ମଳିନ ସାଗର ମଳିନ ସୈକତ
ମଳିନ ଆକାଶ ଜହ୍ନ
ସବୁ ତ ହାରିଛି ତେଜସ ବିଭବ
ତୁମେ ଯେବେ ହେଲ ସ୍ୱପ୍ନ
ସାଗରୁ ହଜିଛି ସ୍ୱରଙ୍ଗ ନିଳୀମା
ସୈକତୁ ହଜିଛି ସ୍ୱର୍ଣ୍ଣ
ଢ଼େଉ ହରାଇଛି ତା ଗର୍ବ ଗାରିମା
ମୋହୁନାହିଁ ଆଉ କର୍ଣ୍ଣ
ଅସ୍ତରାଗ ଲାଗେ ଭାରି ଫିକା ଫିକା
ସାୟାହ୍ନ କାକଳୀ ଶୂନ୍ୟ
ଦୂର ଦିଗନ୍ତର ଚାରୁ ଚିତ୍ରପଟ୍ଟ
କରୁନାହିଁ ସମ୍ମୋହନ
ମେଘ ତୋଳୁ ନାହିଁ ମହ୍ଲାର ରାଗିଣୀ
ମୟୁରୀ ମନ ବିଷର୍ଣ୍ଣ
ଆଦ୍ୟ ଆଷାଢ଼ର ଓଦା ମାଟି ଗନ୍ଧ
ଆର୍ଦ୍ର କରୁନାହିଁ ମନ
ଦିଗ ହରାଇଛି ସୁଧୀର ମଳୟ
ବାସହରା ଯେ ସୁମନ
ମହକ ହାରିଛି ଋତୁରାଟେ ଧରା
ଦିଶେ ଭାରି ଅବସନ୍ନ
ଚୁତ ଶାଖା ତାର ହରାଇଛି ଶିରୀ
ପର୍ଣ୍ଣ ବକୁଳ ଶୂନ୍ୟ
ନିରୁଦ୍ଦିଷ୍ଟ ପୁଣି ପିକ ଓ ହଳଦୀ
ଶୁଭୁନାହିଁ କୁହୁତାନ
ତୁମେ ଚାଲିଗଲ ସଙ୍ଗ ଛାଡ଼ି ମୋର
କା ଆଗେ କରିବି ମାନ
ଗରୁମୟ ଲାଗେ ଜୀବନର ଭାର
ତ୍ୟେଜନ୍ତା କି ତୁଛ ପ୍ରାଣ !