଘର ଦ୍ଵାର ସବୁ ନୂଆଁ ନୂଆଁ ଲାଗୁଥିଲା
ଜାଗାଟାକୁ ନିଜର କରି ଆଦରି ନେଲା ପରେ
ମୋଟେ ଇଚ୍ଛା ହେଉନି ଏ ଜାଗା ଛାଡି ଯିବାକୁ
କହିପାର ଜାଗାପ୍ରତି ମୋହ ବା ମନର ଦୁର୍ବଳତା !
ସେମିତି କେହି ଜାଗା ମନ୍ଦ ନୁହେଁ
କେହି ମଣିଷ ମନ୍ଦ ନୁହଁନ୍ତି
ସବୁ ନିର୍ଭର କରେ ନିଜ ଉପରେ
ଆଜି ଯାହାକୁ ଛାଡି ଯିବାକୁ ଇଚ୍ଛା ହେଉନି
ସିଏ ବି ତ ମୋ ପାଇଁ ଦିନେ ଅଚିହ୍ନା ଥିଲା ।
ସତରେ ମନ ବିଚିତ୍ର, ମନକୁ ବୁଝିବା ଅସାଧ୍ୟ
ମନକୁ ଆୟତ୍ତ କରିବା କଷ୍ଟ ତତୋଧିକ
ନୂଆଁ ଜାଗାକୁ ଯିବା ପାଇଁ ମଙ୍ଗୁ ନ ଥିବ
ନୂଆଁ ଜାଗାର ମୋହରେ ବାନ୍ଧି ହେଇଯିବ
ପୂର୍ବ ଜାଗାକୁ ଫେରିବାର ନାଁ ଧରୁ ନ ଥିବ ।
ଟ୍ରାନ୍ସଫର୍ ଅର୍ଡର ବାହାରି ଗଲାଣି,
ଏଣିକି ଏ ଜାଗା ପ୍ରତି ମୋହ ତୁଟେଇବାକୁ ହେବ
ନୂଆଁ ଜାଗାକୁ ଆପଣେଇବା ପାଇଁ
ମନକୁ ସଜିଲ କରିବାକୁ ହେବ ॥