ଭାରତର ପ୍ରାୟ ସବୁ ପ୍ରାନ୍ତରେ ଶାରୀରିକ ଶୋଷଣଜନିତ ମାମଲା ବୃଦ୍ଧି ପାଇଛି । ଘଟଣାର କାରଣ ଯାହା ଥାଉ ନା କାହିଁକି ଧର୍ଷଣଜନିତ ଅପରାଧିକ ମାମଲାର ତଦନ୍ତ, ଘଟଣା ଓ ମତାମତ ଭିନ୍ନ ମୋଡ ନେବାର ମଧ୍ୟ ପରିଲକ୍ଷିତ ହେଉଛି । ଅବଶ୍ୟ ପୁରୁଷର ନିର୍ମମତା ଏତେ ବୃଦ୍ଧିପାଇଛି ଯେ ଶିଶୁକନ୍ୟା ହେଉ କି ସତୁରୀ କି ଅଶୀ ବର୍ଷ ବୟସର ବୃଦ୍ଧା କେହି ବି ବାଦ୍ ପଡିନାହାନ୍ତି ତା ଆସୁରିକ ପ୍ରବୃତ୍ତିରୁ । ଏହା ପ୍ରଚ୍ଛଦରେ କାରଣ ଯାହା ହୋଇଥାଉ ଧର୍ଷଣ ଓ ହତ୍ୟା ଭଳି ଅପରାଧିକ ମାମଲାର ସଂଖ୍ୟାବୃଦ୍ଧି ଆମ ପାଇଁ ସତର୍କ ଘଣ୍ଟି । ଯାହା ସମାଜର ରୁଗ୍ଣ ଚେହେରାକୁ ପଦାରେ ପକାଇଛି । ଅବଶ୍ୟ ଏଥିପାଇଁ କଠୋର ନୀତିନିୟମ ପ୍ରଣୟନ କରାଯାଇଛି । ବୟସ ଅନୁସାରେ ଦଣ୍ଡବିଧିରେ ପରିବର୍ତ୍ତିତ ହୋଇଛି । ୨୦୧୨ରେ ଓଡିଶାରେ ପୋକ୍ସୋ ନୀତି ଅନ୍ତର୍ଗତ ଶିଶୁକନ୍ୟାମାନଙ୍କୁ ଶାରୀରିକ ଶୋଷଣରୁ ରକ୍ଷା କରିବା ସହିତ ଆସାମୀ ଉଦ୍ଧେଶ୍ୟରେ କଠୋର ଦଣ୍ଡବିଧାନ କରାଯାଇଛି ।
ଏହି ସଂକ୍ରାନ୍ତରେ ଧାରା ୩୭୬ ମଧ୍ୟ ଖୁବ୍ ଉପାଦେୟ । ଆଲୋଚିତ ଧାରା ଅନୁସାରେ ଯଦି କେହି ପୁରୁଷ ଜୋର୍ ଜବରଦସ୍ତି କୌଣସି ମହିଳା ସହିତ ଶାରୀରିକ ସଂପର୍କ ରଖେ ତେବେ ତାହା ବଳାତ୍କାର ଶ୍ରେଣୀରେ ଯାଏ । ତେବେ ସ୍ଥାନ କାଳ ପାତ୍ର ଅନୁସାରେ ତର୍ଜମା କଲାପରେ ବିଭିନ୍ନ ପ୍ରକାରର ମତ ଓ ମନ୍ତବ୍ୟ ସାମ୍ନାକୁ ଆସୁଛି । ମାନ୍ୟବର କୋର୍ଟଙ୍କ ରାୟ ମଧ୍ୟ ତଦନୁରୂପ ବଦଳିଯାଉଛି । ସେଥିପାଇଁ ପାରିପାର୍ଶିକ ସ୍ଥିତିକୁ ଦାୟୀ କରାଯାଇପାରେ । ଆଇନ୍ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ୍ । ଗୋଟେ ଛୋଟପିଲାର ତତ୍ତ୍ୱାବଧାନକୁ ନେଇ ଭାରତୀୟ ପିଙ୍ଗଳ କୋଡ୍ ଧାରା ୩୭୬ ଉପରେ ମାନ୍ୟବର କେରଳ ହାଇକୋର୍ଟ ଚିନ୍ତା ପ୍ରକଟ କରି କହିଛନ୍ତି- ଧର୍ଷଣ ଭଳି ମାମଲାକୁ ଲିଙ୍ଗଗତ ନିରପେକ୍ଷତା ଅନୁସାରେ ଦେଖିବା ଉଚିତ୍ । ମାନ୍ୟବର ବିଚାରପତି ଏ ମୁହମ୍ମଦ ମୁସ୍ତାକଙ୍କ ଅନୁସାରେ ଏହି ଧାରାରେ ଲିଙ୍ଗଗତ ନିରପେକ୍ଷତା ନାହିଁ । ଯଦି କେହି ମହିଳା ବିବାହର ପ୍ରତିଶ୍ରୁତି ଦେଇ ଠକାମି କରେ ତେବେ ତା ଉପରେ କେଶ୍ ହୁଏନାହିଁ । କିନ୍ତୁ ସେହି ଅପରାଧକୁ ନେଇ ପୁରୁଷ ଉପରେ କେଶ ଦାୟର୍ କରାଯାଇପାରେ ।
ଆଉ ଏକ କେଶ୍ ଉପରେ ମାନ୍ୟବର କେରଳ ହଇକୋର୍ଟର ନ୍ୟାୟମୂର୍ତ୍ତି ବେଚୁ କୁରିୟନ୍ ଥୋମାସ୍ ମତ ଦେଇଥିଲେ- ଦୁଇ ଲୋକଙ୍କ ସମ୍ମତି ଆଧାରରେ ସ୍ଥାପିତ ହୋଇଥିବା ଶାରୀରିକ ସଂପର୍କ ଯଦି ବିବାହରେ ପରିବର୍ତ୍ତିତ ହୋଇପାରିଲାନାହିଁ ତେବେ ଏହାକୁ ବଳାତ୍କାର କୁହାଯିବ ନାହିଁ । ସେହିପରି ମାନ୍ୟବର ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଜଜ୍ ରବି ଚୀମାଲାପତିଙ୍କ ଅନୁସାରେ- ଆପୋଷ ସହମତିର ସଂପର୍କ ଆଗକୁ ଯାଇ ବିଫଳ ହେଲେ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୩୭୬(୨) (ଏନ୍) ଅନୁସାରେ ବଳାତ୍କାର ପରି ଅପରାଧିକ ମାମଲା ଦାୟର୍ କରାଯିବା ଆଧାର ହୋଇପାରିବନାହିଁ ।
ଆଜତକ୍ର ଖବର ଅନୁସାରେ ମାନ୍ୟବର ସୁପ୍ରିମ୍ କୋର୍ଟ ଆଗୁଆ ଜାମିନ୍ ଦେବା ମାମଲାରେ ଶୁଣାଣି କରିଥିଲେ- ଯଦି କେହି ମହିଳା କୌଣସି ପୁରୁଷ ସହିତ ସ୍ୱଇଚ୍ଛାରେ ରହୁଛି ଓ ଏହି ସମୟରେ ଶାରୀରିକ ସଂପର୍କ ସ୍ଥାପିତ ହୋଇଛି, କ୍ରମଶଃ ସଂପର୍କ ଭାଂଗିଯିବା ପରେ ସଂପୃକ୍ତ ମହିଳା ସେ ପୁରୁଷ ଉପରେ ବଳାତ୍କାର କେଶ୍ ଦାୟର କରିପାରିବ ନାହିଁ । ଆଉମଧ୍ୟ ଅନ୍ୟଏକ ମାମଲାର ଶୁଣାଣିରେ ବମ୍ବେ ହାଇକୋର୍ଟ ଶୁଣାଣି କରିଥିଲେ- ଆପୋଷ ବୁଝାମଣାରେ ଦୀର୍ଘ ସମୟ ଧରି ଶାରୀରିକ ସଂପର୍କରେ ରହିବା ପରେ ଯଦି ବିବାହ ନକରେ ତେବେ ତାକୁ ଠକାମି କୁହାଯିବନାହିଁ । ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିବା ଭଳି ମାମଲା କ୍ରମଶଃ ବୃଦ୍ଧି ପାଉଥିବାରୁ ମାନ୍ୟବର ସୁପ୍ରିମ୍ କୋର୍ଟ କହିଛନ୍ତି- ସାବାଳିକା ବା ଯୁବତୀମାନେ ଯଦି ବିବାହ ପ୍ରଲୋଭନରେ ଶାରୀରିକ ସଂପର୍କ ରଖିବାର ଅନୁମତି ଦିଅନ୍ତି ତେବେ ଏଥିରେ ସେ ଝିଅର ସମ୍ମତି ରହିଛି ବୋଲି କୁହାଯିବ । ୟାକୁ ବଳାତ୍କାର କୁହାଯିବନାହିଁ । ( ଲାଇଭ୍ ହିନ୍ଦୁସ୍ଥାନ)
ଏଭଳି ଭାରତର ବିଭିନ୍ନ ଅଦାଲତରେ ମାମଲାର ପ୍ରାସଙ୍ଗିକତା ଦୃଷ୍ଟିରୁ ଭିନ୍ନ ଭିନ୍ନ ରାୟ ଆସିଛି । ଯଦି ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ଶୋଷଣ କରିବା ବଳାତ୍କାର ନୁହେଁ ତେବେ ଠକାମି ହେବ କି ନାହିଁ? ମୁମ୍ବଇ ଉଚ୍ଚ ନ୍ୟାୟାଳୟଙ୍କ ଅନୁସାରେ- ଭାରତୀୟ ପିଙ୍ଗଳ କୋଡ୍ ଅନୁସାରେ ଜାଣିଶୁଣି ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ଶୋଷଣ କଲେ ଠକାମୀ ଅନୁସାରେ ଦଣ୍ଡନୀୟ ଅପରାଧ । ସେହିପରି ପାଟ୍ନାର ଉଚ୍ଚ ନ୍ୟାୟାଳୟଙ୍କ ଅନୁସାରେ ଏଭଳି ମାମଲା ବଳାତ୍କାର ନୁହେଁ ଠକାମୀ ଆଧାରରେ ହେବା ଉଚିତ୍ ହେବ ।
ଏ କିଛିଦିନ ତଳେ ଜାନୁଆରୀ ୨୦୨୩ରେ ଓଡିଶାର ମାନ୍ୟବର ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି- କେତେକ କ୍ଷେତ୍ରରେ ମହିଳାମାନେ ସ୍ୱଇଚ୍ଛାରେ ସଂପର୍କ ରଖିଛନ୍ତି । ତେଣୁ ଏଠାରେ ଦୁଷ୍କର୍ମ ସଂକ୍ରନ୍ତୀୟ ଆଇନ୍ ବ୍ୟବହାର କରିବା ଅନୁଚିତ୍ । ଅବଶ୍ୟ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ଓ ଦୁର୍ବଳବର୍ଗର ଝିଅମାନଙ୍କୁ ପୁରୁଷମାନେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ସ୍ଥାପିତ କରୁଛନ୍ତି । କିନ୍ତୁ ଦୁଷ୍କର୍ମ ସଂପର୍କିତ ଆଇନ ଅଧିକାଂଶ କ୍ଷେତ୍ରରେ ପୀଡିତାଙ୍କ ଦୁର୍ଦ୍ଧଶାକୁ ପ୍ରତିହତ କରିବାରେ ବିଫଳ ହେଉଛି ।
ସ୍ଥିତି ଅନୁସାରେ ବିଚାର ହେଉଥିବାରୁ ସମାନ ନିଷ୍କର୍ଷ ବାହାରିବା ଅସଂଭବ । କେଉଁଠି ପାରସ୍ପରିକ ସହମତିରେ ସଂପର୍କ ସ୍ଥାପିତ ହେଲା ପରେ ପରିବାରର ଅରାଜି ଯୋଗୁଁ ବିବାହ ହୋଇପାରେନାହିଁ ତ ଆଉ କେଉଁଠି ଦାରିଦ୍ର୍ୟ ଓ ଅସହାୟତାର ସୁଯୋଗ ନେଇ ପୁଅଟିଏ ଝିଅ ଉପରେ ଚାପ ବନାଏ ଶାରୀରିକ ସଂପର୍କ ସ୍ଥାପନ କରିବାପାଇଁ । ଏଭଳି ସଂବେଦନଶୀଳ ସ୍ଥିତିରେ ପୁରୁଷଟିଏ ଛଳନାର ଆଶ୍ରୟ ନେଇ ଇଚ୍ଛାନୁସାରେ ମହିଳାଟିକୁ ବ୍ୟବହାର କଲାପରେ ବିବାହ ପାଇଁ ରାଜି ହୁଏନାହିଁ । ଏହା ବଳାତ୍କାର ମାମଲା ରୂପେ ପ୍ରତୀୟମାନ ନହେଉଥିଲେ ମଧ୍ୟ ଝିଅଟି ଉପରେ ମାନସିକ ଚାପ ପକାଯାଇଥାଏ ।
ଏକଥା ମଧ୍ୟ ସତ୍ୟ ଯେ ଆଜିକାଲିର ଦୁନିଆରେ ଝିଅମାନେ ବିଚାରୀ ନୁହଁନ୍ତି । ସେମନେ ପ୍ରତିବାଦ କରିଜାଣନ୍ତି । କାରଣ ସେମାନଙ୍କ ସୁବିଧା ପାଇଁ ବହୁ ପ୍ରକାରର ନୀତିନିୟମ ପ୍ରଣୟନ କରାଯାଇଛି । ତେଣୁ ଶାରୀରିକ ସଂପର୍କ ରଖିବା ପୂର୍ବରୁ ଭଲଭାବେ ଭାବିବା ଉଚିତ୍ । କାହାର ନିକଟତର ହେଲାବେଳେ ସଂପର୍କର ଆଧାର କଣ ନିଜକୁ ପ୍ରଶ୍ନ କରିବା ଉଚିତ୍ । ଅନ୍ୟଥା ସଂପର୍କ ଭାଂଗିଯିବା ପରେ ବୃଥା ଆରୋପ ପ୍ରତ୍ୟାରୋପ କରି ପୁଅଘର ଆଗରେ ଧାରଣା ଦେବା ବା ନ୍ୟାୟ ଆଶାରେ ସାମାଜିକ ଗଣମାଧ୍ୟମରେ ଏଣୁତେଣୁ କଥା କହି ନିଜକୁ ସଚ୍ଚୋଟ ଦେଖାଇ ସମାଜକୁ ଭ୍ରମିତ କରିବା ଅନୁଚିତ୍ । ଦୋଷୀକୁ ଦଣ୍ଡ ମିଳିବା ଉଚିତ୍ । ଯଦି ପୁଅ ଦୋଷୀ ହୋଇଥାଏ ତେବେ ଆଇନ୍ ବ୍ୟବସ୍ଥା ଦ୍ୱାରା ତାକୁ ଦଣ୍ଡ ମିଳୁ । ତା ବାପାମାଆ, ଜେଜେବାପା ଜେଜେମାଆ ଓ ପୁରା ପରିବାରକୁ ଅଯଥାରେ ହଇରାଣ କରିବା ଅନୁଚିତ୍ । ବରଂ ଏହା ବିରୋଧରେ ନିୟମ ପ୍ରଣୟନ ହେଉ । ବରିଷ୍ଠ ନାଗରିକ ହୋଇଥିବାରୁ ସେ ଆଧାରରେ ସେମାନଙ୍କୁ ହଇରାଣ ହରକତ କରିବା ମଧ୍ୟ ଅପରାଧିକ କାର୍ଯ୍ୟକଳାପ ରୂପେ ବିବେଚିତ ହେବା ଉଚିତ୍ । ନହେଲେ ସେ ଦିନ ବାକିନାହିଁ ଯେବେ ପ୍ରାୟ ଅଧିକାଂଶ ଲୋକଙ୍କ ଘର ଆଗରେ ଝିଅବୋହୂମାନେ ମାସମାସ ଧରି ବସି ରହି ନ୍ୟାୟ ମାଗୁଥିବାର ଦେଖାଯିବ । ଯାହାଦ୍ୱାରା ସାମାଜିକ ବିଶୃୃଂଖଳା ସୃଷ୍ଟି ହେବାର ସଂଭାବନା ରହିଛି । ସମାଜ ପାଇଁ ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ ରହିଛି । ତେଣୁ ପ୍ରତିବାଦର ସ୍ୱର ଉଠିବା ଆବଶ୍ୟକ ।
ତେବେ ଏହି ୩୭୬ ଧାରା ପୁରୁଷମାନଙ୍କ ବିରୋଧରେ ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି ବୋଲି ଅନେକଙ୍କ ମତ । ଧାରାଗୁଡିକ ସାମାଜିକ ଶୃଙ୍ଖଳା ପାଇଁ ଗଢାହୁଏ । ଆଇନ୍ ମଧ୍ୟ ଜାତିଧର୍ମବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ହେବା ଆବଶ୍ୟକ । ସେଥିପାଇଁ ସ୍ତ୍ରୀ ପୁରୁଷ ଉଭୟ ସଚେତନ ହେବା ଜରୁରୀ ।
