ଅନୁବାଦ ସାହିତ୍ୟ

ବିନାୟକ ଦାମୋଦର ସାବରକରଙ୍କୁ ଗାନ୍ଧୀହତ୍ୟାରେ ଅଭିଯୁକ୍ତ କରିବା ପର ରାଜନୀତି

Nathuramanka Apil an odia translated version of Nathuram Vinayak Godse's book Maine Gandhi Vadh Kyon Kiya by Ritika Pattnaik

ମୁଁ ଡ୍ରାଇଭର ନିକଟରେ ବସିଥିଲି । ଅନ୍ୟ ତିନିଜଣ ପଛ ସିଟରେ ବସିଥିଲେ । ସେମାନେ ମରାଠୀ, ଇଂରେଜୀ ଉଭୟ ଭାଷାରେ କଥାବାର୍ତ୍ତା ହେଉଥିଲେ । ମୋତେ ସେମାନଙ୍କ କଥନ ନା ସ୍ପଷ୍ଟ ଶୁଣାଯାଉଥିଲା ନା ମୁଁ କିଛି ବୁଝିପାରୁଥିଲି ।

ପୂର୍ବରୁ

ନାଥୁରାମ, ଆପତେଙ୍କର ସାବରକର ସଦନରେ ଭେଟ, ତା ୧୪/୦୧/୧୯୪୫

ତା ୧୪/୦୧/୧୯୪୫ରେ ନାଥୁରାମ ଏବଂ ଆପତେଙ୍କ ସାବରକର ସଦନରେ ହେଇଥିବା ସାକ୍ଷାତର ବିବରଣ ପରେ ପ୍ରସ୍ତୁତ କରାଗଲା । ତା ୧୪/୧/୧୯୪୮ରେ ନାଥୁରାମ ଓ ନାନା ଆପତେ ଦ୍ୱିପହର ଗାଡ଼ିରେ ପୁନାରୁ ବମ୍ବେ ଆସିଥିଲେ । ସେହି ଗାଡ଼ିରେ ଶ୍ରୀମତୀ ଶାନ୍ତା ମୋଡକ ଯାତ୍ରା କରୁଥିଲେ । ଶ୍ରୀମତୀ ମୋଡକଙ୍କ ତା ୩/୦୮/୧୯୪୮ରେ ସାକ୍ଷ୍ୟ ତାରିଖ ଥିଲା । ସେ କହିଥିଲେ, “ମୋର ଦ୍ୱିତୀୟ ଶ୍ରେଣୀ ଟିକେଟ ଥିଲା । ବଗିରେ ଚଢ଼ିଯାଇ ମୁଁ ଝରକାପାଖ ସିଟ ଖୋଜିଲି । କେହି ଜଣେ ମୋତେ ପଚାରିଲେ, ଆପଣ କ’ଣ ଖୋଜୁଛନ୍ତି? ଝରକା ପାଖ ସିଟଟିଏ, ମୁଁ ଉତ୍ତର ଦେଲି । ଭଦ୍ରବ୍ୟକ୍ତି ଜଣକ କହିଲେ, ଆସନ୍ତୁ ମୋ ସ୍ଥାନରେ ବସନ୍ତୁ । ଠିକ ହେବ? ଏତିକି କହି ସେ ଉଠି ଛିଡ଼ା ହୋଇଗଲେ । ମୁଁ ତାଙ୍କ ସିଟ ଗ୍ରହଣ କଲି । ମୋ ସାମ୍ନା ସିଟ ରିକ୍ତ ଥିଲା । ସେହି ବ୍ୟକ୍ତି ସେଇ ସ୍ଥାନ ଅଧିକାର କଲେ । ଗାଡ଼ି ଚାଲିନଥିଲା ଏତିକିବେଳେ ଆଉ ଜଣେ ବ୍ୟକ୍ତି ଆସିଲେ । ସେ ପୂର୍ବ ବ୍ୟକ୍ତିଙ୍କ ନିକଟରେ ଯାଇ ବସିଲେ । ମୋତେ ଲାଗିଲା ଉଭୟ ପୂର୍ବ ପରିଚିତ ।” ଚିହ୍ନଟ ବେଳେ ଶ୍ରୀମତୀ ମୋଡକ ପୂର୍ବ ବ୍ୟକ୍ତିଙ୍କୁ ନାନା ଆପତେ ଓ ପରେ ପଦାର୍ପଣ କରିଥିବା ବ୍ୟକ୍ତିକୁ ନାଥୁରାମ ଗଡସେ ବୋଲି ଚିହ୍ନଟ କରିଥିଲେ । ଏହା ପରେ ସେ କହିଥିଲେ-

“ଯେଉଁ ବ୍ୟକ୍ତି ମୋତେ ଟ୍ରେନରେ ତାଙ୍କ ସିଟ୍ ମୋତେ ଦେଇଥିଲେ ସେ ପଚାରିଲେ, “ଆପଣ ବିମ୍ବା ବୋଧହୁଏ?” ମୁଁ ଆସ୍ତିସୂଚକ ମୁଣ୍ଡ ହଳାଇଲି । ଏହା ମୋର ଛଦ୍ମନାମ ଥିଲା, ଚିତ୍ରକର ହିସାବରେ । କଥାବାର୍ତ୍ତା ଅବସରରେ ମୁଁ ଏତିକି କହିଲି, ଯେ ମତେ ଦାଦରରେ ଓହ୍ଳାଇବାର ଅଛି । ଏହାପରେ ଆଉ କୌଣସି କଥାବାର୍ତ୍ତା ହୋଇନଥିଲା । ଦାଦର ନିକଟବର୍ତ୍ତୀ ହୁଅନ୍ତେ ସେ ମୋ ଠିକଣା ପଚାରିଲେ । ମୁଁ ‘ଶିବାଜୀ ଉଦ୍ୟାନ’ ବୋଲି କହିଲି । ସେ କହିଲେ ଯଦି ମୁଁ ଏକୁଟିଆ ଅଛି । ତେଣୁ ସେଠାରେ ସେମାନେ ମୋତେ ସେଠାରେ ଛାଡ଼ି ଦେବେ । ତାଙ୍କ କଥନରୁୁ ମୁଁ ଅନୁମାନ କଲି ଯେ ସେମାନେ ସାବରକର ସଦନ ଯାଉଥିବେ ବୋଲି । ମୁଁ କହିଲି ମୋତେ ନେବା ପାଇଁ ମୋ ଭାଇ ଷ୍ଟେସନ ଆସିବେ । ଯଦି ସେ ଆସିବେନି ତାହେଲେ ମୁଁ ଆପଣଙ୍କ ସହିତ ଯିବି ।”

“ଆମେ ଦାଦର ପହଞ୍ଚିଲୁ । ମୋତେ ନେବା ପାଇଁ ମୋ ଭାଇ ଆସିଥିଲେ । ସେ ଜିପ୍ ଘେନି ଆସିଥିଲେ । ଏଣୁ ମୁଁ ସେ ଦୁଇ ବ୍ୟକ୍ତିଙ୍କୁ କହିଲି ଯେ ମୁଁ ହିଁ ସେମାନଙ୍କୁ ଶିବାଜୀ ଉଦ୍ୟାନରେ ଛାଡ଼ିଦେବି । ସେମାନେ ନିମନ୍ତ୍ରଣ ସ୍ୱୀକାର କରିନେଲେ । ମୋ ଘର ଓ ସାବରକର ସଦନ ଗୋଟିଏ ମାର୍ଗ ଓ ସଡ଼କର ଏକ ପାଶ୍ୱର୍ରେ ଥିଲେ । ପ୍ରଥମରେ ମୋ ଘର ପରେ ସ୍ଥିତ ଥିଲା ସାବରକାର ସଦନ । ଆମେ ସାବରକର ସଦନ ପାଖେ ଗାଡ଼ି ରଖିଲୁ । ସେମାନେ ଓହ୍ଲାଇ ଗଲା ପରେ ଆମେ ଗାଡ଼ି ଘୁରାଇଲୁ ।”

ପ୍ରତିପ୍ରଶ୍ନ କଲା ପରେ ଶ୍ରୀମତୀ ଶାନ୍ତା ମୋଡକ କହିଲେ, “ମୁଁ ତାଙ୍କୁ ସାବରକର ସଦନରେ ପ୍ରବେଶ କରିବା ଦେଖି ନାହିଁ ।” (ଗ୍ରନ୍ଥ ୧, ପୃଷ୍ଠା ୧୨୨-୧୨୪)

ସାବରକର ସଦନର ତଳ ମହଲାରେ ଶ୍ରୀ ଅ.ସ. ଭିଣ୍ଡେ ରହୁଥିଲେ । ସାବରକରଜୀଙ୍କ କାର୍ଯ୍ୟବାହକ ଶ୍ରୀ ଦାମଲେ ଏବଂ ଶ୍ରୀ କାସାର ମଧ୍ୟ ତଳତାଲାରେ ରହୁଥିଲେ । ସେହି ତାଲାର ମଝିଭାଗରେ ହିନ୍ଦୁ ମହାସଭା କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟାଳୟ ଚାଲୁଥିଲା । ସାବରକରଜୀ ପ୍ରଥମ ମହଲାରେ ରହୁଥିଲେ । ସାବରକର ସଦନକୁ ଆସୁଥିବା ବ୍ୟକ୍ତିବିଶେଷ ଯେ ସାବରକରଙ୍କୁ ନିଶ୍ଚିତ ରୂବେ ଭେଟିବେ ଏପରି କୌଣସି ନିୟମ ନଥିଲା । ତାଙ୍କୁ ଭେଟିବା ପାଇଁ ପ୍ରଥମେ ସଚିବଙ୍କଠାରୁ ଅନୁମତି ନେବାକୁ ପଡ଼ୁଥିଲା । ଏହି ତଥ୍ୟ ପ୍ରମାଣସିଦ୍ଧ ହୋଇସାରିଛି ।

ନାଥୁରାମ ଏବଂ ଆପତେ ସାବରକରଜୀଙ୍କୁ ଭେଟିବାକୁ ଯାଉଛନ୍ତି ବୋଲି କୌଣସି ଆଭାସ ତାଙ୍କୁ ମିଳିଥିବା ଶ୍ରୀମତୀ ନିଜ ସାକ୍ଷ୍ୟରେ କହିନଥିଲେ । ସେ କେବଳ ଏତିକି କହିଥିଲେ ଯେ ସେ ସେମାନଙ୍କୁ ସାବରକର ସଦନରେ ପ୍ରବେଶ କରିବା ଦେଖିନଥିଲେ । ଯଦି ବି ସେ ସେମାନଙ୍କୁ ସାବରକର ସଦନକୁ ପ୍ରବେଶ କରିଥିବା ଦେଖିଥିବେ ତାହେଲେ ମଧ୍ୟ ସେମାନେ ଯେ ସାବରକରଜୀଙ୍କୁ ଭେଟିଥିବେ ବା ଯିବାକୁ ଯୋଜନା କରିଥିଲେ ବୋଲି ପ୍ରମାଣ ନାହିଁ । ସେମାନେ ସାବରକରଜୀ ନିବାସକୁ ଗଲେ ଏତିକି ମାତ୍ର ସାବରକରଜୀଙ୍କୁ ଷଡ଼ଯନ୍ତ୍ରରେ ସଂପୃକ୍ତ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ । ଯୁକ୍ତଯୁକ୍ତ ବି ନୁହେଁ । କିନ୍ତୁ ଏପରି ପ୍ରଶ୍ନ ତ କୌଣସି ସାକ୍ଷୀ ତରଫରୁ ପଚରା ବି ଗଲା ନାହିଁ । ସାବରକର ସଦନ ତଥା ତାହାର ତଳ ମହଲା ଅବସ୍ଥା ବିଷୟରେ ସାବରକରଜୀ କହିଥିଲେ, ଏଣୁ ଏ ସାକ୍ଷୀ ଅର୍ଥାତ୍ ଶାନ୍ତା ମୋଡକଙ୍କର ଏସବୁରେ କୌଣସି ସମ୍ବନ୍ଧ ନାହିଁ ବୋଲି ସାବରକରଜୀଙ୍କ କଥନ ଥିଲା । (ଗ୍ରନ୍ଥ ୨, ପୃଷ୍ଠା ୧୯୧)

ବଡ଼ଗେଙ୍କ ବୟାନ

ରାଜକ୍ଷମା ପାଇଥିବା ସାକ୍ଷୀ ବଡ଼ଗେଙ୍କ ବୟାନର କିଛି ଅଂଶ, ସାବରକରଜୀଙ୍କ ଷଡ଼ଯନ୍ତ୍ର ସହିତ ସଂପୃକ୍ତିକୁ ଦିଗକୁ ଇସାରା କରୁଥିଲା । ଏପରି ବୟାନକୁ କ୍ଷମା ଆଶ୍ୱସ୍ତ ସାକ୍ଷୀଠାରୁ ବଳପୂର୍ବକ ବି କୁହାଯାଇଥାଇପାରେ । ବଡ଼ଗେ ଏବଂ ସାବରକରଜୀ ପୂର୍ବ ପରିଚିତ ଥିଲେ । ଏହି ପରିଚୟକୁ ପ୍ରମାଣିତ କରିବା ସକାଶେ ବଡ଼ଗେଙ୍କ ପ୍ରାଥମିକ କଥନ ଉଲ୍ଲେଖଯୋଗ୍ୟ । ସେ କହିଥିଲେ, “୧୯୪୪-୪୫ରେ ଗ୍ୱାଆଲିୟରଠାରେ ସାବରକରଜୀଙ୍କ ଭାଷଣ କାର୍ଯ୍ୟକ୍ରମ ତୁରନ୍ତ ପରେ ପ୍ରାୟ ୩୦-୪୦ ବ୍ୟକ୍ତି ସାବରକର ସଦନ ଯାଇଥିଲେ, ସାବରକରଜୀଙ୍କ ଭେଟିବା ଅଭିପ୍ରାୟରେ । ମୁଁ ବି ଏମାନଙ୍କ ମଧ୍ୟରୁ ଜଣେ ଥିଲି । ସେଠାରେ ଏକ ଅନୌପଚାରିକ ସଭାରେ ସାବରକରଜୀ ଭାଷଣ ଦେଲେ । ଏହା ପରେ ନିଜର ପରିଚୟ ପ୍ରଦାନ କରିବାକୁ ଯାଇ ମୁଁ ସ୍ୱୟଂକୁ ଅସ୍ତ୍ରଭଣ୍ଡାରର କାର୍ଯ୍ୟକର୍ତ୍ତା ବୋଲି କହିଥିଲି । ଏହା ଶୁଣି ସେ ସନ୍ତୋଷ ବ୍ୟକ୍ତକରି କହିଥିଲେ ଯେ ମୁଁ ସେଠାରେ ଉତ୍ତମ କାର୍ଯ୍ୟ କରୁଅଛି । ଅନ୍ତରେ ସେ ମତେ ଏହି କାମ ଆହୁରି ସୂଚାରୁ ରୂପେ ଜାରି ରଖିବାକୁ ପରାମର୍ଶ ଦେଲେ ।”

“ଅସ୍ତ୍ରଶସ୍ତ୍ର ଉପରୁ ପ୍ରତିବନ୍ଧ ହଟାଇବା ପାଇଁ ହିନ୍ଦୁ ମହାସଭା ପ୍ରଯତ୍ନ କରୁଥିଲା । ବଡ଼ଗେଙ୍କ ଦ୍ୱାରା ବିକ୍ରୟ କରାଯାଉଥିବା ଶସ୍ତ୍ର ନିଷିଦ୍ଧ ତାଲିକାରେ ନ ଥିଲା । ଯଦି ବି ମୁଁ ଏହାର ପ୍ରଶଂସା କରିଥିବି ତାହେଲେ ମଧ୍ୟ ଏଥିରେ ଆକ୍ଷେପଯୋଗ୍ୟ କୌଣସି କଥା ନଥିଲା ।” ଏହା ଥିଲା ସାବରକରଜୀଙ୍କ ମତ ।

ବଡ଼ଗେ ୧୯୪୬ ଶେଷାର୍ଦ୍ଧ ବା ୧୯୪୭ର ପ୍ରାରମ୍ଭରେ କୌଣସି ଅନପୌଚାରିକ ବୈଠକର ଉଲ୍ଲେଖ କରିଥିଲେ । ତାଙ୍କ କହିବା ଅନୁସାରେ ସେଠାରେ ସାବରକରଜୀ କହିଥିଲେ, “କଂଗ୍ରେସର ନୀତି ହିନ୍ଦୁଙ୍କ ପ୍ରତି ହାନୀକାରକ । ମୁସଲମାନଙ୍କୁ ଆର୍ଥିକ ବହିଷ୍କାର କରିବା ଦରକାର ଏବଂ ଯଦି ସେମାନେ ଆମ ଉପରେ ଆକ୍ରମଣ କରନ୍ତି ତାହେଲେ ହିନ୍ଦୁଙ୍କୁ ଏହାର ପ୍ରତିହାର ସ୍ୱରୂପ ପଦକ୍ଷେପ ନେବା ଦରକାର । ସେଥିପାଇଁ ହିନ୍ଦୁଙ୍କୁ ଅସ୍ତ୍ରଶସ୍ତ୍ର ତାଲିମ ନେବା ଆବଶ୍ୟକ ।”

ଉପରୋକ୍ତ ତଥ୍ୟ ବିଷୟରେ ସାବରକରଜୀଙ୍କ କଥନ ଥିଲା ଯେ ଏପରି କୌଣସି ବୈଠକ ତାଙ୍କ ଆବାସରେ ହୋଇନଥିଲା । କିନ୍ତୁ ଯଦି ବି ମାନି ବି ନିଆଯାଏ ଯେ ଏପରି କୌଣସି ବୈଠକ ହେଇଥିଲା ତାହେଲେ ମଧ୍ୟ ବଡ଼ଗେଙ୍କ ବାଣୀରେ ଏପରି କିଛି ନାହିଁ ଯାହା ଆପତ୍ତିଜନକ ପର୍ଯ୍ୟାୟଭୁକ୍ତ । ତଥାକଥିତ ଷଡ଼ଯନ୍ତ୍ର ସହିତ ଏପରି ବୈଠକର କୌଣସି ସମ୍ବନ୍ଧ ନାହିଁ ।

କେବେ ଥରେ ଶ୍ରୀ ପରମେରକର, ଶ୍ରୀ ବଖଲେ, ଡା. ମୁେଞ୍ଜ, ବୀର ସାବରକରଆଦିଙ୍କ ଏକ ଫଟୋ ଉତ୍ତୋଳନ କରାଯାଇଥିଲା । ସେଥିରେ ବଡ଼ଗେ ମଧ୍ୟ ଥିଲେ । ଏହା ସେ କୁହନ୍ତି । ଏପରି ପ୍ରମାଣ ବି ନିରର୍ଥକ ବୋଲିି ସାବରକରଙ୍କ କଥନ ଥିଲା ।

ପୁନଃ ସାବରକର ସଦନ : ବଡ଼ଗେଙ୍କ ସାକ୍ଷ୍ୟ

ଉପରୋକ୍ତ ସମସ୍ତ ଉପକ୍ରମ ବ୍ୟକ୍ତବ ପରେ ବଡ଼ଗେ ସାବରକରଜୀଙ୍କ ବିଷୟରେ କ୍ରମଶ କହିବା ଆରମ୍ଭ କଲେ । ସେ କହିଲେ, “ତା ୧୪/୦୧/୧୯୪୮ ରାତ୍ରି ପାଖାପାଖି ୯ଘଟିକା ସମୟରେ ନାଥୁରାମ, ଆପତେ ଏବଂ ମୁଁ (ଅର୍ଥାତ୍ ବଡ଼ଗେ) ସାବରକର ସଦନ ଆଡେ଼ ଗଲୁ । ସେଠାରେ ପହଞ୍ଚିବା ପରେ ଆପତେ ଅସ୍ତ୍ରଶସ୍ତ୍ରଭରା ଏକ ଥଳି ମୋଠାରୁ ନେଲେ ଏବଂ ମୋତେ ବାହାରେ ଅପେକ୍ଷା କରିବାକୁ କହିଲେ । ଆପତେ ଓ ଗଡ଼ସେ ଭିତରକୁ ଗଲେ । ସେମାନେ ବାହାରକୁ ଆସିବା ପରେ ଦେଖିଲି ଆପେତଙ୍କ ହାତରେ ସେହି ଥଳି ତଥାପି ଥିଲା ।”

ଏହାର ପ୍ରତିବାଦରେ ସାବରକରଜୀ କହିଲେ, “ସାବରକର ସଦନକୁ ଆସିବାର ଅଭିପ୍ରାୟ ସାବରକରଙ୍କୁ ଭେଟିବା ନହୋଇପାରେ । ଏବଂ ବଡ଼ଗେ ବି କେଉଁଠାରେ କହିନି ଯେ ସେ ଅସ୍ତ୍ରଶସ୍ତ୍ରର ଥଳି ସାବରକର ସଦନରେ ରଖିଦେଇ ଆସିଥିଲା । ବଡ଼ଗେଙ୍କ କହିବାନୁସାରେ ସେହି ଥଳି ଦୀକ୍ଷିତଜୀ ମହାରାଜଙ୍କଠାରେ ସେ ରଖିଦେଇଥିଲେ । ପୁଣି ନାଥୁରାମ ଏବଂ ଆପତେ ଏହି ଭେଟକୁ ବି ଅସ୍ୱୀକାର କରନ୍ତି । ଏହି ଘଟଣାର କୌଣସି ସମ୍ବନ୍ଧ ଷଡ଼ଯନ୍ତ୍ର ସହିତ ଦେଖାଯାଉନାହିଁ । ଅଭିଯୋଗର ପ୍ରମାଣ ଦୃଷ୍ଟିରୁ ‘ବଡ଼ଗେ ଓ ଥଳି’ ଏକ କାଳ୍ପନିକ କଥା ଓ ଏହାର କୌଣସି ମୂଲ୍ୟ ନାହିଁ ।

ବଡ଼ଗେ ଆଗକୁ ଆହୁରି କହନ୍ତି, “ଆପତେ, ଗଡ଼ସେ ଓ ମୁଁ ଦୀକ୍ଷିତଜୀ ମହାରାଜଙ୍କ କୋଠରୀରୁ ବାହାରି ଆସିଲୁ ଓ ଅଗଣାରେ ଛିଡ଼ା ହେଲୁ । ତା ୧୫/୦୧/୧୯୪୮ରେ ଆପତେ ମୋତେ କହିଲେ ତାଙ୍କ ସହିତ ଦିଲ୍ଲୀ ଯିବା ପାଇଁ । ମୁଁ ତାଙ୍କୁ ଯାତ୍ରାର ଅଭିପ୍ରାୟ ପଚାରିଲି । ସେ କହିଲେ ଯେ ସାବରକରଜୀ ନିଶ୍ଚୟ କରିଛନ୍ତି ଯେ ଗାନ୍ଧୀ, ନେହେରୁ ଏବଂ ସୁହାରବର୍ଦ୍ଧିଙ୍କ ଜୀବନର ଅନ୍ତ କରାଯାଉ ଏବଂ ଏହି କାର୍ଯ୍ୟ ସେ ଆମ ଉପରେ ଅର୍ଥାତ୍ ଗଡ଼ସେ ଏବଂ ଆପତେଙ୍କ ଉପରେ ନ୍ୟସ୍ତ କରିଛନ୍ତି ।”

ଏହାର ଉତ୍ତରରେ ସାବରକରଜୀ କହିଲେ, “ ବଡ଼ଗେ ଏହା କହିନାହାଁନ୍ତି ଯେ ବଡ଼ଗେ ଅଥବା ନାଥୁରାମଙ୍କୁ ଏପରି କହୁଥିବା ମୁଁ ଶୁଣିଛି । ତା’ର କଥନ ଶୁଣା କଥା ଆଧାରିତ । ଏହାର କ’ଣ ପ୍ରମାଣ ଅଛି ? ଆପଟେ ଓ ଗଡ଼ସେ ବି ଏହି ଘଟଣାକୁ ସ୍ୱୀକାର କରିନାହାଁନ୍ତି । ପୁଲିସର ଚାପରେ ରହି ସମ୍ଭବତଃ ବଡ଼ଗେ ଏପରି ସାକ୍ଷ୍ୟ ଦେଇଥାଇପାରନ୍ତି । ଏହି ଘଟଣାର ପ୍ରମାଣ ନାହିଁ ।”

ଯଶସ୍ୱୀ ହେଇ ଆସ

ଏହା ପରେ ଏକ ପ୍ରସଙ୍ଗର ଉଲ୍ଲେଖ କରିବାକୁ ଯାଇ ବଡ଼ଗେ କହିଲେ, “ ଥରେ ଗଡ଼ସେ, ଆପତେ, ମୁଁ ଏବଂ ଶଙ୍କର କିସତୈୟା ଟାକ୍ସି ଧରି ବୁଲିବାକୁ ବାହାରିଲୁ । ନାଥୁରାମ ଏତିକିବେଳେ କହିଲେ, ଚାଲ, ସାବରକରଜୀଙ୍କ ଅନ୍ତିମ ଦର୍ଶନ କରି ଆସିବା ।” ଆମେ ସାବରକର ସଦନ ଚାଲିଲୁ । ଶଙ୍କରକୁ ଅଗଣାରେ ଅପେକ୍ଷା କରିବାକୁ କୁହାଗଲା । ଆମେ ତିନିଜଣ ସାବରକର ସଦନ ଗଲୁ । ଆପଟେ ମୋତେ ତଳ ମହଲାରେ ଅପେକ୍ଷା କରିବାକୁ କହିଲେ । ଗଡ଼ସେ ଓ ଆପତେ ଉପରକୁ ଗଲେ । ପାଞ୍ଚ-ଦଶ ମିନିଟ ପରେ ଉଭୟ ତଳକୁ ଆସିଲେ । ଏହାର ତୁରନ୍ତ ପରେ ତାତ୍ୟାରାଓ (ସାବରକରଜୀ) ବି ଆସିଲେ । ସେ କହିଲେ, “ଯଶସ୍ୱୀ ହେଇ ଫେରିବ ।” ଏହା ସେ ଆପତେ ଓ ଗଡ଼ସେଙ୍କ ଉଦ୍ଧେଶ୍ୟରେ କହିଥିଲେ । ଏହା ପରେ ଆମେ ବାହାରକୁ ଆସିଲୁ । ଟାକ୍ସିରେ ଆପଟେ ମୋତେ କହିଲେ, “ତାତ୍ୟାଙ୍କ କହିବା କଥା ଯେ ଗାନ୍ଧୀଜୀଙ୍କ ଆୟୁ ସମାପ୍ତ ହେଇଗଲାଣି ଏବଂ ଆମେ ନିଜ କାର୍ଯ୍ୟରେ ପୂର୍ଣ୍ଣ ରୂପରେ ସଫଳ ହେବୁ ଏଥିରେ ସନ୍ଦେହ ନାହିଁ । ଏହା ପରେ ଆମେ ଅଫଜୁଲପୁରକରଙ୍କ ଘର ଆଡେ଼ ଗଲୁ” ଏହା ତା ୧୭/୦୧/୧୯୪୮ର କଥା ।

ସାବରକରଜୀ ଏହି ପ୍ରସଙ୍ଗକୁ ଅସ୍ୱୀକାର ପୂର୍ବକ କହନ୍ତି, “ଆପତେ ଓ ଗଡ଼ସେ ମୋତେ ଭେଟି ନଥିଲେ । ‘ଯଶସ୍ୱୀ ହେଇ ଆସ’ ଭଳି ବାକ୍ୟ ମୁଁ କାହାକୁ କହିନାହିଁ । ଗାନ୍ଧୀଜୀଙ୍କ ଆୟୁ ପୂରା ହେଇଗଲାଣି ଏପରି ଭବିଷ୍ୟତବାଣୀ ମୁଁ କେବେ କରିନଥିଲି । ବଡ଼ଗେଙ୍କ କଥନ ଅନୁସାରେ ଆପତେ, ଗଡ଼ସେ ମୋତେ ଭେଟିବାକୁ ଆସିଥିଲେ, ଏହା ମାନି ନେଲେ ମଧ୍ୟ ପରେ ସେ ପୁଣି କହିଲା ଯେ ଆପତେ ଓ ଗଡ଼ସେ ମୋତେ ଭେଟିବାକୁ ଉପରକୁ ଗଲେ । ସେମାନେ ମତେ ଭେଟିବାକୁ ଆସିଥିଲେ ଅଥବା ଘରର ଅନ୍ୟ ସଦସ୍ୟଙ୍କୁ ସାକ୍ଷାତ କରିବାକୁ ଆସିଥିଲେ, ଏହା ଜାଣିବା ସମ୍ଭବ ନୁହେଁ । ଯଦି ବି ମାନିନିଆଯାଏ ଯେ ସେମାନେ ମୋତେ ଭେଟିବାକୁ ଆସିଥିଲେ ତାହେଲେ ମଧ୍ୟ ଆମର ପାରସ୍ପରିକ କଥନ କ’ଣ ଥିଲା ସେ ଜାଣି ପାରିଥିବ, ଏପରି ସମ୍ଭବ ନୁହେଁ । ଅତଃ ସେମାନେ ମୋ ସହିତ ଷଡ଼ଯନ୍ତ୍ର ବାବଦରେ କଥା ହେଇ ଥିଲେ ବୋଲି ବଡ଼ଗେର ସାକ୍ଷ୍ୟ ମାନି ନିଆଯିବା ନ୍ୟାୟୋଚିତ ହେବନାହିଁ । ସେ ଦିନ ଆପତେ ଓ ଗଡ଼ସେ ବହୁତ ସ୍ଥାନ ବୁଲିଥିଲେ, ଏବଂ ଅନେକ ଲୋକଙ୍କ ସହିତ କଥା ହୋଇଥିଲେ । ହାଇଦ୍ରାବାଦର ସ୍ୱତନ୍ତ୍ରତା ଆନ୍ଦୋଳନ ତଥା ‘ହିନ୍ଦୁରାଷ୍ଟ୍ର’ର ପ୍ରକାଶନ ସମ୍ବନ୍ଧରେ ସେମାନେ ଅନେକ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଅର୍ଥ ମଧ୍ୟ ସଂଗ୍ରହ କରିଥିଲେ । ଏପରି ସରକାରୀ ଓକିଲଙ୍କ କହିବା କଥା । କିନ୍ତୁ ମୋ ସହିତ ସେମାନେ କେବଳ ଷଡ଼ଯନ୍ତ୍ର ବାବଦରେ ବାର୍ତ୍ତାଳାପ କରିଥିଲେ ଏପରି ଆରୋପ କରିବା କ’ଣ ନ୍ୟାୟୋଚିତ ହେବ ? ଯଦି ବଡ଼ଗେର ଏପରି କଥନ ମାନି ନିଆଯାଏ ତାହେଲେ ମଧ୍ୟ ‘ଯଶସ୍ୱୀ ହେଇ ଲେଉଟିବ’ ଭଳି ବାକ୍ୟ କହିଥିଲେ ବି ଏପରି କଥା ମୁଁ ଅନ୍ୟ କୌଣସି କାର୍ଯ୍ୟ ପାଇଁ କହିଥାଇପାରେ । ଏପରି କାହିଁକି ନୁହେଁ ? ଗାନ୍ଧୀଜୀଙ୍କ ଆୟୁ ପୂରା ହେଇଗଲାଣି ଏପରି ମୁଁ କହିଥିବା ବଡ଼ଗେ କ’ଣ ସ୍ୱୟଂ ଶୁଣିଥିଲେ ? ଏପରି କୁହାଯାଇପାରିବନି । ତା’ର କହିବା କଥା ଯେ ଏପରି କହିଥିବା ଯେ ଆପତେଙ୍କଠାରୁ ଶୁଣିଥିଲେ । ଅତଃ ଏହା ପାଇଁ ମୁଁ କିପରି ଉତ୍ତର ଦାୟୀ ? ବିଶେଷକରି ଯେବେ ଆପତେ ଏବଂ ଗଡ଼ସେ ଏହି ଘଟଣାକୁ ଅସ୍ୱୀକାର କରନ୍ତି ।

ଟାକ୍ସି ଡ୍ରାଇଭରର ସାକ୍ଷ୍ୟ

ଥରେ ବମ୍ବେର ଏକ ଟାକ୍ସି ଡ୍ରାଇଭର ଏତପ୍ପା କୋଟିୟନର ଗାଡ଼ି ସାବରକର ସଦନ ଆଖପାଖରେ ବୁଲୁଥିବା ଲକ୍ଷ୍ୟ କରାଗଲା । ବଡ଼ଗେ, ଶଙ୍କର କିସ୍ତେୟା, ନାଥୁରାମ ଏବଂ ଆପତେ ସେଥିରେ ବସି ସାବରକର ସଦନ ଯାଇଥିଲେ ବୋଲି ସରକାର ଓକିଲ ଆକ୍ଷେପ କରିଥିଲେ । ସାକ୍ଷୀଙ୍କ ଅନୁସାରେ ତା’ର ଗାଡ଼ି ଶିବାଜୀ ଉଦ୍ୟାନର ସନ୍ନିକଟ ଏକ ପାଶ୍ୱର୍ରେ ଛିଡ଼ା ହୋଇଥିବା ଦେଖାଯାଇଥିଲା । ସେଥିରେ ସବାର ଚାରି ଯାତ୍ରୀ ତଳକୁ ଓହ୍ଳାଇଲେ, ସେମାନେ ଡାହାଣ ଆଡ଼କୁ ମୋଡ଼ିଯାଇ ଅନ୍ୟ ଘରକୁ ଯିବାର ଦେଖିଥିଲା ବୋଲି ଡ୍ରାଇଭର ଏତପ୍ପା କହିଥିଲା ତା’ ସାକ୍ଷ୍ୟ ପ୍ରଦାନ ଅବସରରେ ।

କିନ୍ତୁ ତା’ ସାକ୍ଷ୍ୟରୁ ପ୍ରମାଣିତ ହୁଏ ନାହିଁ ଯେ ବା କୌଣସି କିଞ୍ଚିତ ଆଭାସ ମଧ୍ୟ ମିଳେନାହିଁ ଯେ ତା’ ଟାକ୍ସିରୁ ଓହ୍ଲେଇ ଯାତ୍ରୀମାନେ ‘ସାବରକର ସଦନ’ରେ ନାମକ ଘରେ ହିଁ ପ୍ରବେଶ କରିଥିଲେ । ଏବଂ ସାକ୍ଷୀକୁ ତାହାର ଠିକଣା ଜ୍ଞାତ ଥିଲା । ସେମାନେ ତା’ ଗାଡ଼ିକୁ ଓହ୍ଳାଇପଡ଼ି କେଉଁଆଡେ଼ ଗଲେ ସେ ବିଷୟରେ ସେ ଅଜ୍ଞ । ସେ ଏତିକି ବି କହିପାରୁନଥିଲା ସେ ନିଶ୍ଚିତ ରୂପେ ଯାତ୍ରୀମାନେ ସେଇ ତଥାକଥିତ ‘ସାବରକର ସଦନ’ ନାମକ ଘରେ ପ୍ରବେଶ କରିଥିଲେ ବୋଲି । ତା’ର କହିବାର ଥିଲା ଯେ ସେମାନେ ପାଞ୍ଚ ମିନିଟରେ ଫେରିଆସିଲେ । କିନ୍ତୁ ବଡ଼ଗେଙ୍କ ସାକ୍ଷୀ ଅଧାରରେ ଟାକ୍ସିରୁ ଘରକୁ ଯିବା ଓ ପାଞ୍ଚ ମିନିଟରେ ପୁଣି ଫେରିବା ଏହିପରି କୋଡ଼ିଏ ପଚିଶ ମିନିଟର ସମୟ ଲାଗେ । ଦୁଇ ସାକ୍ଷୀଙ୍କ ସାକ୍ଷ୍ୟରେ ଏହିପରି ବିସଙ୍ଗତି ଥିବା ସାବରକରଜୀ ନ୍ୟାୟଳୟକୁ କହିଥିଲେ । ଆପତେ ଏବଂ ଗୋଡ଼ସେ ପୂର୍ବରୁ ହିଁ ଏହି ପ୍ରସଙ୍ଗକୁ ବଡ଼ଗେର କଳ୍ପନା ବୋଲି ଅଭିହିତ କରିଥିଲେ । ନ୍ୟାୟମୂର୍ତ୍ତିଙ୍କ ପ୍ରଶ୍ନର ଉତ୍ତରରେ ଶଙ୍କର କିସ୍ତେୟା କହିଥିଲେ, ଶିବାଜୀ ଉଦ୍ୟାନ ଯାଏ ଯେ ସେହି ବ୍ୟକ୍ତିବିଶେଷଙ୍କ ସହିତ ଟାକ୍ସିରେ ଯାଇଥିଲା । ଆପତେ, ବଡ଼ଗେ ଏବଂ ନାଥୁରାମ ଗଡ଼ସେ ଟାକ୍ସିରୁ ଓହ୍ଲାଇପଡ଼ି କୁଆଡେ଼ ଯାଇଥିଲେ ଏବଂ ସେ ସ୍ୱୟଂ ଗାଡ଼ିରେ ବସିରହିଥିଲା । ସାବରକର ଅଥବା ସାବରକର ସଦନର ନାମ ସେ ତ ଶୁଣି ବି ନଥିଲା । ତା’ର ବୟାନରେ ବିସଙ୍ଗତି ପ୍ରଣିଧାନଯୋଗ୍ୟ ବୋଲି ସାବରକରଜୀ ନ୍ୟାୟାଲୟର ଦୃଷ୍ଟି ଆକର୍ଷଣ କରିଥିଲେ ।

ସାବରକରଜୀଙ୍କ ଦ୍ୱାରା ଗାନ୍ଧୀଜୀଙ୍କ ଆୟୁ ବିଷୟରେ କରାଯାଇଥିବା ଟିପ୍ପଣାତ୍ମକ ଭବିଷ୍ୟତବାଣୀର ଶଙ୍କର କିସ୍ତେୟା ଦ୍ୱାରା ସିଦ୍ଧ କରାଯିବା ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ବଡ଼ଗେ କହିବାନୁସାରେ ଆପତେ ତାକୁ ଏହି କଥା ଟାକ୍ସିଯାତ୍ରା ବେଳେ କହିଥିଲା । ନ୍ୟାୟମୂର୍ତ୍ତି ପଚାରିବା ଉତ୍ତାରୁ ଶଙ୍କର କିସ୍ତେୟା କହିଥିଲେ, “ ମୁଁ ଡ୍ରାଇଭର ନିକଟରେ ବସିଥିଲି । ଅନ୍ୟ ତିନିଜଣ ପଛ ସିଟରେ ବସିଥିଲେ । ସେମାନେ ମରାଠୀ, ଇଂରେଜୀ ଉଭୟ ଭାଷାରେ କଥାବାର୍ତ୍ତା ହେଉଥିଲେ । ମୋତେ ସେମାନଙ୍କ କଥନ ନା ସ୍ପଷ୍ଟ ଶୁଣାଯାଉଥିଲା ନା ମୁଁ କିଛି ବୁଝିପାରୁଥିଲି ।”

ବଡ଼ଗେର କଥନକୁ ଦୁଇ ସାକ୍ଷୀ ମଧ୍ୟରୁ ଜଣେ ବି କେହି ବି ପ୍ରମାଣିତ କରିନଥିଲେ । ସାବରକରଜୀ ଏହି ତଥ୍ୟକୁ ନ୍ୟାୟଳୟ ସମ୍ମୁଖରେ ଉପସ୍ଥାପନ କଲେ ଓ କହିଲେ ବଡ଼ଗେର ବୟାନକୁ ଅଗ୍ରାହ କରାଯାଉ ।

ମୁଁ ସାବରକରଜୀଙ୍କ ଆଜ୍ଞାରେ ଷଡ଼ଯନ୍ତ୍ରରେ ସମ୍ମିଳିତ ହେଲି : ବଡ଼ଗେ

ମୁଁ ସାବରକରଜୀଙ୍କ ଏକନିଷ୍ଠ ସେବକ ଥିଲି । ତାଙ୍କ ବିଷୟରେ ମୋର ପ୍ରତ୍ୟେକ କଥନ ପ୍ରାମାଣିକ ଅର୍ଥାତ୍ ନିର୍ଭରଯୋଗ୍ୟ ଅଟେ । ନିଜ କଥାକୁ ସିଦ୍ଧ କରିବା ପାଇଁ ବଡ଼ଗେ ଅନ୍ୟ ଏକ ବିଚିତ୍ର ବୟାନ ଆପଣେଇଲେ । କାହିଁକି ସେ ଏ ଷଡ଼ଯନ୍ତ୍ରରେ ସମ୍ମିଳିତ ହେଲେ ଏ ବିଷୟରେ ବର୍ଣ୍ଣନା କରିବାକୁ ଯାଇ ସେ କହିଥିଲେ ଯେ ଗଡ଼ସେ ଓ ଆପତେ ଅନେକବାର ତା’ର ଆର୍ଥିକ ସହାୟତା କରିଥିଲେ । ସେ ସେମାନଙ୍କ ପ୍ରତି କୃତଜ୍ଞ ଥିଲା ତେଣୁ ଋଣ ପରିଶୋଧ କରିବାକୁ ଯାଇ ସେ ସେମାନଙ୍କ କଥାନୁସାରେ କାର୍ଯ୍ୟ କରୁଥିଲା । ଅତଃ ନାଥୁରାମ ଓ ଆପତେଙ୍କ କହିବା ପରେ ସେ ଗାନ୍ଧୀଜୀଙ୍କୁ ହତ୍ୟା ଉଦ୍ଧେଶ୍ୟରେ ତାଙ୍କ ସହିତ ଦିଲ୍ଲୀ ଗମନ କରିଥିଲା । ଏହା ବି କୁଆଡେ଼ ସାବରକରଜୀଙ୍କ ଆଜ୍ଞାରେ ହୋଇଥିଲା, ଏହା ତାକୁ ଆପତେ ବୁଝାଇଥିଲା । ତେଣୁ ସାବରକରଜୀଙ୍କ ଆଜ୍ଞାର ପାଳନ କରିବା ତା’ର ଅର୍ଥାତ୍ ବଡ଼ଗେର କର୍ତ୍ତବ୍ୟ ବୋଲି ଭାବି ତାଙ୍କ ସହିତ ଯାଇଥିଲା ।

ଏହି ପ୍ରକାରେ ଘଟଣା ସହିତ ସାବରକରଜୀଙ୍କ ସମ୍ବନ୍ଧ ଯୋଡ଼ିବା ପାଇଁ ବଡ଼ଗେଙ୍କ ଏପର ଲିଖିତ କଥନ ସବୁଠାରୁ ହାନୀକାରକ ଓ ଛଳନାମୟ ଥିଲା । ସାବରକରଜୀଙ୍କ ଆଜ୍ଞା ଅଛି ବୋଲି ଯଦି ତାକୁ କୁହାନଯାଇଥାଆନ୍ତା ତାହେଲେ ସେ ଷଡ଼ଯନ୍ତ୍ରରେ ସମ୍ମିଳିତ ହୋଇ ନଥାଆନ୍ତା । କେବଳ ଏତିକି ନୁହେଁ ନାଥୁରାମ ଓ ଆପେତ ବି ଏ ଦୁଷ୍କର କାମର ଦାୟିତ୍ୱ ନେଇନଥାଆନ୍ତେ । ତେଣୁ ବଡ଼ଗେର କଥନରୁ ଏହି ଭାବନା ପରିଲକ୍ଷିତ ।

ଏହି ପ୍ରମାଣ ବି ଶୁଣା କଥା ପର୍ଯ୍ୟବେସିତ ବୋଲି କହିବାକୁ ସାବରକରଜୀଙ୍କୁ ବିଶେଷ ପରିଶ୍ରମର ଆବଶ୍ୟକତା ନଥିଲା । ବଡ଼ଗେଙ୍କର ଏହି କଥାକୁ ପ୍ରମାଣ କରିବାକୁ କୌଣସି ସ୍ୱତନ୍ତ୍ର ସାଧନ ନଥିଲା । ସାବରକରଜୀ କହିଲେ, ବଡ଼ଗେ ଯେପରି ସାହସୀ, ଧୈର୍ଯ୍ୟବାନ , ସୁପରିଚିତ ମନୁଷ୍ୟର ସହଜ ସ୍ୱଭାବ ଅନୁସାରେ ସ୍ୱୟଂ ମୋତେ ଏ ବାବଦରେ ପଚାରିପାରିଥାଆନ୍ତା । ‘ଯଶସ୍ୱୀ ହେଇ ଆସ’ ଏପରି ମୁଁ କହିଥିବା କଥା ସେ କୁଆଡେ଼ ସ୍ୱୟଂ ଶୁଣିଥିଲା ଓ ଦେଖିଥିଲା । ଆପତେ ଓ ଗଡ଼ସେ ମୋ ନିକଟତମ ଥିଲେ କିନ୍ତୁ ସେମାନଙ୍କଠାରୁ ଅଧିକ ସେ ମୋର ନିକଟବର୍ତ୍ତୀ ଥିଲା ବୋଲି ସ୍ୱୟଂ ସ୍ୱୀକାର କରିଛି । ତା’ହେଲେ କ’ଣ ସେ ମୋତେ ପଚାରି ପାରିନଥାଆନ୍ତା, ଏପରି ଆଜ୍ଞା କ’ଣ ଆପଣଙ୍କର ? କିନ୍ତୁ ବଡ଼ଗେ ଏପରି କରିନଥିଲା । ଯଦି ବଡ଼ଗେ ସ୍ୱୟଂକୁ ନିଷ୍ଠାବାନ ତଥା ଆଜ୍ଞାକାରୀ ବୋଲି କହୁଥିଲା ତା’ହେଲେ ସେ ୨୦ ଜାନୁଆରୀରେ ଗାନ୍ଧୀଜୀଙ୍କୁ ଆଘାତ କରିବା ଅଭିପ୍ରାୟ ତ୍ୟାଗ କରି ନିଜ ପ୍ରାଣ ବଞ୍ଚାଇବାକୁ କାହିଁକି ତତ୍ପର ହେଲା? ମୁଁ ଭାବୁଛି ଯେ ଯଦି ବଡ଼ଗେ ଦିଲ୍ଲୀ ଯାଇ ବି ଥିଲା ତାହେଲେ ତା’ର ଏକମାତ୍ରା ଉଦ୍ଧେଶ୍ୟ ଥିବ ଯେଣେତେଣେ ପ୍ରକାରେ ନିର୍ବାସିତଙ୍କୁ ନିଷିଦ୍ଧ ଅସ୍ତ୍ର ବିକ୍ରୟ କରି ଅଧିକରୁ ଅଧିକ ଅର୍ଥ ଉପାର୍ଜନ କରିବା ବା ଭିନ୍ନ କୌଣସି ଉଦ୍ଧେଶ୍ୟରେ ସେ ଯାଇଥିବ ।

-ପରେ-

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top