କବିତା

ନାରୀ – କେବେ ନିଜେ ହିଁ ନିଜର ପରିଚୟ

Dr Mousumi Parida's odia poem Naari - Kebe Nije Hin Nijara Parichaya

ସେ ଏକାକିନୀ..
ତା’ ଦୁଃଖ, କ୍ଲେଶ ଓ ଅସରନ୍ତି ଦ୍ୱିଧାଙ୍କ ମେଳରେ.. ।
ଅଥଚ ତା’ ସଫଳତାରେ ଅନ୍ୟମାନଙ୍କ ଜିତାପଟ !

ନାରୀ - କେବେ ନିଜେ ହିଁ ନିଜର ପରିଚୟ

ନା, ତା’ ଲୁହ-ରୁତୁର ବିନ୍ଦୁଏ ଟୋପାର ସହଭାଗୀ
ନା ତା’ ଦୀର୍ଘଶ୍ୱାସରେ ଜଳିପୋଡ଼ି ଛାରଖାର ହୋଇଥିବା
ଅଶୋକା ବାଟିକାର ପେନ୍ଥାଏ ଆଶା କେହି.. !

ନିତିଦିନ ଜଞ୍ଜାଳରେ ଧକ୍କାଖାଇ
ଧୂଆଁ ପାଲଟିଥିବା ସ୍ୱପ୍ନର ମୁକ୍ତାକାଶ ବି ତ କେହି ନୁହଁ,
ଯାହାର ଯାବତୀୟ କ୍ଲେଶ, ଅସହାୟତା,
ଲହୁଲୁହଙ୍କୁ ଧୋଇଦେବ ଛଳନାହୀନ ସରାଗରେ !

ସେ ଏକାକିନୀ..
ତା’ ଦୁଃଖ, କ୍ଲେଶ ଓ ଅସରନ୍ତି ଦ୍ୱିଧାଙ୍କ ମେଳରେ.. ।
ଅଥଚ ତା’ ସଫଳତାରେ ଅନ୍ୟମାନଙ୍କ ଜିତାପଟ !

ତା’ ଲୁହ ଅର୍ଜିତ ଫୁଲ ଆଞ୍ଜୁଳାର
ବାସ୍ନା ଫୁଲଟି ବି ତା’ ଭାଗରେ ନଥାଏ !

ତା’ ନିଜସ୍ୱ ପ୍ରାପ୍ତିରେ ବି ଅନ୍ଯମାନଙ୍କ ଭାଗ,
ଯେଉଁମାନେ ତା’ ପୁଷ୍ପିତ ପଥର ସହଯାତ୍ରୀ ମାତ୍ର,
ସେମାନଙ୍କ କଣ୍ଟକିତ ବାଟରେ
ସେ କିନ୍ତୁ କ୍ଷତାକ୍ତ, ରକ୍ତାକ୍ତ!!

ଆତ୍ମୀୟଙ୍କ ମେଳରେ
ନିଜ ପରିଚୟ ଖୋଜୁଥାଏ ବରାବର.. ।

ସେ ପିତା, ସ୍ବାମୀ, କି ଭ୍ରାତା, ପୁତ୍ର
ଯେ କେହି ହୁଅନ୍ତୁ,
କେହି ଦାନ ସୂତ୍ରରେ ତାକୁ ଯାଚିଦିଏ ତ
କେହି ଛାଇ ରୂପେ ଗ୍ରହଣ କରିନିଏ,
କେହି ଭାଗ ଭାଗ କରିନିଏ ସବୁ
ଯାହା କେବେ ବି ତା’ର ନଥିଲା,
କେହି ଦୁଃଖଟେ ହୋଇ ଛଳଉଥାଏ ବାକି ଜୀବନ..
‘ଏଇ ଆସୁଛି’ କହି କଣ୍ଟ ଦିଏ ବୟସକୁ
ତାରା ଦେଖାଏ, ବଣି ଦେଖାଏ
କହେ “ତୁ ବି କେତେ ଠକିଛୁ କହ” !!

ସେମାନଙ୍କ ଦୁଃଖର ସହଭାଗୀ ସେ
ତା’ ଦୁଃଖର ସାକ୍ଷୀ କେହି ନୁହଁ !
ଅନ୍ୟର ଲୁହ ପିଇ ଭୋକ ମାରୁଥିବା,
ନିଜକୁ ଭାଗ କରି ଅନ୍ୟକୁ ବାଣ୍ଟି ଦେଉଥିବା
ନିଜ ଅଂଶର ସୁଖ, ସମ୍ପତ୍ତି, ସୁଖ-ନିଦକୁ ଯାଚି,
ଅନ୍ୟର ଯାବତୀୟ ଜଂଜାଳକୁ ଆବୋରି ,
ନିଜକୁ ଭୁଲିଥିବା ସେଇ ନାରୀ
ଆଜି ବି ଭାବେ ତା’ ପାଇଁ କେହି
ନା ଆଉ କାହା ପାଇଁ ସେ.. !

ଅସ୍ତିତ୍ବ ନଥିବା ଚାବିଦିଆ ମାଂସ କଣ୍ଢେଇ
ଯାହା ବିନାଇଚ୍ଛାରେ ବସନ୍ତ ଡିଏଁନି ଘରର ଏରୁଣ୍ଡି
ସେ ପୁଣି ଜାଳିପାରେ ପଦ୍ମବନ..!

ପାଉଁଶ ଭିତରେ ସେ ନା ତା’ ଭିତରେ ପାଉଁଶ,
ସର୍ଜନାର ଓମ୍ କାର ନା ଧ୍ଵଂସର ସ୍ଵାକ୍ଷର ସେ
ଅସଂଖ୍ୟ ପ୍ରଶ୍ନଙ୍କ ଭିତରେ ଏ ବି କିଛି ପ୍ରଶ୍ନ !!

ଲୋକପ୍ରିୟ ଲେଖା

To Top