ଆଧ୍ୟାତ୍ମିକତାର ପୂଣ୍ୟଭୂମି ଭାରତମାତା । ଆର୍ଯ୍ୟଭୂମି, ଦେବଭୂମି ଭାବରେ ବିଶ୍ୱ ବିଦିତ । ପୂଣ୍ୟତୋୟା ଜାହ୍ନବୀ ଯାହାଙ୍କର ଗୁଣ ପରିଚର୍ଯ୍ୟା କରିବାକୁ ଅକ୍ଷମ । ଦିଗନ୍ତବିସ୍ତାରୀ ନୀଳ ପାରାବାର ଯାହାଙ୍କର ଚରଣ ଧୌତ କରିବାକୁ ଶ୍ରୀଚରଣରେ ମଥା ପିଟୁଛି । ଗିରିରାଜ ଯାହାଙ୍କର ଶିରରେ ହିରକ ଶିରସ୍ତ୍ରାଣ ସ୍ୱରୂପ ଶୋଭାପାଏ । ବେଦ ଓ ଉପନିଷଦ, ଦେଶମାନଙ୍କ ଭିତରେ ଭାରତ ଶ୍ରେଷ୍ଠ ବୋଲି ଉଦାତ୍ତ କଣ୍ଠରେ ସ୍ୱୀକାର କରେ । ଆଦିମାତା ହିଁ ଶକ୍ତିର ଉତ୍ସ । ସେ ମହାମାୟୀ, ଶକ୍ତି ବିନା ଶିବ ଶବ ସ୍ୱରୂପ । ସୃଷ୍ଟି, ସ୍ଥିତି, ବିଲୟର ମୂଳାଧାର । ସେ ସତ୍ତ୍ୱ, ରଜ, ତମ ତ୍ରିଗୁଣର ସମନ୍ୱୟ । ସେ ଭଗିନୀ, ଜନନୀ, ଜାୟାର ପ୍ରତୀକ । ସେ ପରା ଶକ୍ତି ରୂପା ଭାବେ ବିଦିତ । ସେହି ପରା ଶକ୍ତି ହିଁ ଧାରଣ କରିଥିଲେ ପ୍ରାତଃ ସ୍ମରଣୀୟା ସତୀ, ସାଧ୍ୱୀ, ବୀରା ରମଣୀମାନଙ୍କୁ । ପୁରାଣ ବର୍ଣ୍ଣିତ ଜଗତ୍ଜନନୀ ମା’ ଦୁର୍ଗା, ସତୀ-ଶିରୋମଣି, ଅହଲ୍ୟା, ଦ୍ରୌପଦୀ, ସୀତା ଠାକୁରାଣୀ, ତାରା, କୁନ୍ତୀ, ମନ୍ଦୋଦରୀ, ଏହିଭଳି ଅନେକ ଜନନୀ କୃତିତ୍ୱ ପ୍ରତିପାଦନ କରି ପରମ ପୂଜ୍ୟା । ଝାନ୍ସୀ ରାଣୀ ଲକ୍ଷ୍ମୀବାଇ, ରାଣୀ ଦୁର୍ଗାବତୀ, ଆଦି ବୀରା ରମଣୀମାନେ ଭାରତର ଐତିହ୍ୟକୁ ମହିମା ମଣ୍ଡିତ କରିଛନ୍ତି । ସେହି ମହାନ୍ ମହୀୟସୀ ମାତୃଶକ୍ତି ପାଇଁ ଭାରତମାତା ଗୌରବାନ୍ୱିତ । ସେ ସର୍ବବ୍ୟାପ୍ତିନୀ ଏବଂ ସର୍ବଶକ୍ତିମୟୀ । ଯାହାର ଅପରୂପ ଶୋଭାରେ ବିମୁଗ୍ଧ କବି ପ୍ରାଣରେ ଭ୍ରମ ସୃଷ୍ଟି କରେ । କବିବର ରାଧାନାଥ ରାୟଙ୍କ ଅମୂଲ୍ୟ ଗାଥା-
ଏ ଭାରତଭୂମୀ ଆମର ଜନନୀ
ପୂଣ୍ୟଭୂମୀ ନାହିଁ ସରି ଏହାର
ଅମୂଲ୍ୟ ଦୁର୍ଲଭ ରତନର ଖଣି
ସବୁ ଦେଶ ମଧ୍ୟେ ଏ ଦେଶ ସାର ।
ସମସ୍ତ ଗୁଣ, ଗାରିମା, ଶୋଭା, ପ୍ରାଚୁର୍ଯ୍ୟତା, ଶୌର୍ଯ୍ୟ, ବୀର୍ଯ୍ୟ, ଉତ୍କର୍ଷ, କଳା, ଚାତୁର୍ଯ୍ୟରେ ପୂର୍ଣ୍ଣ ଭାରତ ଜନନୀ । ପୂର୍ଣ୍ଣ ପ୍ରସୂ ଭାରତ ଭୂମିର ପ୍ରାଚୁର୍ଯ୍ୟତା ଆକୃଷ୍ଠ କରିଛି ମୋଗଲ, ଗ୍ରୀକ୍, ଗୋଲନ୍ଦାଜ, ପର୍ତ୍ତୁଗୀର୍ଜ, ଡଚ୍ ଆଦି ବିଦେଶୀ ରାଷ୍ଟ୍ରଙ୍କୁ । ଶେଷରେ ବଣିଜ କରିବାକୁ ଆସି ଇଂରେଜ ଜାତି ଭାରତବର୍ଷରେ ତା’ର ଅମାନବୀୟ ଶାସନ ଜାହିର କଲା । ବୀର ପ୍ରସବିନୀ ଭାରତମାତାର ଅମୃତ ପାନ କରିଥିବା ଅମୃତ ସନ୍ତାନଗଣ ପରାଧିନତାର ଶୃଙ୍ଖଳରୁ ମୁକ୍ତି ପାଇଁ ବଳିଦାନ ଦେଇଛନ୍ତି । ଭବିତବ୍ୟର ଭାବି ବଂଶଧରମାନଙ୍କ ନିରାପତ୍ତା ଓ ନିଷ୍କଣ୍ଟକତା ପାଇଁ ବର୍ବରମାନଙ୍କର ସମସ୍ତ ଅତ୍ୟାଚାରକୁ ଭ୍ରୁକ୍ଷେପ ନ କରି ଆତ୍ମୋତ୍ସର୍ଗ କରିଛନ୍ତି । ସେହି ଦିବଂଗତ ଅମର ଆତ୍ମାଙ୍କ ପ୍ରତି ଆମର ସମବେଦନାର ଗଭୀରତା ମାପିବା ପାଇଁ ଆତ୍ମଚିନ୍ତନ ଅପରିହାର୍ଯ୍ୟ ।
ଅନେକ ପ୍ରକାର ଦିବସ ପାଳନ କରୁଛନ୍ତି । କିନ୍ତୁ କେବେ ସେମାନଙ୍କ ପାଇଁ ହୃଦୟରୁ ସମବେଦନାର ଲୁହ ଢାଳିଛନ୍ତି କି ! ଅକଥନୀୟ ଅତ୍ୟାଚାରର ସ୍ମୃତି ରୋମନ୍ଥନ କରିଛନ୍ତି କି ? ନା କେବଳ ମହାଜନୋ ଯେନ ଗତସ୍ୟ ପନ୍ଥା ନୀତି ଅବଲମ୍ୱନ କରି ଯଥାସମ୍ଭବ ରାଷ୍ଟ୍ରୀୟ ଦିବସ ପାଳନ କରି କର୍ତ୍ତବ୍ୟ ସମ୍ପାଦାନ କରୁଛନ୍ତି । ଯେଉଁ ଯୋଗଜନ୍ମାମାନଙ୍କର ବୀରତ୍ୱ ଓ ନିଷ୍ଠାପର ସାଧନା ଫିରଙ୍ଗୀମାନଙ୍କର ଶାସନକୁ ଦୋହଲାଇ ଦେଇଥିଲା ଏବଂ ହୃଦୟରେ ଭୀତି ସଞ୍ଚାର କରିଥିଲା । ସେମାନଙ୍କ ମଧ୍ୟରୁ ଜୟୀ ରାଜଗୁରୁ ହେଉଛନ୍ତି ଅନ୍ୟତମ । ଯାହାଙ୍କୁ ଅତି ନିର୍ମମ ଭାବେ ଏବଂ ବିଭତ୍ସ ଭାବେ ଦୁଇଫାଳ କରି ହତ୍ୟା କରାଗଲା, ସେହି ହୃଦୟ ବିଦାରକ ଦୃଶ୍ୟ ଏବେ ବି ଚିନ୍ତା କଲେ ଶଙ୍କିତ ହୃଦୟରେ ଦ୍ରୁତ ସ୍ପନ୍ଦନ ସୃଷ୍ଟି ହୁଏ । ଶରୀର ଶିହରି ଉଠେ । ଯେଉଁ ଭାରତୀୟ ସିପାହୀ ପ୍ରଥମେ ଇଂରେଜ ସରକାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସ୍ୱାଧୀନତାର ବୀଜ ବପନ କରିଥିଲେ, ଆମେ କୃତଘ୍ନ ସେମାନଙ୍କର ମହାନ୍ ତ୍ୟାଗ, ଜାତିପ୍ରେମକୁ ଉପଯୁକ୍ତ ସମ୍ମାନ ଦେଇଛନ୍ତି କି ! କିମ୍ୱା କୌଣସି ରାଷ୍ଟ୍ରୀୟ ଦିବସରେ ସେହି ଜାତିସ୍ମର ମାନଙ୍କର ସ୍ମୃତିଚାରଣ ପୂର୍ବକ ତାଙ୍କର ପ୍ରଶସ୍ତି ଗାନ କରିଛନ୍ତି କି ! କାରଣ ଆମେ ସ୍ୱାର୍ଧାନ୍ଧ ହୋଇ ନିଜକୁ ମହାନ୍ କରିବାର ସ୍ୱପ୍ନ ଦେଖୁଛନ୍ତି ।
କୌରବ ଜନନୀ ଗାନ୍ଧାରୀ ଅନ୍ଧତ୍ୱକୁ ଆପଣେଇ ନେଇ, ନିଜକୁ ମହାନତା ସଜାଇବାର ଦୁର୍ବାର ପ୍ରୟାସ କରି ଶେଷରେ ପାଇଲେ କ’ଣ ? ମୁଠାଏ ପାଉଁଶ ବ୍ୟତୀତ ଆଉ କିଛି ନୁହେଁ । ଶତପୁତ୍ରର ଜନନୀ ବଂଶନାଶର ସୂତ୍ରଧର ଭାବେ ବିଶ୍ୱର ପ୍ରତିପାଦିତ ହେଲେ । କିନ୍ତୁ ପଞ୍ଚପୁତ୍ରର ଜନନୀ ମାତା କୁନ୍ତୀ ମାତୃତ୍ୱର ମହାନ୍ ସାର୍ଥକତା ପ୍ରତିପାଦନ କରି ବିଶ୍ୱବନ୍ଦିତା ! ! ଜନନୀ ଓ ଜନ୍ମଭୂମିର ଗୌରବ ଏବଂ ଗାରିମା ପ୍ରତିଟି ଜୀବନରେ ଭରି ଦିଏ ଉଦ୍ଦାମତା, ସାହସ, ଧୈର୍ଯ୍ୟ, ଦେଶପ୍ରେମର ବହ୍ନି । ଜନ୍ମଭୂମିର ଗର୍ଭରୁ ଜାତ ପ୍ରଜ୍ୱଳିତ ଅଗ୍ନିସମ ପୂର୍ବ ସ୍ୱରୀ ଜାତୀୟ ପ୍ରତିଭାମାନଙ୍କର ସ୍ମୃତିଚାରଣ ହିଁ ଆମ ଜୀବନର ଜାତୀୟ ସଂଗୀତ । ଯାହା ଆମକୁ ଏକତ୍ୱ ସୂତ୍ରରେ ବାନ୍ଧିପାରିବ ଓ ବିଖଣ୍ଡତାରୁ ଅଖଣ୍ଡତା ଦିଗକୁ ଅଗ୍ରସର କରାଇପାରିବ । ବର୍ତ୍ତମାନର ଜାତୀୟ ସଂଗୀତ ରୂପେ ମାନ୍ୟତା ପାଇଥିବା ସଂଗୀତ ବା ରାଷ୍ଟ୍ରୀୟ ସଂଗୀତ ତାହା ଭାରତମାତାର ଗୁଣ, ଗାରିମା, ଐତିହ୍ୟ ଓ ସଂସ୍କୃତିକୁ କେତେ ବହନ କରିଛି, ତାହା ହିଁ ପ୍ରତ୍ୟେକ ଭାରତୀୟ ମାନଙ୍କର ଆତ୍ମଚିନ୍ତନ ହେବା ଉଚିତ୍ ନୁହେଁ କି !
ଜାତୀୟ ସଂଗୀତର ପ୍ରଥମ ଧାଡ଼ି ଜନଗଣଙ୍କର ମନର ଅଧିନାୟକ ଜୟ ହେ. . . ! ଏଠାରେ ଅଧିନାୟକ କହିଲେ କାହାକୁ ବୁଝାଏ । ଦ୍ୱିତୀୟ ଧାଡ଼ିରେ ଭାରତ ଭାଗ୍ୟ ବିଧାତା ଭାରତମାତା ହେଉଛନ୍ତି ଆମ ସମସ୍ତଙ୍କର ଭାଗ୍ୟଦେବୀ । ତା’ହେଲେ ଭାରତର ଭାଗ୍ୟବିଧାତା କିଏ ? ତା’ପର ପଦରେ ଭାରତର କେତୋଟି ରାଜ୍ୟ, ନଦୀ ଓ ପାହାଡ଼ର ନାମ । ଯଦି ଏହା କୌଣସି ରାଷ୍ଟ୍ର ନାୟକଙ୍କ ଉଦ୍ଦେଶ୍ୟରେ ଗାନ କରାଯାଉଥାଏ । ତା’ହେଲେ ରାଷ୍ଟ୍ରରେ କେହି ରାଷ୍ଟ୍ରନାୟିକା କ’ଣ ନାହାନ୍ତି ? ତାଙ୍କ ଉଦ୍ଦେଶ୍ୟରେ କାହିଁକି ଜାତୀୟ ସଂଗୀତ ଗାନ କରାଯିବ ନାହିଁ । ରାଷ୍ଟ୍ରୀୟ ଦିବସରେ ରାଷ୍ଟ୍ର ବନ୍ଦନା କରାଯିବା ଉଚିତ୍ କି ନୁହେଁ, ତାହା ହିଁ ଆତ୍ମଚିନ୍ତନ ହେବା ଆବଶ୍ୟକ । ନାଁ । ଭାରତ ଏକ ପୁରୁଷ ପ୍ରଧାନ ଦେଶ ଭାବେ ବିଶ୍ୱରେ ପରିଚିତ ହେବା ଆବଶ୍ୟକ ତାହା ଭାରତରେ ଜ୍ଞାନୀ, ଗୁଣୀ ଏବଂ ରାଷ୍ଟ୍ରନାୟକମାନଙ୍କର ଚିନ୍ତାର ବିଷୟ ନୁହେଁ କି ! ଜାତୀୟ ସଂଗୀତ ଗାନ କଲେ ଯଦି ପ୍ରତି ହୃଦୟରେ ଜାତୀୟତା ଭାବ ଉଦ୍ରେକ ନ ହେବ, ଜାତୀୟ ସଂଗୀତ ଗାନ କଲେ ଯଦି ହୃଦୟକେ ଜାତି ପ୍ରେମର ଫଲ୍ଗୁ ପ୍ରବାହିତ ନ ହେବ, ତାହା ଜନ୍ମଭୂମି ପ୍ରତି ଅବମାନନା ନୁହେଁ କି ! ବୀର ପ୍ରସବିନୀ ଭାରତମାତାର କ୍ରାନ୍ତିକାରୀ ମହାମାନବ ମାନଙ୍କ ପ୍ରତି ମଧ୍ୟ ଅପମାନ ନୁହେଁ କି !
ମାତୃଭୂମି ମାତୃଭାଷାରେ ମମତା
ଯା’ ହୃଦେ ଜନମୀ ନାହିଁ ।
ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନୀ ରହିବେ କାହିଁ ।
ଆମେ ଯଦି ଆମ ମାତୃଭୂମିକୁ ଯଥାର୍ଥ ସମ୍ମାନ ଦେଇ ନପାରନ୍ତି । ତା’ହେଲେ ଏ ଦେଶ ଓ ଜାତି ପ୍ରଗତିର ଚରମ ଶିଖରରେ ପହଞ୍ଚିବା ଅସମ୍ଭବ । ନାରୀ ସଶକ୍ତିକରଣ ଓ ନାରୀ ଜାଗରଣର ଡିଣ୍ଡିମ ପିଟିବା ନିରର୍ଥକ ଓ ବୃଥା ଆସ୍ଫାଳନ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଜୟହିନ୍ଦ୍ !
