ପ୍ରବନ୍ଧ

ମହାନ ଦାର୍ଶନିକ ସର୍ବପଲ୍ଲୀ ରାଧାକୃଷ୍ଣନ

Shri Nihar Ranjan Sabat's Odia Prose Mahaan Daarshanika Sarvepalli Radhakrishnan

ଗାନ୍ଧିଜୀଙ୍କ ପରାମର୍ଶ କ୍ରମେ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଦ୍ୱାରା ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟରେ କୁଳପତି ପଦ ମଣ୍ଡନ କରିବା ନିମନ୍ତେ ଆମନ୍ତ୍ରିତ ହୋଇ ଡକ୍ଟର ରାଧାକୃଷ୍ଣନ ୧୯୩୯ ମସିହାରୁ ୧୯୪୮ ମସିହା ପର୍ଯ୍ୟନ୍ତ ସେଠାରେ କୁଳପତି ଦାୟିତ୍ୱ ତୁଲାଇଥଲେ ।

ମହାନ ଦାର୍ଶନିକ ସର୍ବପଲ୍ଲୀ ରାଧାକୃଷ୍ଣନ

ଆଧୁନିକ ଭାରତରେ ଯେଉଁ ମହାପୁରୁଷ ମାନେ ଦେଶ ଓ ଜାତିର ଉନ୍ନତି ପାଇଁ , ଗୌରବ ବୃଦ୍ଧି ପାଇଁ କାର୍ଯ୍ୟ କରିଯାଇଛନ୍ତି ସେମାନଙ୍କ ମଧ୍ୟରେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଅନ୍ୟତମ । ପିତା ସର୍ବପଲ୍ଲୀ ବୀରସ୍ୱାମୀ ଏବଂ ମାତା ସୀତାମ୍ମାଙ୍କ କୋଳମଣ୍ଡନ କରି ସେ ତତ୍କାଳୀନ ଭାରତବର୍ଷର ମାନ୍ଦ୍ରାଜ ପ୍ରଦେଶ ଅନ୍ତର୍ଗତ ତିରୁତାନି ଗ୍ରାମରେ ଏକ ତେଲୁଗୁ ନିୟୋଗୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ୧୮୮୮ ମସିହା ସେପ୍ଟେମ୍ବର ମାସର ପାଞ୍ଚ ତାରିଖରେ । ତାଙ୍କ ପୂର୍ବଜ ମାନେ ଆନ୍ଧ୍ର ପ୍ରଦେଶ ନେଲୋର ଜିଲ୍ଲା ଅନ୍ତର୍ଗତ ସର୍ବପଲ୍ଲୀ ଗ୍ରାମର ଅଧିବାସୀ ହୋଇଥିବାରୁ, ତାଙ୍କ ପରିବାରର ସଦସ୍ୟମାନେ ନାମ ପୂର୍ବରୁ ସର୍ବପଲ୍ଲୀ ଶବ୍ଦ ଲେଖୁଥିଲେ । ପିତା ଥିଲେ ସ୍ଥାନୀୟ ଜମିଦାରଙ୍କ ଅଧସ୍ତନ ରାଜସ୍ୱ କର୍ମଚାରୀ ।

ବାଲ୍ୟାବସ୍ଥାରେ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା ସ୍ଥାନୀୟ କେ.ଭି ଉଚ୍ଚ ବିଦ୍ୟାଳୟରେ । ୧୯୦୬ ମସିହାରେ ସେ ତିରୁପତି ସ୍ଥିତ ହର୍ମନ୍ସବର୍ଗ ଇଭାଙ୍ଗେଲିକାଲ ଲୁଥେରାନ ମିଶନ ବିଦ୍ୟାଳୟରେ ନାମ ଲେଖାଇ ତତ୍ପରେ ୱାଲାଜାପେଟ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ସମାପ୍ତ କରିଥିଲେ ମାଧ୍ୟମିକ ଶିକ୍ଷା । ଭେଲୋର ସ୍ଥିତ ଭୁରିସ ମହାବିଦ୍ୟାଳୟରୁ ଏଫ.ଏ(ଫାଷ୍ଟ ଅଫ ଆର୍ଟ୍ସ) ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇ ଷୋହଳ ବର୍ଷ ବୟସରେ ଉଚ୍ଚଶିକ୍ଷା ପାଇଁ ମାନ୍ଦ୍ରାଜରେ ଥିବା ଖ୍ରୀଷ୍ଟିୟାନ ମହାବିଦ୍ୟାଳୟରେ ଯୋଗ ଦେଇ ୧୯୦୭ ମସିହାରେ ଦର୍ଶନ ଶାସ୍ତ୍ର ବିଷୟରେ ସ୍ନାତକ ଏବଂ ୧୯୦୯ ମସିହାରେ ସ୍ନାତକୋତ୍ତର ଉପାଧି ଲାଭ କରିଥିଲେ । ଗଣିତ ଶାସ୍ତ୍ରରେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଥିଲେ ମଧ୍ୟ ପରିବାରର ଦୁର୍ବଳ ଆର୍ଥିକ ପରିସ୍ଥିତି ତାଙ୍କୁ ବାଧ୍ୟ କରିଥିଲା କଳାକ୍ଷେତ୍ରରେ ଦର୍ଶନ ଶାସ୍ତ୍ର ବିଷୟରେ ଅଧ୍ୟୟନ କରିବାକୁ । ସମଗ୍ର ଛାତ୍ର ଜୀବନରେ ନିଜ ମେଧାଶକ୍ତି ବଳରେ ସେ ଛାତ୍ରବୃତ୍ତି ପାଉଥିଲେ । ଅଧ୍ୟୟନ ଶେଷ ହେବା ପୂର୍ବରୁ ୧୯୦୪ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଶିବକାମୁଙ୍କ ସହ । ସେ ପାଞ୍ଚଜଣ କନ୍ୟା ଓ ଜଣେ ପୁତ୍ର ସନ୍ତାନର ପିତା ଥିଲେ ।

ଛାତ୍ରଜୀବନ ଶେଷ ହେବା ପରେ ୧୯୦୯ ମସିହା ଅପ୍ରେଲ ମାସରେ ସେ ଦର୍ଶନ ଶାସ୍ତ୍ର ବିଷୟର ଅଧ୍ୟାପକ ରୂପେ ନିଯୁକ୍ତି ପାଇଥିଲେ ମାନ୍ଦ୍ରାଜ ସ୍ଥିତ ପ୍ରେସିଡ଼େନ୍ସି ମହାବିଦ୍ୟାଳୟରେ । ଖ୍ରୀଷ୍ଟିୟାନ ମିଶନାରୀ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷା ଲାଭ କରିଥିବାରୁ ତାଙ୍କର ଇଂରାଜୀ ଭାଷାରେ ଥିଲା ଗଭୀର ଜ୍ଞାନ । ଇଂରାଜୀରେ ତାଙ୍କର ଆକର୍ଷଣୀୟ ଶିକ୍ଷାଦାନ ଶୈଳୀରେ ମୁଗ୍ଧ ହୋଇ ଜଣେ ଛାତ୍ର ତାଙ୍କୁ ପଚାରିଲେ, ” ମହାଶୟ , ଆପଣ ବିଦେଶରେ ପାଠ ପଢ଼ିଛନ୍ତି କି ? ” । ଉତ୍ତରରେ ରାଧାକୃଷ୍ଣନ କହିଲେ , “ମୁଁ ବିଦେଶରେ ପଢି ନାହିଁ କିନ୍ତୁ ବିଦେଶକୁ ପଢ଼ାଇବାକୁ ଯିବି ” । ସେ ରହୁଥିଲେ ସବୁବେଳେ ଗମ୍ଭୀର ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ । ଶ୍ରେଣୀର ପ୍ରତ୍ୟେକ ଛାତ୍ର ବିଷୟରେ ସେ ବ୍ୟକ୍ତିଗତ ଭାବରେ ଜାଣୁଥିଲେ ଏବଂ ମନେ ରଖୁଥିଲେ । ଅଧ୍ୟାପକ ଭାବରେ କାର୍ଯ୍ୟ କରିବାର ଅଳ୍ପକାଳ ମଧ୍ୟରେ ନିଜର ଅଧ୍ୟବସାୟ, ପ୍ରତିଭା ବଳରେ ଦର୍ଶନ ଶାସ୍ତ୍ର ବିଷୟରେ ଡକ୍ଟରେଟ ଉପାଧି ଲାଭ କରିଥିଲେ । ତାଙ୍କ ମତରେ “Teachers should be the best mind in the country” ।

୧୯୧୮ ମସିହାରେ ସେ ମହୀଶୂର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରାଧ୍ୟାପକ ଭାବରେ ମନୋନୀତ ହୋଇ, ଏହା ଅଧୀନରେ ଥିବା ମହାରାଜା ମହାବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ କରିଥିଲେ । ସେତେବେଳକୁ “The Quest”, “Journal of the Philosophy”, ଏବଂ “Journal of Ethics” ପରି ଆନ୍ତର୍ଜାତୀୟ କ୍ଷାତି ସମ୍ପନ୍ନ ପତ୍ରିକାରେ ତାଙ୍କ ଲେଖାଗୁଡ଼ିକ ପ୍ରକାଶିତ ହେଲାଣି । ମହୀଶୂର ଅବସ୍ଥାନ କାଳରେ ତାଙ୍କର ପ୍ରଥମ ପୁସ୍ତକ “The Philosophy of Rabindranath Tagore ” ର ରଚନା ସମ୍ପୂର୍ଣ୍ଣ ହୋଇଥିଲା । ତାଙ୍କର ବିଶ୍ୱାସ ଥିଲା ଯେ ଗୁରୁଦେବ ରବିନ୍ଦ୍ରନାଥଙ୍କ ଦର୍ଶନ ହେଉଛି ଭାରତୀୟତାର ଆତ୍ମା । ସେଠାରେ ତାଙ୍କର ଦ୍ଵିତୀୟ ପୁସ୍ତକ “The Reign Of Religion In Contemporary Philosophy” ୧୯୨୦ରେ ପ୍ରକାଶିତ ହୋଇଥିଲା । ୧୯୨୧ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗରେ କିଙ୍ଗ ଜର୍ଜ ଭି ଚେୟାର ଅଳଙ୍କୃତ କରିବାକୁ ନିଯୁକ୍ତି ପାଇଥିଲେ ପ୍ରାଧ୍ୟାପକ ଭାବରେ । କଲିକତା ବିଶ୍ୱବିଦ୍ୟାଳୟରେ ଯୋଗ ଦେବାକୁ ଗଲା ବେଳେ ମହୀଶୂର ବିଶ୍ୱବିଦ୍ୟାଳୟରେ ତାଙ୍କୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା । ବିଶ୍ୱବିଦ୍ୟାଳୟରୁ ରେଳଷ୍ଟେସନ୍କୁ ସେ ଯାଉଥିବା ଘୋଡାଗାଡିକୁ ଛାତ୍ରମାନେ ନିଜେ ଟାଣି ନେଇଥିଲେ ଏବଂ ପ୍ରିୟ ଶିକ୍ଷକଙ୍କୁ ଦେଇଥିଲେ ଅଶ୍ରୁଳ ବିଦାୟ । କଲିକତା ବିଶ୍ୱବିଦ୍ୟାଳୟର କାର୍ଯ୍ୟକାଳ ମଧ୍ୟରେ ୧୯୨୬ ମସିହା ଜୁନ ମାସରେ ଇଂରେଜ ସାମ୍ରାଜ୍ୟାଧୀନ ବିଶ୍ୱବିଦ୍ୟାଳୟ ସମୂହର ସମ୍ମିଳନୀ ଏବଂ ସେହିବର୍ଷ ସେପ୍ଟେମ୍ବର ମାସରେ ହାବାର୍ଡ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ଦର୍ଶନ ଶାସ୍ତ୍ର ସମ୍ମିଳନୀରେ କଲିକତା ବିଶ୍ୱବିଦ୍ୟାଳୟର ପ୍ରତିନିଧିତ୍ୱ କରିଥିଲେ । ୧୯୨୯ ମସିହାରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମାଞ୍ଚେଷ୍ଟର ମହାବିଦ୍ୟାଳୟ ଦ୍ୱାରା ନିମନ୍ତ୍ରିତ ହୋଇ ହିବର୍ଟ ବକ୍ତୃତାମାଳାରେ ” Ideals of Life ” ବିଷୟରେ ଭାଷଣ ଦେଇଥିଲେ । ମାଞ୍ଚେଷ୍ଟର ମହାବିଦ୍ୟାଳୟର ଅଧ୍ୟକ୍ଷ ଯେ.ଏଷ୍ଟଲିନ କାର୍ପେଣ୍ଟରଙ୍କ ସ୍ଥାନରେ ନିମନ୍ତ୍ରିତ ହୋଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଛାତ୍ର ମାନଙ୍କୁ “Comparative Religion” ବିଷୟ ଉପରେ ବ୍ୟାଖ୍ୟାନ ଦେବା ପାଇଁ ପାଇଥିଲେ ଅବସର । ୧୯୩୧ ମସିହାରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟରେ କୁଳପତି ଭାବରେ ମନୋନୀତ ହୋଇ ୧୯୩୬ ମସିହା ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରିଥିଲେ । କୁଳପତି ଭାବରେ ସେ ବିଶ୍ୱବିଦ୍ୟାଳୟରେ ଆଣିଥିଲେ ଅନେକ ସଂସ୍କାର । ଅଲଗା ରୋଷେଇ ବନ୍ଦ କରି ଛାତ୍ରାବାସରେ ସମସ୍ତ ଛାତ୍ରମାନଙ୍କ ନିମନ୍ତେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ କରାଇଥିଲେ ଏକତ୍ର ରୋଷେଇ ଏବଂ ଭୋଜନ ବ୍ୟବସ୍ଥା । ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୧୯୩୧ ମସିହା ଜୁନ ମାସରେ ଇଂଲଣ୍ଡର ରାଜା ପଞ୍ଚମଜର୍ଜଙ୍କ ଜନ୍ମଦିନ ସମ୍ମାନ ଭାବରେ ଭାରତର ଗଭର୍ଣ୍ଣର ଜେନେରାଲଙ୍କ ଦ୍ୱାରା “Knight” ଉପାଧିରେ ଭୂଷିତ ହୋଇଥିଲେ । ୧୯୩୬ ମସିହାରେ ସେ “ପ୍ରାଚ୍ୟ ଦର୍ଶନ ଓ ନୀତି” ବିଷୟରେ ପ୍ରାଧ୍ୟାପକ ଭାବରେ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ମନୋନୀତ ହୋଇ ଗବେଷକ ଭାବରେ କାର୍ଯ୍ୟ କରିଥିଲେ ଅଲ ସୋଲସ ମହାବିଦ୍ୟାଳୟରେ । ସେହିବର୍ଷ ଏବଂ ୧୯୩୭ ମସିହାରେ ତାଙ୍କ ନାମ ନାମିତ ହୋଇଥିଲା ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ନିମନ୍ତେ ।

ସନାତନ ଧର୍ମ, ମହାନ ହିନ୍ଦୁ ପରମ୍ପରା ଓ ସଂସ୍କୃତିକୁ ନେଇ ସେ ଥିଲେ ସବୁବେଳେ ଗର୍ବିତ । ହିନ୍ଦୁତ୍ୱର ମହାନତା ବିଷୟରେ ଅଜ୍ଞ ତତ୍କାଳୀନ ପାଶ୍ଚାତ୍ୟ ସମାଜରେ ହିନ୍ଦୁ ଧର୍ମ ପ୍ରତି ହେଉଥିବା ଅଯଥା ସମାଲୋଚନା ବିରୋଧରେ ହିନ୍ଦୁ ଧର୍ମ ସପକ୍ଷରେ ନିଜ ଦୃଢ଼ ଯୁକ୍ତି ଉପସ୍ଥାପନ କରି ମହାନ ସନାତନ ହିନ୍ଦୁ ଧର୍ମର ସମ୍ମାନ ରଖିବାକୁ ସେ ନିରବଛିନ୍ନ ଭାବରେ ଥିଲେ ପ୍ରୟାସୀ ।

ଗାନ୍ଧିଜୀଙ୍କ ପରାମର୍ଶ କ୍ରମେ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଦ୍ୱାରା ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟରେ କୁଳପତି ପଦ ମଣ୍ଡନ କରିବା ନିମନ୍ତେ ଆମନ୍ତ୍ରିତ ହୋଇ ଡକ୍ଟର ରାଧାକୃଷ୍ଣନ ୧୯୩୯ ମସିହାରୁ ୧୯୪୮ ମସିହା ପର୍ଯ୍ୟନ୍ତ ସେଠାରେ କୁଳପତି ଦାୟିତ୍ୱ ତୁଲାଇଥଲେ । ୧୯୪୨ ମସିହାରେ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନରେ ଛାତ୍ର ମାନଙ୍କର ସମ୍ପୃକ୍ତିକୁ ସେ ପସନ୍ଦ କରୁନଥିଲେ ମଧ୍ୟ ଆବଶ୍ୟକ ସ୍ଥଳେ ଆନ୍ଦୋଳନକାରୀ ଛାତ୍ରଙ୍କୁ ତତ୍କାଳୀନ ଇଂରେଜ ସରକାରଙ୍କ କାର୍ଯ୍ୟାନୁଷ୍ଠାନରୁ ରକ୍ଷା କରିବା ନିମନ୍ତେ ପରୋକ୍ଷଭାବରେ ଥିଲେ ପ୍ରୟାସରତ ।

୧୯୧୫ ମସିହାରେ ମାନ୍ଦ୍ରାଜର ପ୍ରେସିଡେନ୍ସି ମହାବିଦ୍ୟାଳୟରେ କାର୍ଯ୍ୟ କରିବା ସମୟରେ ଜଣେ ସମାଜ ସେବୀ ବନ୍ଧୁ ଜି.ଏ ନଟେସନଙ୍କ ଘରେ ଗାନ୍ଧିଜୀଙ୍କ ସହ ହୁଏ ତାଙ୍କର ପ୍ରଥମ ସାକ୍ଷାତ । କଥା ପ୍ରସଙ୍ଗରେ ଗାନ୍ଧିଜୀ କହିଲେ ଯେ ” ଆମେମାନେ ଗାଈ କ୍ଷୀର ପିଇବା ଅନୁଚିତ କାରଣ ତାହା ଗୋ ମାଂସର ନିର୍ଯ୍ୟାସ ” । ଉତ୍ତରରେ ଡକ୍ଟର ରାଧାକୃଷ୍ଣନ କହିଲେ ” ସେହି ହିସାବରେ ସବୁ ମଣିଷ ହେଉଛନ୍ତି ନରଭକ୍ଷୀ କାରଣ ସମସ୍ତେ ଜନ୍ମ ପରେ ମା କ୍ଷୀର ଖାଇ ବଡ ହୋଇଥାନ୍ତି ” । ସେତେ ବେଳକୁ ସେ ଜଣେ ପ୍ରତିଭାବାନ ଦର୍ଶନ ଶାସ୍ତ୍ର ଅଧ୍ୟାପକ ଭାବରେ ପ୍ରସିଦ୍ଧି ଲାଭ କଲେଣି ଏବଂ ତାଙ୍କ ପରିଚୟ ବନ୍ଧୁ ନଟେସନ ଗାନ୍ଧିଜୀଙ୍କୁ ଦେଇଥିଲେ । ଗାନ୍ଧିଜୀଙ୍କ ପ୍ରତି ତାଙ୍କର ଥିଲା ଅଶେଷ ଶ୍ରଦ୍ଧା, ସ୍ନେହ ଓ ସମ୍ମାନ । ଗାନ୍ଧିଜୀଙ୍କ ୭୦ତମ ଜୟନ୍ତୀରେ ସେ ଗାନ୍ଧୀଙ୍କ ଜୀବନୀ ଆଧାରିତ ପୁସ୍ତକ ରଚନା କରି ଉପହାର ଦେଇଥିଲେ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୁଳପତି ଥିବା ବେଳେ ବିଶ୍ୱ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହରେ ତତ୍କାଳୀନ ପରାଧୀନ ଭାରତର ଗଭର୍ଣ୍ଣର ଜେନେରାଲ କିମ୍ବା ଭାଇସରାୟଙ୍କ ବଦଳରେ ଗାନ୍ଧିଜୀଙ୍କୁ ନିମନ୍ତ୍ରଣ କରିଥିଲେ ମୁଖ୍ୟ ଅତିଥିରୂପେ ।

ଦେଶ ସ୍ୱାଧୀନତା ଲାଭକଲା ବେଳକୁ ଡକ୍ଟର ରାଧାକୃଷ୍ଣନ ୧୯୪୬ ମସିହାରୁ ୧୯୫୨ ମସିହା ପର୍ଯ୍ୟନ୍ତ ସଂଯୁକ୍ତ ରାଷ୍ଟ୍ର ଶୈକ୍ଷିକ, ବୈଜ୍ଞାନିକ ଓ ସାଂସ୍କୃତିକ ସଙ୍ଗଠନରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ୧୯୪୯ ମସିହାରୁ ୧୯୫୨ ମସିହା ପର୍ଯ୍ୟନ୍ତ ସୋଭିଏତ ୟୁନିଅନରେ ଭାରତର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରି ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ଆଣିବା ନିମନ୍ତେ ହୋଇଥିଲେ ପ୍ରୟାସୀ, ନିଜ ବ୍ୟକ୍ତିତ୍ୱ ତଥା କାର୍ଯ୍ୟଦକ୍ଷତା ବଳରେ ତତ୍କାଳୀନ ଋଷ ରାଷ୍ଟ୍ରମୁଖ୍ୟ ଜେ. ଭି ଷ୍ଟାଲିନଙ୍କ ପ୍ରିୟପାତ୍ର ହୋଇ କାଶ୍ମୀର ପ୍ରସଙ୍ଗରେ ଭାରତ ପାଇଁ ହାସଲ କରିଥିଲେ ଋଷର ପୂର୍ଣ୍ଣ ସମର୍ଥନ । ସେ ଥିଲେ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ । ଜାତୀୟ ଅନୁଷ୍ଠାନରେ ଧାର୍ମିକ କାର୍ଯ୍ୟକ୍ରମ କରିବା ସପକ୍ଷରେ ସେ ନଥିଲେ କାରଣ ତାଙ୍କ ମତରେ ଏହା ଥିଲା ଦେଶର ଧର୍ମନିରପେକ୍ଷତାର ପରିପନ୍ଥୀ । ୧୯୫୨ ମସିହାରେ ସେ ଭାରତୀୟ ଗଣତନ୍ତ୍ରର ପ୍ରଥମ ଉପରାଷ୍ଟ୍ରପତି ଭାବରେ ହୋଇଥିଲେ ନିର୍ବାଚିତ । ସଂସଦର ଉଚ୍ଚ ସଦନ ରାଜ୍ୟସଭାକୁ ସୂଚାରୁ ରୂପେ ପରିଚାଳନା କରିବାର ଦେଖି, ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ କହିଥିଲେ ” Rajya Sabha is like a toy in your hand ” । କ୍ରମାଗତ ଦଶବର୍ଷ ଧରି ୧୯୬୨ ମସିହା ପର୍ଯ୍ୟନ୍ତ ଦୁଇଥର ଦେଶର ଉପରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ । ଡ଼କ୍ଟର ରାଜେନ୍ଦ୍ର ପ୍ରସାଦଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବା ପରେ ସେହିବର୍ଷ ନିର୍ବାଚିତ ହୋଇଥିଲେ ଦେଶର ଦ୍ଵିତୀୟ ରାଷ୍ଟ୍ରପତି ଭାବରେ । ଦେଶର ପ୍ରଥମ ନାଗରିକ ଭାବରେ ଚୀନର ଆକ୍ରମଣ , ନେହରୁଜୀଙ୍କ ନିଧନ ପରେ ସୃଷ୍ଟି ହୋଇଥିବା ନୂତନ ରାଜନୈତିକ ପରିସ୍ଥିତି, ପ୍ରାକୃତିକ ବିପର୍ଯୟ ଏବଂ ଦକ୍ଷିଣାତ୍ୟ ରାଜ୍ୟ ମାନଙ୍କରେ ବିଶେଷ କରି ତାମିଲଭାଷୀମାନଙ୍କର ହିନ୍ଦୀଭାଷା ବିରୋଧୀ ଆନ୍ଦୋଳନ ଭଳି ପରିସ୍ଥିତିରେ ୧୯୬୭ ମସିହା ପର୍ଯ୍ୟନ୍ତ ଦେଶରେ ଶାନ୍ତି ଓ ସ୍ଥିରତା ଆଣିବାନିମନ୍ତେ କାର୍ଯ୍ୟ କରିଯାଇଥିଲେ । ଜୀବନରେ ଉଚ୍ଚ ପଦାସୀନ ହୋଇ ସେ ଭୁଲିନଥିଲେ ନିଜ ଶିକ୍ଷକତା ବୃତ୍ତିର ଗୁରୁତ୍ୱ ତଥା ମହାନତାକୁ । ଥରେ ଜଣେ ଛାତ୍ର ପତ୍ରରେ ଲେଖିଥିଲେ ଯେ ” ମୁଁ ଦର୍ଶନ ଶାସ୍ତ୍ରର ଏକ ଛାତ୍ର । ଅର୍ଥାଭାବ ଯୋଗୁଁ ଆପଣଙ୍କ ଦ୍ୱାରା ଲିଖିତ Indian Philosophy ପୁସ୍ତକ କିଣିବାକୁ ଅସମର୍ଥ । ଯଦି ଆପଣ ଦୟାକରି ଆପଣଙ୍କ ପାଖରେ ଥିବା ସେହି ପୁସ୍ତକ ମୋତେ ଦିଅନ୍ତେ ମୁଁ ଉପକୃତ ହୁଅନ୍ତି ଏବଂ ପରୀକ୍ଷାପରେ ଫେରାଇ ଦିଅନ୍ତି ” । ପତ୍ର ପାଇବା ପରେ ଡ଼କ୍ଟର ରାଧାକୃଷ୍ଣନ ଏକ Indian Philosophy ବହି ସେହି ଛାତ୍ରଙ୍କ ଠିକଣାରେ ପଠାଇଥିଲେ ଏବଂ ପତ୍ରରେ ଲେଖିଥିଲେ ଯେ ପରୀକ୍ଷାପରେ ବହି ଫେରାଇବାର ଆବଶ୍ୟକତା ନାହିଁ । ସେତେବେଳକୁ ସେ ଦେଶର ଉପ ରାଷ୍ଟ୍ରପତି ତଥା ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର କୁଳାଧିପତି ।

୧୯୬୨ ମସିହାରେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବାପରେ କେତେଜଣ ଛାତ୍ର ଓ ଶୁଭେଚ୍ଛୁ ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ଅନୁରୋଧ କରିବାରୁ ସେ କେବଳ ତାଙ୍କ ଜନ୍ମଦିନ ପାଳନ ନକରି ସେହି ଦିନକୁ ଗୁରୁ ଦିବସ ରୂପେ ପାଳନ କରିବା ପାଇଁ ଦେଇଥିଲେ ପରାମର୍ଶ । ଜଣେ ଶିକ୍ଷକ ଭାବରେ ସେ ଅନୁଭବ କରିଥିଲେ ଯେ ଶିକ୍ଷକ ହେଉଛନ୍ତି ଦେଶ ତଥା ସମାଜର ଭବିଷ୍ୟତ ଗଠନର ପ୍ରମୁଖ ବିନ୍ଧାଣୀ । ସେଥିପାଇଁ ନିଜ ଜନ୍ମଦିନକୁ ଉତ୍ସର୍ଗ କରିଥିଲେ ସେହି ମହାନ ଶିକ୍ଷକ ସମାଜ ତଥା ଶିକ୍ଷକତା ବୃତ୍ତିର ସମ୍ମାନରେ ।

ଦେଶ ସ୍ୱାଧୀନ ହେବାପରେ ଇଂଲଣ୍ଡର ରାଜାଙ୍କ ଦ୍ୱାରା ପ୍ରଦତ୍ତ ନାଇଟ ଉପାଧି ପରିତ୍ୟାଗ କରି ନିଜ ନାମ ପୂର୍ବରୁ ” ସାର ” ଶବ୍ଦ ଲେଖିବା ବନ୍ଦ କରିଥିଲେ ଏବଂ କେବଳ ନିଜର ଶୈକ୍ଷିକ ଉପାଧି ” ଡ଼କ୍ଟର ” ବ୍ୟବହାର କରୁଥିଲେ । ବିଜ୍ଞାନ, କଳା ତଥା ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ନିମନ୍ତେ ୧୯୫୪ ମସିହାରେ ସ୍ୱାଧୀନ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ” ଭାରତରତ୍ନ ” ରେ ଅନ୍ୟ ଦୁଇ ଜଣ ପ୍ରଖ୍ୟାତ ଭାରତୀୟ ଚନ୍ଦ୍ର ଶେଖର ଭେଙ୍କଟ ରମଣ ଏବଂ ଚକ୍ରବର୍ତ୍ତୀ ରାଜ ଗୋପାଳଚାରୀଙ୍କ ସହ ଡ଼କ୍ଟର ରାଧାକୃଷ୍ଣନଙ୍କୁ କରାଯାଇଥିଲା ସମ୍ମାନିତ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କର ତାଙ୍କ ପ୍ରତି ଥିଲା ଯଥେଷ୍ଟ ଶ୍ରଦ୍ଧା, ସମ୍ମାନ । ନେହରୁଜୀଙ୍କ ମତରେ ” Delhi without Radhakrishnan is a desert for me. ” ।

ପ୍ରାଚ୍ୟ ଓ ପାଶ୍ଚାତ୍ୟର ଭାବନା ମଧ୍ୟରେ ରହିଥିବା ଅନ୍ତରକୁ ଦୂର କରିବା ନିମନ୍ତେ ଆଦି ଶଙ୍କରାଚାର୍ଯ୍ୟଙ୍କ ମତବାଦ ଅଦ୍ୱୈତ ବେଦାନ୍ତ ମତକୁ ଆଧୁନିକ ରୂପରେ ସମକାଳୀନ ସମୟରେ ବିଶ୍ଵବ୍ୟାପୀ ପ୍ରଚାର କରିବା ନିମନ୍ତେ ଥିଲେ ପ୍ରୟାସରତ । ନିଜ ଆତ୍ମଜୀବନୀ “My Search for Truth” ସହ ସେ ଥିଲେ “Indian Philosophy” , “Present Crisis in Faith”, “Religion, Society” & “Recovery of Faith” ଏବଂ “Our Heritage” ଆଦି ବିଶ୍ୱ ପ୍ରସିଦ୍ଧ ଦର୍ଶନ ଶାସ୍ତ୍ର ପୁସ୍ତକର ରଚୟିତା । ଆମେରିକୀୟ ଦାର୍ଶନିକ ପଲ ଆର୍ଥର ସ୍କିଳ୍ପଙ୍କ ମତରେ “ଡ଼କ୍ଟର ରାଧାକୃଷ୍ଣନ ହେଉଛନ୍ତି ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜଗତ ମଧ୍ୟରେ ସେତୁ ” । ଧର୍ମ ଓ ଦର୍ଶନର ତୁଳନାତ୍ମକ ଅଧ୍ୟୟନ କ୍ଷେତ୍ରରେ ବିଂଶ ଶତାବ୍ଦୀରେ ବିଶ୍ୱର ପ୍ରମୁଖ ବିଦ୍ୱାନମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ରାଷ୍ଟ୍ରପତି ଭାବରେ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବା ପରେ ସେ ଶେଷ ଜୀବନ ବିତାଇଥିଲେ ମାନ୍ଦ୍ରାଜ ସହରରେ । ୧୯୭୫ ମସିହା ଅପ୍ରେଲ ମାସ ୧୭ ତାରିଖରେ ଭାରତମାତାଙ୍କ ଏହି କୃତି ସନ୍ତାନ ମହାନ ଶିକ୍ଷକ, ଦାର୍ଶନିକ ତଥା ରାଷ୍ଟ୍ରନୀତିଜ୍ଞ ଡ଼କ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଇହଧାମ ତ୍ୟାଗ କରିଥିଲେ । ସେ ଆଜି ଏହି ଦୁନିଆରେ ନାହାନ୍ତି ସତ କିନ୍ତୁ ସଫଳ ଏବଂ ଆଦର୍ଶ ଜୀବନ ତଥା ଦେଶହିତ ନିମନ୍ତେ କରିଥିବା ନିରବଛିନ୍ନ ପ୍ରୟାସ ନିମନ୍ତେ ଚିର ଅମର ତଥା ଅବିସ୍ମରଣୀୟ ହୋଇ ରହିବେ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top