–ପୂର୍ବରୁ–
ସାବରକରଜୀଙ୍କୁ ସମ୍ବୋଧିତ କରି ନ୍ୟାୟମୂର୍ତ୍ତି କହିଲେ, “ସାବରକରଜୀ, ଆପଣ ନିରଅପରାଧ । ଆପଣ ନିଃକଳଙ୍କ । ନିଜ ରାଷ୍ଟ୍ର ଭଳି ଆପଣ ଏବେ ସ୍ୱାଧୀନ ।”
ଲାଲକିଲ୍ଲା ବାହାରେ ଏକ ବିଶାଳ ଜନସମାବେଶ ସାବରକରଜୀଙ୍କୁ ପାଛୋଟି ନେବା ପାଇଁ ଆତୁର ଥିଲେ । ମୁକ୍ତ ସାବରକରଜୀ ଲାଲକିଲ୍ଲାରୁ ବାହାରି ଆସୁଥିଲେ । ଜନସମୁଦାୟ ଜୟ ଜୟକାର କରୁଥିଲେ । ସେମାନଙ୍କ ଅଭିବାଦନରେ ଗଗନପବନ ପ୍ରକମ୍ପିତ ହେଉଥିଲା ।
ସ୍ୱାତନ୍ତ୍ର୍ୟ ଲକ୍ଷ୍ମୀଙ୍କ ଜୟ ।
ଅଖଣ୍ଡ ଭାରତ ଅମର ରହୁ!!
ସ୍ୱାତନ୍ତ୍ର୍ୟବୀର ସାବରକରଙ୍କ ଜୟ!!
ଗାନ୍ଧୀହତ୍ୟାର ଅଭିଯୋଗରେ ଦିଲ୍ଲୀଠାରେ, ବିଶେଷ ନ୍ୟାୟାଳୟରେ ନଅଜଣ ଅଭିଯୁକ୍ତଙ୍କୁ ପେଶ୍ କରାଯାଇଥିଲା । ସେହି ନଅଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଅଷ୍ଟମ ଅଭିଯୁକ୍ତ ଥିଲେ ସ୍ୱାତନ୍ତ୍ର୍ୟବୀର ଶ୍ରୀ ବିନାୟକ ଦାମୋଦର ସାବରକର ।
କୌଣସି ଅବୈଧ କାର୍ଯ୍ୟର ରୂପାୟନ ନିମିତ୍ତ ଯେବେ ଏକରୁ ଅଧିକ ବ୍ୟକ୍ତି ସମ୍ମିଳିତ ହୋଇ ଗୁପ୍ତ ସେଙ୍କତ ମାଧ୍ୟମରେ ଯୋଜନା ପ୍ରସ୍ତୁତ କରନ୍ତି ତାହା ଷଡ଼ଯନ୍ତ୍ର ପର୍ଯ୍ୟାୟଭୁକ୍ତ । କୌଣସି ଷଡ଼ଯନ୍ତ୍ରକାରୀକୁ ଯଦି କୌଣସି ବ୍ୟକ୍ତିବିଶେଷଙ୍କ ଦ୍ୱାରା ପ୍ରତ୍ୟକ୍ଷ ରୂପେ ଅଳ୍ପ ବହୁତ ସହାୟତା ପ୍ରାପ୍ତ ହେଉଥିଲା ତାହେଲେ ସେ/ସେମାନେ ମଧ୍ୟ ଷଡ଼ଯନ୍ତ୍ରରେ ଭାଗୀଦାର ବୋଲି ଆଇନତଃ ଧରିନିଆଯାଉଥିଲା । ତେଣୁ ସମସ୍ତ ଦୁଇ ବା ତତୋଧିକ ବ୍ୟକ୍ତିଙ୍କୁ ଷଡ଼ଯନ୍ତ୍ରର ସହାୟକ ବୋଲି ଧରାଯାଏ । ଷଡ଼ଯନ୍ତ୍ରର ମୁଖ୍ୟ ନାୟକକୁ ଯେଉଁ ଦଣ୍ଡ ଦିଆଯିବ ତା’ର ସହାୟକମାନେ ସମାନ ଦଣ୍ଡଯୋଗ୍ୟ ବୋଲି ଆଇନରେ ପ୍ରାବଧାନ ଅଛି ।
ସେହି ଅବୈଧ ଘଟଣାର ସହାୟତା ହୋଇପାରେ – ଘଟଣା ସ୍ଥାନରେ ଉପସ୍ଥିତ ରହିବା, ଆର୍ଥିକ ସହାୟତା, ଅସ୍ତ୍ରଶସ୍ତ୍ର ଯୋଗାଇବା, ଅନ୍ୟ ଯେକୌଣସି ପ୍ରକାରେ ହୋଇଥାଉ ପଛେ ସେହି ସାହାଯ୍ୟକାରୀ ଷଡ଼ଯନ୍ତ୍ରରେ ସଂପୃକ୍ତ ବୋଲି ଧରି ନିଆଯାଏ । କୌଣସି ବ୍ୟକ୍ତି ସେହି ସମ୍ଭାବ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଯଦି କୌଣସି ପ୍ରକାରେ ଆଶୀର୍ବାଦ ବି ଦେଇଥିବେ ଅଥବା କୌଣସି କାର୍ଯ୍ୟ ପାଇଁ ଶୁଭକାମନା ବ୍ୟକ୍ତ କରିଥିବେ ତା’ ହେଲେ ବି ସେହି ଶୁଭଚିନ୍ତକ ସେହି ଷଡ଼ଯନ୍ତ୍ରର ସହାୟକ ବୋଲି ମାନି ନିଆଯାଏ ।
କୌଣସି ଦୋଷୀକୁ ଷଡ଼ଯନ୍ତ୍ରକାରୀ ସିଦ୍ଧ କରିବାକୁ ନ୍ୟାୟାଳୟ ମୂଳତଃ ଦୁଇଟି କଥାକୁ ପ୍ରାଧାନ୍ୟ ଦେଇଥାଏ ।
ଅବୈଧ କାର୍ଯ୍ୟ ସମ୍ପନ୍ନ ନିମନ୍ତେ ଷଡ଼ଯନ୍ତ୍ରକାରୀ ଅବା କୌଣସି ବ୍ୟକ୍ତି ଯାହାକୁ ସହାୟକ ସିଦ୍ଧ କରାଯାଇପାରେ ସେ ସେହି କାର୍ଯ୍ୟ ବାବଦରେ ପୂର୍ବ ଅବଗତ ଥିବେ । ଅପରପକ୍ଷରେ ଯଦି ତାଙ୍କୁ ଜ୍ଞାତ ଥିବ କିନ୍ତୁ ଜାଣି ସୁଦ୍ଧା ଘଟଣାରେ କୌଣସି ସହାୟତା ଯୋଗାଇନଥିବେ ତା’ହେଲେ ସେ ଷଡ଼ଯନ୍ତ୍ରର ଭାଗୀଦାର ନୁହେଁ ।
ଏହାର ଉଦାହରଣ ହେଲେ ପ୍ରାଧ୍ୟାପକ ଜଗଦୀଶ ଚନ୍ଦ୍ର ଜୈନ । ସେ ନିଜ ସାକ୍ଷ୍ୟରେ କହିଥିଲେ, ଏହି ଷଡ଼ଯନ୍ତ୍ର ସମ୍ବନ୍ଧରେ ମଦନଲାଲ ତାଙ୍କୁ ପୂର୍ବ ସୂଚନା ଦେଇଥିଲେ । ତା ୨୦/୧୧/୧୯୪୮ରେ ମଦନଲାଲ ଗାନ୍ଧୀଜୀଙ୍କ ପ୍ରାର୍ଥନା ସଭାରେ ବୋମା ବିଷ୍ଫୋରଣ କଲେ । ଏହି ସମାଚାର ସେ ତା ୨୧/୦୧/୧୯୪୮ର ସମାଚାର ପତ୍ରରେ ପଢ଼ିଥିଲେ । ଏହା ପରେ ସେ ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ମୋରାଜୀ ଦେଶାଇଙ୍କୁ ବ୍ୟକ୍ତିଗତ ଭାବେ ଭେଟିଥିଲେ ଓ ମଦନଲାଲ କହିଥିବା କଥାକୁ ତାଙ୍କ ନିକଟରେ ଦୋହରାଇଥିଲେ । ଏହା ସେ ନିଜ ସାକ୍ଷ୍ୟ ପ୍ରଦାନ ଅବସରରେ କହିଛନ୍ତି । କିନ୍ତୁ ଷଡ଼ଯନ୍ତ୍ରର ପୂର୍ବଜ୍ଞାନ ଥିବା ସାକ୍ଷୀ ଜଗଦୀଶ ଚନ୍ଦ୍ର ଜୈନଙ୍କୁ ଏହି ଷଡ଼ଯନ୍ତ୍ରର ଭାଗୀଦାରିତାକୁ ସିଦ୍ଧ କରିବାକୁ ପ୍ରମାଣ ଅପର୍ଯ୍ୟାପ୍ତ ଥିଲା ।
ଯଦି ବି ଆମେ କଳ୍ପନା କରିପାରୁ ଯେ ପ୍ରାଧ୍ୟାପକ ଜୈନ ନିଜ କଥନ ଅନୁସାରେ – ମଦନଲାଲ ତାଙ୍କୁ ଯାହା ବି କିଛି କହିଥିଲେ, ତାହା ସେ କାହାକୁ କହିନଥିଲେ କିନ୍ତୁ ପୁଲିସକୁ କୌଣସି ପ୍ରକାରେ ସୂଚନା ମିଳିଗଲା ଏବଂ ଏହାପରେ ଜୈନ ଏହାର ପୁଷ୍ଟି କରିଦେଲେ ତାହା ହେଲେ ମଧ୍ୟ ଏପରି ସ୍ଥିତିରେ ଜୈନଙ୍କ ପୂର୍ବଜ୍ଞାନ ତାଙ୍କୁ ଷଡ଼ଯନ୍ତ୍ରରେ ସମ୍ମିଳିତ କରିବା ପର୍ଯ୍ୟାପ୍ତ ଥିଲା ବୋଲି କୁହାଯାଇପାରିବ ନାହିଁ । କାରଣ ତାଙ୍କର ଏହି କାର୍ଯ୍ୟ ପାଇଁ ପୂର୍ବଜ୍ଞାନ ଏବଂ ଏହା ପରେ ବି ତାଙ୍କ ମୌନ ଧାରଣ କରିବା, ଏହି ଘଟଣାର ଉଦ୍ଧେଶ୍ୟ ସ୍ଫୂର୍ତ୍ତିରେ କେଉଁ ପ୍ରକାରରେ ବି ସହାୟକ ନଥିଲା । ଏହା ପାଇଁ କୌଣସି ପ୍ରମାଣ ନଥିଲା ।
ଦ୍ୱିତୀୟ କଥା ଯାହା ନ୍ୟାୟାଳୟ ଦେଖନ୍ତି ତାହା ହେଲା ଷଡ଼ଯନ୍ତ୍ରକାରୀଙ୍କୁ ସହାୟତା ଦେବା । ସେହି ସହାୟତା ହୋଇପାରେ ଧନରାଶି ରୂପରେ, ସାହିତ୍ୟ, ଅସ୍ତ୍ରଶସ୍ତ୍ର ହେଉ ବା ଷଡ଼ଯନ୍ତ୍ରକାରୀଙ୍କ ପ୍ରତି କେବଳ ମାତ୍ର ଶୁଭକାମନା ହେଉ । ଯଦି ଏହା ପ୍ରମାଣିତ ହୋଇଯାଏ ଯେ ଷଡ଼ଯନ୍ତ୍ରରେ ସହାୟତା ଦିଆଯାଇଛି ତାହେଲେ ବି ଏହା ଦେଖିବାର କଥା ଯେ ସେହି ସହାୟତା ଷଡ଼ଯନ୍ତ୍ରର ଉଦ୍ଧେଶ୍ୟ ସ୍ଫୂର୍ତ୍ତିରେ କେତେ ଦୂର ସହାୟକ ହୋଇଛି । ଯଦି ଛାନଭିନ୍ କଲା ପରେ ଜଣାପଡ଼ିଲା ଯେ ଅମୁକ ବ୍ୟକ୍ତିର ଅମୁକ ପ୍ରକାରରେ ସହାୟତା ଷଡ଼ଯନ୍ତ୍ରର ସଫଳତା ପାଇଁ କରାଯାଇଛି ତା’ହେଲେ ଏପରି ବ୍ୟକ୍ତିଙ୍କୁ ଷଡ଼ଯନ୍ତ୍ରକାରୀ ମାନିନିଆ ଯାଏ, ଅନ୍ୟଥା ନୁହେଁ । ଏହି ପ୍ରକରଣରେ ଏହି ଅଭିଯୋଗର ଏକ ଉଦାହରଣ ନିମ୍ନରେ ପ୍ରଦତ୍ତ ।
ଅଭିଯୋଗରେ ସରକାରଙ୍କ ତରଫରୁ ଦୁଇ ସାକ୍ଷୀ ଶ୍ରୀ ଦୀକ୍ଷିତ ଏବଂ ଶ୍ରୀ କୃଷ୍ଣଜୀବନଙ୍କୁ ଅଦାଳତରେ ପ୍ରସ୍ତୁତ କରାଗଲା । ସେମାନେ ନିଜ ସାକ୍ଷ୍ୟରେ କହିଲେ ସେମାନେ ନାନା ଆପତେଙ୍କୁ ଅସ୍ତ୍ରଶସ୍ତ୍ର କ୍ରୟ କରିବା ପାଇଁ ଧନ ଦ୍ୱାରା ସହାୟତା କରିଥିଲେ । ଅସ୍ତ୍ରଶସ୍ତ୍ର କ୍ରୟ କରିବା ପାଇଁ ସହାୟତା କରିବା ସ୍ୱତନ୍ତ୍ର ରୂପରେ ଏକ ବେଆଇନ କୃତ ହୋଇପାରେ । କିନ୍ତୁ ଏହି ବିଶିଷ୍ଟ ଉଦ୍ଧେଶ୍ୟ ପାଇଁ ସେ ସହାୟତା କରିଥିଲେ ଅଥବା ତାଙ୍କ ସହାୟତାର ଏଥି ପାଇଁ ଉପଯୋଗ କରାଯାଇଥିଲା ଏହି ଆରୋପ ପ୍ରମାଣିତ ନ ହୋଇପାରିବା କାରଣରୁ ତାଙ୍କୁ ଷଡ଼ଯନ୍ତ୍ରର ସହାୟକ ଅଥବା ଷଡ଼ଯନ୍ତ୍ରକାରୀ କରାଗଲା ନାହିଁ । ପୂର୍ବଲେଖରେ ଏହାର ବିସ୍ତାରପୂର୍ବକ ଉଲ୍ଲେଖ କରାଯାଇଛି । ଅତଃ ଏଠାରେ ସଂକ୍ଷେପରେ ଉଦାହରଣ ଅର୍ଥେ ପ୍ରସ୍ତୁତ କରାଗଲା ।
ତା ୨୭/୦୫/୧୯୪୮ରେ ପ୍ରଥମେ ଅଭିଯୁକ୍ତଙ୍କୁ ନ୍ୟାୟାଳୟକୁ ଅଣାଗଲା । ସେହି ଦିନ ଓ ଏହାର ଏକ – ଦୁଇ ଦିନ ବାଦ ବି ପ୍ରାରମ୍ଭିକ ବ୍ୟବସ୍ଥା ଦୃଷ୍ଟିରୁ ନ୍ୟାୟାଳୟ ଖୋଲା ଥିଲା । ଅଭିଯୁକ୍ତଙ୍କୁ ତା୨୧/୦୬/୧୯୪୮ରେ ଦୋଷୀ ବୋଲି ଦର୍ଶାଗଲା । ପ୍ରଥମ ଦିନରୁ ହିଁ ଅଭିଯୁକ୍ତ କ୍ରମ ନଂ ୪ ଦିଗମ୍ବର ରାମଚନ୍ଦ୍ର ବଡ଼ଗେଙ୍କୁ ନ୍ୟାୟାଳୟରେ ପ୍ରସ୍ତୁତ କରା ଯାଇଥିଲା । ପରେ ସେ ରାଜକ୍ଷମା ପ୍ରାପ୍ତ ହୋଇ ରାଜସାକ୍ଷୀ ହୋଇଯାଇଥିଲେ । ଅତଃ ତାଙ୍କୁ କ୍ଷମା ପ୍ରଦାନ କରାଗଲା ତଥା ଅଭିଯୁକ୍ତଙ୍କ କ୍ରମସଂଖ୍ୟାରେ ବି ପରିବର୍ତ୍ତନ କରାଗଲା । ଏବେ ସାବରକରଜୀ ଅଭିଯୁକ୍ତ କ୍ରମା ୮ରୁ ୭ ହୋଇଗଲେ । ସରକାରଙ୍କ ତରଫରୁ ପ୍ରମୁଖ ଅଧିବକ୍ତା ଶ୍ରୀ ଦପ୍ତରୀ ନ୍ୟାୟାଳୟ ସମ୍ମୁଖରେ ଅଭିଯୋଗର ରୂପରେଖା ପ୍ରସ୍ତୁତ କଲେ । (ଅଭିଲେଖ ଗ୍ରନ୍ଥ ୬ , ପୃଷ୍ଠା ୪୬)
ଶ୍ରୀ ସାବରକଜୀଙ୍କ ବିରୁଦ୍ଧରେ ଆରୋପର ବିବରଣୀ
ସାବରକରଜୀଙ୍କ ବିରୁଦ୍ଧରେ ସରକାରୀ ଓକିଲଙ୍କୁ ଯାହା ଯୁକ୍ତି ଦର୍ଶାଇବାର ଥିଲା, ସେମାନେ ମୁଦ୍ରିତ ଅଭିଲେଖର ବିିଭିନ୍ନ ଭାଗରେ ପୃଥକ ପୃଥକ ଦର୍ଶାଇଥିଲେ । ସେସବୁ ଆରୋପକୁ ସଂକ୍ଷେପରେ ଏହି ପ୍ରକାର ଉଲ୍ଲେଖ କରାଯାଇପାରିବ-
ନାନା ଆପତେ ଓ ନାଥୁରାମଙ୍କ ସହିତ ସାବରକରଜୀଙ୍କ ଘନିଷ୍ଠ ସଂପର୍କ ଥିଲା । ନାଥୁରାମ ଓ ନାନା ଆପତେଙ୍କ ଦ୍ୱାରା ସଞ୍ଚାଳିତ ‘ହିନ୍ଦୁରାଷ୍ଟ୍ର’ ଦୈନିକରେ ସାବରକରଜୀଙ୍କ ଚିତ୍ର ଏବଂ ତାଙ୍କର ବିଚାରଧାରା ପ୍ରକାଶ କରାଯାଉଥିଲା । ସାବରକରଜୀ ନାଥୁରାମ ଓ ନାନା ଆପତେଙ୍କୁ କେବଳ ଆର୍ଥିକ ସହାୟତା ଦେଉନଥିଲେ ଅପିତୁ ସେମାନଙ୍କ ମଧ୍ୟେ ନିୟମିତ ପତ୍ର-ବିନିମୟ ହେଉଥିଲା । ଗାନ୍ଧୀହତ୍ୟା ପୂର୍ବରୁ ସାବରକରଜୀ ଏହି କୃତ ଘଟିବାକୁ ଯାଉଛି ବୋଲି ଜ୍ଞାତ ଥିଲେ । ଏହି ହତ୍ୟା ପୂର୍ତ୍ତିରେ ସାବରକରଜୀ ସହାୟତା କରିଥିଲେ । ଏହି ଘଟଣା ସହିତ ସମ୍ବନ୍ଧିତ ଅନ୍ୟ କିଛି ଅଭିଯୁକ୍ତଙ୍କ ସହିତ ସାବରକରଜୀଙ୍କ ଭେଟ ହେଉଥିଲା । ସାବରକର ଏହି ଷଡ଼ଯନ୍ତ୍ରର ନାୟକଙ୍କୁ ଶୁଭକାମନା ଏବଂ ଆଶୀର୍ବାଦ ପ୍ରଦାନ କରିଥିଲେ । ଅଭିଯୁକ୍ତମାନେ ଦିଲ୍ଲୀ ପହଞ୍ଚିବା ପରେ ତା ୧୯/୦୧/୧୯୪୮ରେ ଟେଲିଫୋନ ଯୋଗେ ଶ୍ରୀ ସାବରକରଜୀଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ପ୍ରୟାସ କରିଥିଲେ ।
ସରକାରୀ ଓକିଲମାନେ ଏଥିରେ ଆଉ ଏକ ଘଟଣା ବି ଯୋଡ଼ି ଦେଲେ । ସେମାନଙ୍କ କହିବାର ଥିଲା, ଅଭିଯୁକ୍ତ ନଂ ୭ ବିନାୟକ ଦାମୋଦର ସାବରକର ନାଥୁରାମ ଓ ଆପତେଙ୍କ ମାଧ୍ୟମରେ ଗାନ୍ଧୀଙ୍କ ହତ୍ୟା ସଂରଚନା କରିଥିଲେ । ଏହି ଦୁଇ ବ୍ୟକ୍ତି ସାବରକରଙ୍କୁ ଗୁରୁସ୍ଥାନୀୟ ସମ୍ମାନ ଦେଉଥିଲେ । ସେ ବି ସର୍ବଦା ସେମାନଙ୍କ ମାର୍ଗଦର୍ଶକ ହିସାବରେ ଆଦର କରୁଥିଲେ । ପର୍ଦା ପଛରେ ରହି ସାବରକର ପୂରା ଘଟଣାକୁ ଭିଆଇଥିଲେ । ସରକାରୀ ଓକିଲମାନେ ନ୍ୟାୟାଳୟକୁ ପ୍ରତିଶୃତି ଦେଲେ ଯେ ସେମାନେ ସମସ୍ତ ଆରୋପକୁ ପ୍ରମାଣିତ କରିବେ ।
ସରକାରୀ ପକ୍ଷ ଓକିଲଙ୍କ କହିବାନୁସାରେ ଯଦି ଆରୋପ ପ୍ରମାଣିତ ହୁଏ ତା’ହେଲେ ଏହି ଘଟଣାର ସଂପୂର୍ଣ୍ଣ ଉତ୍ତରଦାୟୀ ହେବେ ସାବରକରଜୀ । ଏଣୁ ଏହା ସୁନିଶ୍ଚିତ ଥିଲା ଯେ ତାଙ୍କୁ ମୃତ୍ୟୁଦଣ୍ଡ ଅତିରିକ୍ତ କମ୍ ଦଣ୍ଡ ହେବନି ।
ଅଭିଯୋଗ ସିଦ୍ଧ କରିବା କାର୍ଯ୍ୟ ଆରମ୍ଭ ହୋଇଗଲା ଏବଂ ସାବରକରଙ୍କ ବିରୁଦ୍ଧରେ ଗୋଟିଏ ଗୋଟିଏ ପ୍ରମାଣ ଉପସ୍ଥାପିତ କରାଗଲା । କାଳକ୍ରମେ ସେହି ପ୍ରମାଣକୁ ଘଟଣାରେ ସମ୍ବନ୍ଧ ଯୋଡ଼ାଗଲା ।
ଅଭିଯୁକ୍ତଙ୍କ ସହିତ ପତ୍ର-ବ୍ୟବହାର
ଗାନ୍ଧୀହତ୍ୟାର ଠିକ୍ ପରବର୍ତ୍ତୀ ଅର୍ଥାତ୍ ତା ୩୧/୦୧/୧୯୪୮ରେ ପୁଲିସ ଅଧିକାରୀ ଶ୍ରୀ ନାଗରବାଲା ଏବଂ ଶ୍ରୀ ପ୍ରଧାନ ସାବରକରଜୀ ସଦନର ତଲାସି ନେଲେ । ସେଠାରୁ ମିଳିଥିବା ପତ୍ରବିନିମୟ ସମ୍ପର୍କିତ ଅନେକ ଫାଇଲ ତଥା କିଛି ଅନ୍ୟ କାଗଜାଦି ନିଜ କର୍ତ୍ତୃତ୍ୱକୁ ଘେନିଗଲେ ଓ ସେସବୁ ପଞ୍ଚନାମା ପ୍ରମାଣ କ୍ର. ପି.୨୪୪ ନାମରେ ନ୍ୟାୟଳୟରେ ଦାଖଲ କରାଗଲା ।
(ଅଭିଲେଖ ଗ୍ରନ୍ଥ ୪, ପୃଷ୍ଠା ୧୮୨-୮୪)
ପତ୍ର-ବ୍ୟବହାର ସମ୍ବନ୍ଧିତ ଫାଇଲର ସଂଖ୍ୟା ୧୪୩ ଥିଲା । ସେଥିରେ ପ୍ରାୟ ଦଶହଜାର କାଗଜାଦି ଥିଲା । ଏସବୁର ଛାନ୍ଭିନ୍ କରିବାକୁ ଗୁଇନ୍ଦା ବିଭାଗକୁ ପାଖାପାଖି ତିନି ମାସ ସମୟ ଲାଗିଲା ।
ସେଠାରୁ ନାଥୁରାମ ଓ ଆପତେଙ୍କୁ ସମ୍ବଳିତ ରୂପେ ସମ୍ବୋଧିତ କରାଯାଇଥିବା ଚିଠି ସହ ସେମାନଙ୍କୁ ପୃଥକ ପୃଥକ ଲେଖାଯାଇଥିବା ଅନେକ ପତ୍ର ମିଳିଥିଲା । ବଡ଼ଗେଙ୍କ ଦୁଇ ତିନି ପତ୍ର ବି ଥିଲା । ସେସବୁ ପତ୍ରଗଦା ମଧ୍ୟରୁ ପ୍ରମାଣ ଯୋଗାଡ଼ ନିମିତ୍ତ ୨୦/୨୫ ଚିଠି ଚୟନ କରାଯାଇ ସେସବୁ ନ୍ୟାୟାଳୟରେ ପ୍ରସ୍ତୁତ କରାଗଲା । ସେସବୁର କ୍ରମିକ ସଂଖ୍ୟା ୨୭୭-୨୯୯ ଦିଆଗଲା । ସେଥି ମଧ୍ୟରେ ସାବରକରଜୀଙ୍କ ଲିଖିତ ପତ୍ର ମଧ୍ୟ ଥିଲା ।
ଯେବେ ସାକ୍ଷୀଙ୍କୁ ପଚରାଗଲା ନାଥୁରାମଙ୍କ କେତେ ପତ୍ର ମିଳିଲା, ଉତ୍ତର ଥିଲା, ନାଥୁରାମଙ୍କ ଦ୍ୱାରା ଲିଖିତ ୧୦୧ ଚିଠି ଥିଲା । ସେ ପତ୍ରସବୁକୁ ପ୍ରମାଣ ସ୍ୱରୂପ ପ୍ରସ୍ତୁତ କରାଗଲା ନାହିଁ । ତେଣୁ ନ୍ୟାୟାଧିଶ ଉପରୋକ୍ତ ପ୍ରଶ୍ନ ଏବଂ ଏହାର ଉତ୍ତରକୁ କାଗଜାଦିରେ ଅଙ୍କିତ ନ କରିବାକୁ ଆଦେଶ ଦେଲେ ।
ଯଦିଚ ଏହି ପତ୍ରରେ ଉଲ୍ଲେଖିତ କୌଣସି ପ୍ରକାରର କଥା ଆପତ୍ତିଜନକ ନଥିଲା, ସରକାର ପତ୍ର-ପ୍ରମାଣ ଦ୍ୱାରା ସିଦ୍ଧ କରିବାକୁ ଚାହୁଁଥିଲେ ଯେ (୧) ନାଥୁରାମ ଏବଂ ଆପତେଙ୍କ ସାବରକରଜୀଙ୍କ ସହିତ ଘନିଷ୍ଠତା ଥିଲା ଏବଂ ସେହିି ପ୍ରକାରରେ ବଡ଼ଗେଙ୍କର ବି ତାଙ୍କ ସହିତ ପରିଚୟ ଥିଲା । (୨) ନାଥୁରାମ ଓ ଆପତେ ସାବରକଜୀଙ୍କ ସହିତ ପ୍ରବାସରେ ଯାଉଥିଲେ । (୩) ନାଥୁରାମଙ୍କ ଏବଂ ଆପତେଙ୍କ କେବଳ ବଚନ-ପତ୍ର(Letter of Commitment, Promissory Note)ର ଆଧାରରେ ହିଁ ସାବରକରଜୀ ସେମାନଙ୍କୁ ୧୫ ହଜାର ଟଙ୍କା ଋଣ ଦେଇଥିଲେ ।
ଏହିସବୁ ଆରୋପ ମଧ୍ୟରୁ କୌଣସି ଗୋଟିଏ ବି ସାବରକରଜୀ ଅସ୍ୱୀକାର କରିନଥିଲେ । ବରଂ ସେ ପ୍ରତ୍ୟେକ କଥାର ସ୍ପଷ୍ଟୀକରଣ ଦେଇ ଥିଲେ । ଦିଗମ୍ବର ରାମଚନ୍ଦ୍ର ବଡ଼ଗେଙ୍କ ପତ୍ରସବୁର କ୍ରମିକ ସଂଖ୍ୟା ଥିଲା ଯଥାକ୍ରମେ ପି. ୨୭, ୮୮ ଏବଂ ୮୯ । ବଡ଼ଗେ ହିନ୍ଦୁ ମହାସଭାର କାର୍ଯ୍ୟକର୍ତ୍ତା ଥିଲେ । ହିନ୍ଦୁ ସଭାର ସେ ବେତନଭୋଗୀ କର୍ମଚାରୀ ଥିଲେ । ଏବଂ ବିନା ବେତନରେ ବି କାର୍ଯ୍ୟକର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ବଡ଼ଗେ ଶସ୍ତ୍ର ଭଣ୍ଡାର ସମ୍ଭାଳୁୁଥିଲେ । ବଡ଼ଗେଙ୍କ କହିବାନୁସାରେ ୧୯୪୭ଯାଏ ସେହି ଶସ୍ତ୍ର ଭଣ୍ଡାରରେ ଏମିତି କିଛି ଶସ୍ତ୍ର ଗଚ୍ଛିତ ଥିଲା ଯାହା ଲାଗି ଲାଇସେନ୍ସ ବା ସରକାରୀ ଅନୁମତିର ଆବଶ୍ୟକ ଥିଲା । ବଡ଼ଗେଙ୍କ ଦ୍ୱାରା ଲିଖିତ ପତ୍ରରୁ ଦୁଇଟି ପତ୍ର ୧୯୪୩ର ଥିଲା । ସେଇ ପତ୍ରରେ ସେ ନିଜର ଶସ୍ତ୍ର ଭଣ୍ଡାରର ବିବରଣ ପ୍ରସ୍ତୁତ କରି ସାବରକରଜୀଙ୍କଠାରୁ ଆର୍ଥିକ ସହାୟତା ପାଇଁ ନିବେଦନ କରିଥିଲେ ।
ସାବରକରଜୀ ୨୦/୧୧/୧୯୪୮ରେ ନ୍ୟାୟଳୟରେ ନିଜ ବ୍ୟକ୍ତବ୍ୟ ଦେଇଥିଲେ । ବଡ଼ଗେଙ୍କ ବିଷୟରେ ସେ କହିଥିଲେ-
“ଅସ୍ତ୍ରଶସ୍ତ୍ରରୁ ପ୍ରତିବନ୍ଧକ ହଟାଇନେବା ସପକ୍ଷରେ ଥିଲି । ଶସ୍ତ୍ର ବିକ୍ରୟ ଏବଂ ପ୍ରୟୋଗ ପାଇଁ ମୁକ୍ତହସ୍ତରେ ଲାଇସେନ୍ସ ପ୍ରଦାନ ହେଉ ଏବଂ ଯୁବକଙ୍କୁ ସାମରିକ ଶିକ୍ଷା ଦିଆଯାଉ ବୋଲି ମୁଁ ପ୍ରଚାର କରୁଥିଲି । ମୁଁ ହିନ୍ଦୁ ମହାସଭା ଅଧ୍ୟକ୍ଷ ଥିବା ଯୋଗୁଁ ଶସ୍ତ୍ର ବିତରଣ କାର୍ଯ୍ୟର ବିରରଣ ମୋ ପାଖକୁ ଆସୁଥିଲା । ଏବଂ ଏହା ସମ୍ବନ୍ଧିତ ଆର୍ଥିକ ସହାୟତା ଲାଗି ନିବେଦନ କରି ଅନେକ ପତ୍ର ବି ମୋ ପାଖକୁ ଆସୁଥିଲା ।” (ଗ୍ରନ୍ଥ ପୃଷ୍ଠା ୧୯୧)
ବଡ଼ଗେଙ୍କ ତୃତୀୟ ପତ୍ର ତା ୨୬/୦୩/୧୯୪୭ର ଥିଲା । ହିନ୍ଦୁ ମହାସଭାର ବମ୍ବେ କାର୍ଯ୍ୟାଳୟରୁ ବିଭିନ୍ନ ଗ୍ରନ୍ଥାଗାରକୁ ପୁସ୍ତକ ଭେଟି ଦିଆଯାଉଥିଲା । ବଡ଼ଗେ ଶସ୍ତ୍ର ଭଣ୍ଡାର ଦାୟିତ୍ୱ ସହିତ ଏକ ପୁସ୍ତକ ଭଣ୍ଡାର ବି ଚଲାଉଥିଲେ । ଅନେକ ଗ୍ରନ୍ଥ ପଠାଯାଉଥିଲା । ସେଥି ମଧ୍ୟରୁ ଥିଲା ୩୬ଟି ଗ୍ରନ୍ଥ ଏବଂ ‘ତୁକାରାମ ଗାଥା’ ଭଳି ପୁସ୍ତକ । ବଡ଼ଗେଙ୍କ ସେହି ପତ୍ରରେ ଗ୍ରନ୍ଥ ପ୍ରାପ୍ତିର ସୂଚନା ଥିଲା । ସାବରକରଜୀ କହିଲେ, “ସରକାରୀ ଓକିଲ ମୋତେ ପ୍ରେରିତ ବ୍ୟକ୍ତିଗତ ପତ୍ରର ଗୁଚ୍ଛା ଧରିଛନ୍ତି । ସେଥିରେ ଏହିଭଳି ଅନେକ ପ୍ରାପ୍ତିପତ୍ର ପ୍ରାପ୍ତ ହେବ । ସେଥିରୁ ଏହା ପ୍ରମାଣିତ ହେବ ଯେ ମୋ କାର୍ଯ୍ୟାଳୟ ବିଭିନ୍ନ ସଂଗଠନମାନଙ୍କୁ ପ୍ରତିବର୍ଷ ଶହଶହ ଟଙ୍କାର ପୁସ୍ତକ ଭେଟି ସ୍ୱରୂପ ପଠାଉଥିଲେ । ଅଭିଯୋଗ ସମ୍ବନ୍ଧିତ ଉପସ୍ଥାପିତ ପ୍ରମାଣ ସହିତ ଏହାର କୌଣସି ସଂପର୍କ ନାହିଁ । ପତ୍ର ଆଦାନ-ପ୍ରଦାନରେ କୌଣସିରେ ଆପତ୍ତିଜନକ ବିଷୟବସ୍ତୁ ନାହିଁ । (ଗ୍ରନ୍ଥ- ପୃଷ୍ଠା -୧୯୧)
ନିଜ ସଂଗଠନର ସଦସ୍ୟଙ୍କୁ ସାମରିକ ତାଲିମ ଦେବା ହିନ୍ଦୁ ମହାସଭାର ଏକ ପ୍ରମୁଖ କାର୍ଯ୍ୟକ୍ରମ ଥିଲା । ହିନ୍ଦୁ ମହାସଭାର କାର୍ଯ୍ୟକର୍ତ୍ତା ନାନା ଆପତେ ସେଦିନମାନଙ୍କରେ ମହାରାଷ୍ଟ୍ରର ଅହମଦନଗରରେ ଥିଲେ । ସେ ସେଠାରେ ସାମରିକ ଏବଂ ଶସ୍ତ୍ରବିଦ୍ୟା ତାଲିମ କାର୍ଯ୍ୟକ୍ରମ ସଞ୍ଚାଳନ କରୁଥିଲେ । ଅହମଦନଗରକୁ ଏଥର ହିନ୍ଦୁ ମହାସଭାର ଅନେକ ସଦସ୍ୟ ନିର୍ବାଚିତ ହୋଇ ଆସିଥିଲେ । କାର୍ଯ୍ୟକ୍ରମ ସମ୍ପର୍କିତ ସମସ୍ତ ବିବରଣୀ ଆପତେ ସାବରକରଜୀଙ୍କୁ ପଠାଉଥିଲେ । ଆପତେ ଗୃହମନ୍ତ୍ରୀ ଶ୍ରୀ କହ୍ନେୟାଲାଲ, ମଣିକଲାଲ ମୁନସୀଙ୍କ ଅନୁମତିକ୍ରମେ କ୍ରମେ ଏକ ‘ରାଇଫଲ କ୍ଳବ’ ଚଲାଉଥିଲେ । ସେତେବେଳେ ଆପତେ Honorary Technical Recruiting Officer ପଦରେ ଅବସ୍ଥାପିତ ଥିଲେ । ପରେ ବାୟୁଦଳରେ ତାଙ୍କୁ Kings’s Commission ମିଳିଥିଲା । ଆପତେଙ୍କ ପତ୍ରମାନଙ୍କରେ ଦଳ ସଦସ୍ୟଙ୍କ ସାମରିକ ତାଲିମ ବାବଦର ବିବରଣୀ ଏବଂ ହିନ୍ଦୁ ମହାସଭାର ଅନେକ କାର୍ଯ୍ୟ ବୃତ୍ତାନ୍ତର ଚର୍ଚ୍ଚା ଥିଲା ।
ପ୍ରମାଣ ସ୍ୱରୂପ ଉପସ୍ଥାପିତ ନାନା ଆପତେଙ୍କ ପ୍ରଥମ ପତ୍ର ତା ୧୩/୦୨/୧୯୮୮ର ଥିଲା । (ଅଭିଲେଖ ଗ୍ରନ୍ଥ ୫, ପୃଷ୍ଠା ୯, ପ୍ରମାଣ ଡ଼ି-୨୨) । ବମ୍ବେର ମୁଖ୍ୟମନ୍ତ୍ରୀ ଶ୍ରୀ ଖେର ଏବଂ ଗୃହମନ୍ତ୍ରୀ ଶ୍ରୀ ମୁନ୍ସୀଙ୍କୁ ନଗରର ଜିଲ୍ଲା ଅଧିକାରୀଙ୍କ ମାଧ୍ୟମରେ ‘ରାଇଫଲ କ୍ଳବ’ ସ୍ଥାପିତ ପାଇଁ ଅନୁମତି ପତ୍ର ପ୍ରଦାନ ସକାଶେ ଉପରୋକ୍ତ ଆବେଦନ-ପତ୍ରରେ ପ୍ରାର୍ଥନା କରାଯାଇଥିଲା । ଅନ୍ୟ ପତ୍ରଗୁଡ଼ିକରେ ଜିଲ୍ଲାରେ ଆପତେଙ୍କ ରହଣୀ ଓ ଏବଂ ରାଇଫଲସ୍ କ୍ଳବ ଚଲାଇବା ଲାଗି ଅନୁରୋଧର ବର୍ଣ୍ଣନା ଥିଲା । ପୁନାରେ ‘ରାଇଫଲ କ୍ଳବ’ର ଉଦ୍ଘାଟନ ଶ୍ରୀ ନ. ବି. ଗାଡ଼ଗିଲଙ୍କ ଦ୍ୱାରା କରାଯାଇଥିବା ସୂଚନା ତା ୧୦/୦୫/୧୯୩୯ ପତ୍ରରେ ଉଲ୍ଲେଖ ଥିଲା । (ଅଭିଲେଖ ଗ୍ରନ୍ଥ ୫, ପୃଷ୍ଠା-୯, ପ୍ରମାଣ ଡ଼ି-୧୨)ରେ ଏହି ସମ୍ବନ୍ଧରେ ସାବରକରଜୀଙ୍କଠାରୁ ମାଗଦର୍ଶନର ପ୍ରାର୍ଥନା ଦେଖିବାକୁ ମିଳେ । ‘ହିନ୍ଦୁ ରାଷ୍ଟ୍ର’, ‘ଅଗ୍ରଣୀ’ ଭଳି ସମାଚାରପତ୍ର ଆରମ୍ଭ କରିବାକୁ ଯେବେ ମକଦ୍ଧମାର ବିଚାର ସମୟଠାରୁୁ ଲିଖିତ କିଛି ପତ୍ର ମିଳିବା ସହ କିଛି ପତ୍ର ପରେ ଉପରୋକ୍ତ ସମାଚାରପତ୍ରର ମୁଦ୍ରଣ ଆରମ୍ଭ ପରର ଥିଲା ।ନାଥୁରାମଙ୍କ ପ୍ରଥମ ପତ୍ର ତା ୨୮/୦୨/୧୯୩୮ର ଥିଲା । (ଗ୍ରନ୍ଥ ୫ , ପୃଷ୍ଠା ୧୭)
ସେହି ପତ୍ରରେ ନାଥୁରାମ କଂଗ୍ରେସର ୫୭ତମ ଅଧିବେଶନରେ ଦେଶଗୌରବ ତଥା ଅଧ୍ୟକ୍ଷ ସୁବାଷଚନ୍ଦ୍ର ଭାଷଣର ସମାଲୋଚନା କରିଥିଲେ । ଜାତୀୟ ସମସ୍ୟା, ରାଷ୍ଟ୍ରଭାଷା, ରାଷ୍ଟ୍ରଲିପି ବିଷୟ ସମ୍ବନ୍ଧିତ ହିନ୍ଦୁସ୍ତାନର ଦୃଷ୍ଟିକୋଣ ବୁଝିିବା ପାଇଁ ବିଦେଶରେ ପ୍ରଚାର, ଆର୍ଥିକ ଏବଂ ଔଧୋଗିକ ବିକାଶ, ସାମାଜିକ ସମସ୍ୟା ତତ୍ତ୍ୱକୁ ସ୍ୱୀକାର, ଇଂରେଜଙ୍କ ସହ ଲଢ଼ିବାକୁ ସ୍ପଷ୍ଟ ଆହ୍ୱାନ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସ୍ଥାପନର ମହତ୍ୱ ଆଦି ଚର୍ଚ୍ଚା ବାବଦରେ ସ୍ୱୀୟ ମତ ଉପସ୍ଥାପନ କରି ହିନ୍ଦୁ ମହାସଭାର ଅଧ୍ୟକ୍ଷ ଭାବେ ଶ୍ରୀ ସାବରକରଙ୍କଠାରୁ କ’ଣ ପ୍ରତ୍ୟାଶା କରାଯାଏ ତାହାର ଉଲ୍ଲେଖ ଏହି ପତ୍ରରେ କରାଯାଇଛି ।
ପରବର୍ତ୍ତୀ ପତ୍ରମାନଙ୍କରେ ବି ହିନ୍ଦୁ ମହାସଭାର କାର୍ଯ୍ୟକ୍ରମ, କାର୍ଯ୍ୟର ଇତିବୃତ୍ତି ତଥା ତାଙ୍କର ସାବରକରଜୀଙ୍କ ସହିତ ପ୍ରବାସରେ ଯିବା ପାଇଁ ପ୍ରାର୍ଥନା ଆଦି କଥା ରହିଛି । ‘ଅଗ୍ରଣୀ’ ଯାହା ସମୟନୁକ୍ରମେ ‘ହିନ୍ଦୁରାଷ୍ଟ୍ର’ ନାମରେ ମୁଦ୍ରିତ ହେଉଥିଲା ତାହାର ପ୍ରାରମ୍ଭର ଉଦ୍ଧେଶ୍ୟ ବିଷୟରେ ବି ପତ୍ର ଉଲ୍ଲେଖ ଅଛି । ହିନ୍ଦୁରାଷ୍ଟ୍ର ଆଦି ବିଷୟକ ବିବରଣୀ ବି ପତ୍ରରେ ସ୍ଥାନିତ ଥିଲା । ଏହି ବିଷୟବସ୍ତୁ ଆଧାରିତ ପତ୍ର ସାବରକରଜୀଙ୍କୁ ନାନା ଆପତେ ଏବଂ ନାଥୁରାମ ଗଡ଼ସେ ଉଭୟେ ଲେଖୁଥିଲେ । କେବେ କେବେ ଦୁଇଜଣ ମିଶି ବି ଲେଖୁଥିଲେ ।
ହିନ୍ଦୁ ମହାସଭାର ସଦସ୍ୟମାନଙ୍କର ସଂଗଠନର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କ ଅପେକ୍ଷା ସାବରକରଜୀଙ୍କ ପ୍ରତି ଅଧିକ ଆଦର-ସମ୍ମାନର ଭାବନା ଥିଲା । ଏବଂ ସାବରକରଜୀ ମଧ୍ୟ ‘ୟେ ମାଂ ପ୍ରପଧ୍ୟନ୍ତେ ତାଂସ୍ତେଥୈବ ଭଜାମ୍ୟହଂ’ ନୀତି ଆଧାରରେ ନିଷ୍ଠାବାନ କାର୍ଯ୍ୟକର୍ତ୍ତାଙ୍କ ପ୍ରତି ଅଧିକ ପ୍ରେମଭାବ ରଖୁଥିଲେ । ‘ଅଗ୍ରଣୀ’ ବା ‘ହିନ୍ଦୁରାଷ୍ଟ୍ର’ ଶୀର୍ଷକ ସମାଚାର ପତ୍ର ପାଇଁ ନାଥୁରାମ ଓ ନାନା ଆପତେଙ୍କୁ ମାତ୍ର ବଚନପତ୍ର ଆଧାରରେ ସାବରକରଜୀ ୧୫୦୦୦ ନଗଦ ରାଶି ସାହାଯ୍ୟ କରିଥିଲେ । ଏହି ଦୈନିକ ସମାଚାର ପତ୍ରର ସଞ୍ଚାଳନ କେବଳ ନାଥୁରାମ ଏବଂ ନାନା ଆପତେଙ୍କ ଦ୍ୱାରା ହେଉ, ଏହି ପ୍ରକାରରେ ବିଧିବତ୍ ପରାମର୍ଶ ବ୍ୟବସ୍ଥା ଅନ୍ୟ ସମ୍ବନ୍ଧିତ ବ୍ୟକ୍ତିଙ୍କ ସହିତ କରାଯିବା ଆବଶ୍ୟକ ବୋଲି ସାବରକରଜୀ ଏକ ପତ୍ର ଦ୍ୱାରା ସେମାନଙ୍କୁ ସୂଚିତ କରିଥିଲେ । (ପତ୍ର ତା ୪/୪/୧୯୪୫) ପ୍ରମାଣ ପି. -୩୦୨, ଅଭିଲେଖ ଗ୍ରନ୍ଥ -୪, ପୃଷ୍ଠା-୨୨୪) । ଏଥିରେ ପତ୍ରରେ ଉଲ୍ଲେଖିତ କୌଣସି କଥାକୁ ଅସ୍ୱୀକାର କରିବା ଆବଶ୍ୟକତା ସାବରକରଜୀ ମଣିନଥିଲେ । ତାଙ୍କର ଏସବୁ କଥାକୁ ସ୍ୱୀକାର କରିବାକୁ କୌଣସି ଭୟ ନାହିଁ ବୋଲି ସେ ନିଜ ସ୍ପଷ୍ଟୀକରଣ ଦେଇ କହିଥିଲେ – “ହିନ୍ଦୁ ମହାସଭାରେ ଅନେକ କାର୍ଯ୍ୟକର୍ତ୍ତା ଅଛନ୍ତି । ନାଥୁରାମ ଓ ନାନା ଆପତେ ବି ସେମାନଙ୍କ ମଧ୍ୟରୁ ଜଣେ । ଏଣୁ କେବଳ କାର୍ଯ୍ୟକର୍ତ୍ତା ସମ୍ବନ୍ଧରେ ମୋର ଓ ସେମାନଙ୍କର ଉତ୍ତମ ପରିଚୟ ଥିଲା । ଦୈନିକ ଖବରକାଗଜ ପାଇଁ ମୁଁ ତାଙ୍କୁ ଆର୍ଥିକ ସହାୟତା ବି ଦେଇଥିଲି । କେବଳ ତାଙ୍କୁ ନୁହେଁ ଅପିତୁ ‘ବିକ୍ରମ’ ଏବଂ ‘ପ୍ର ହିନ୍ଦୁସ୍ତାନ’ ଆଦି ଅନ୍ୟ ସମାଚାର ପତ୍ରକୁ ମଧ୍ୟ ମୁଁ ସହାୟତା ଦେଇଛି । ନାଥୁରାମଙ୍କ ଦ୍ୱାରା ଲିଖିତ ପତ୍ରରେ ଏହାର ଉଲ୍ଲେଖ ଅଛି । ଦଳର କାର୍ଯ୍ୟକ୍ରମ ସମ୍ବନ୍ଧରେ ଅନେକ ସ୍ଥାନକୁ ଯାତ୍ରା ଅବସରରେ ମୋ ସହିତ ଅନେକ ଲୋକ ରହୁଥିଲେ । ସେଥି ମଧ୍ୟରୁ ନାଥୁରାମ ଓ ଆପତେ ଅନ୍ୟତମ । ଦୈନିକପତ୍ରର ସଂଚାଳନ ପଦ୍ଧତି, ନୀତିଆଦି ନିଶ୍ଚିତ କରିବା ପାଇଁ ଉଭୟ ସ୍ୱତନ୍ତ୍ର ଥିଲେ । ଆପତେ ଅଥବା ନାଥୁରାମଙ୍କ ମୋ ସହିତ କୌଣସି ପ୍ରକାରର ଅବୈଧ ସଂପର୍କ ନଥିଲା । ଏପରି କୌଣସି ପ୍ରକାରର ପ୍ରମାଣ ମଧ୍ୟ କୌଣସି ପତ୍ରରେ ମିଳିବନି ।”
ଦୈନିକ-ପତ୍ରରେ ଶୀର୍ଷକରେ ପ୍ରକାଶିତ ଚିତ୍ର ବିବାଦ
‘ଅଗ୍ରଣୀ’ ବା ‘ହିନ୍ଦୁରାଷ୍ଟ୍ର’ ଦୈନିକ-ପତ୍ରର ପ୍ରଥମ ପୃଷ୍ଠାର ଶୀର୍ଷରେ ସାବରକରଜୀଙ୍କ ଚିତ୍ର ପ୍ରକାଶିତ ହେଉଥିଲା । ସରକାରୀ ଓକିଲମାନେ ଏହି ତଥ୍ୟର ବିଶେଷ ଉଲ୍ଲେଖ କରିଥିଲେ । ସେମାନଙ୍କ କହିବା ଥିଲା, ଏହି ଚିତ୍ରକୁ ଦେଖି ଏହା ସ୍ପଷ୍ଟ ହେଉଛି ଯେ ‘ଅଗ୍ରଣୀ’ର ନୀତିକୁ ସାବରକରଙ୍କ ପୂର୍ଣ୍ଣ ସମର୍ଥନ ଥିଲା । ସାବରକରଜୀ କହିଲେ, ‘ସମାଚାର-ପତ୍ରରେ ଏହି ପ୍ରକାରର ଚିତ୍ର ପ୍ରକାଶିତ କରିବା ଏହି ଦେଶର କିଛି ନୂଆ ନୁହେଁ, ଏହା ସାଧାରଣ କଥା ହୋଇଗଲାଣି । ଅନେକ ସମାଚାର-ପତ୍ରରେ ଗାନ୍ଧୀଜୀଙ୍କ ଫଟୋ ବି ପ୍ରକାଶ ହେଉଥିଲା । ଏମିତି ଅନେକ ସମ୍ବାଦପତ୍ର, ପତ୍ରିକାରେ ଗାନ୍ଧୀଜୀଙ୍କ ଫଟୋ ପ୍ରକାଶିତ ହେଉଥିଲା, ଯାହା ଗାନ୍ଧୀ ସ୍ୱୟଂ ପଢ଼ୁ ବି ନଥିଲେ, ଦେଖି ବି ନଥିବେ । ପୁନାର ସୁବିଖ୍ୟାତ ସମାଚାର ପତ୍ର ‘କେଶରୀ’ରେ ଲୋକମାନ୍ୟ ତିଲକଙ୍କ ଫଟୋ ପ୍ରକାଶିତ ହେଇଥିଲା । ତେଣୁ ସେହି ସମ୍ବାଦପତ୍ରର ବର୍ତ୍ତମାନର ନୀତି ସକାଶେ ସ୍ୱର୍ଗୀୟ ଲୋକମାନ୍ୟ ଉତ୍ତରଦାୟୀ ବୋଲି କେହି ଆଧ୍ୟାତ୍ମବାଦୀ ବି ଆଜି କୌଣସି ନ୍ୟାୟାଳୟରେ କହିବାକୁ ଦୁଃସାହସ କରିବେନି । ବାସ୍ତବରେ ଓ ନ୍ୟାୟ ଦୃଷ୍ଟିରୁ ନେତାଙ୍କ ଚିତ୍ର ପ୍ରକାଶିତ କରିବା ପାଇଁ ସମାଚାର-ପତ୍ରର ସମ୍ପାଦକ ହିଁ ଉତ୍ତରଦାୟୀ ବୋଲି କୁହାଯାଇପାରିବ । ଯେଉଁ ନେତାଙ୍କ ଚିତ୍ର ସମାଚାର-ପତ୍ରର ମୁଖ୍ୟପୃଷ୍ଠା ମଣ୍ଡନ କରୁଥିଲା, ସେମାନଙ୍କୁ ସମ୍ପାଦପତ୍ରର ନୀତି ପାଇଁ ଦୋଷୀ ବୋଲି କୁହାଯିବା ସମୀଚୀନ ନୁହେଁ ।
ସରକାରୀ ଓକିଲଙ୍କ ଆରୋପ ଥିଲା, ନାନା ଆପତେ ଏବଂ ନାଥୁରାମ ଉଭୟେ ସାବରକରଜୀଙ୍କୁ ନିଜ ଗୁରୁ ମାନୁଥିଲେ, ଅତଃ ଗାନ୍ଧୀହତ୍ୟା ପୂର୍ବରୁ ସେମାନେ ସାବରକରଙ୍କ ସହିତ ବିଚାର-ବିମର୍ଶ କରିଥିବେ ନିଶ୍ଚୟ । ଏହାର ଉତ୍ତରରେ ସାବରକରଜୀ କହିଲେ, ‘ଅନେକ ଅଭିଯୁକ୍ତ କୌଣସି ବା କୌଣସି ଧର୍ମ ଉପଦେଶଦାତା ବା ଗୁରୁଙ୍କ ଅନୁଗାମୀ ବୋଳାନ୍ତି । କିନ୍ତୁ ଅପରାଧ କରିବା ପୂର୍ବରୁ ସେମାନେ ଗୁରୁଙ୍କ ସହିତ ପରାମର୍ଶ କରିଥିବେ ଏହି ପ୍ରକାରର ନିଷ୍କର୍ଷରେ ପହଞ୍ଚିବା କ’ଣ ଉଚିତ ଏବଂ ଯଥାର୍ଥ କି ? ଗାନ୍ଧୀଜୀଙ୍କ ପ୍ରତି ଶ୍ରଦ୍ଧାଶୀଳ ଅନେକ ବ୍ୟକ୍ତି ଯେଉଁମାନଙ୍କୁ ତାଙ୍କ ଶିଷ୍ୟ କୁହାଯାଉଥିଲା ୧୯୪୨ରେ ଗୁପ୍ତ ରୂପରେ ହିଂସ୍ରକ ଆନ୍ଦୋଳନ କଲେ । ବିଦେଶୀରାଜର ବିରୋଧ ପାଇଁ ଏହି ସ୍ୱଦେଶ ଆନ୍ଦୋଳନ ଉଚିତ ଥିଲା ବା ଅନୁଚିତ ଏହା ଏହି ସମୟରେ ବିଚାରଣୀୟ ନୁହେଁ କିନ୍ତୁ କେବଳ ଏତିକି କହିବା ପର୍ଯ୍ୟାପ୍ତ ହେବ ଯେ ଗାନ୍ଧୀଜୀ ଏହି ପ୍ରକାରର ଶସ୍ତ୍ର ପ୍ରୟୋଗର ନିଷେଧ କରିଥିଲେ, କିନ୍ତୁ ଗାନ୍ଧୀଜୀଙ୍କ ସେହି ଶିଷ୍ୟଙ୍କ ମାର୍ଗଦର୍ଶନରେ ଲୋକେ ବିପ୍ଲବ କଲେ, ରକ୍ତପାତ କଲେ ଓ ଏପରି କରୁଥିବା ବେଳେ ସେମାନେ ମହାତ୍ମା ଗାନ୍ଧୀଙ୍କ ଜୟ ବୋଲି ବାରମ୍ବାର ଉଦ୍ଘୋଷଣା ବି କରୁଥିଲେ । ଯେଉଁମାନେ ଗାନ୍ଧୀଙ୍କୁ ଖୁବ୍ ଆଦର ସମ୍ମାନ କରୁଥିଲେ ଏବଂ ନିଜ କୃତ ଭିଆଇବା ସମୟରେ ଗାନ୍ଧୀଜୀଙ୍କ ଜୟଗାନ ହିଁ କରୁଥିଲେ । ଅତଃ ବିଦେଶୀଙ୍କୁ ଲୁଟପାଟ, ଘାତପ୍ରତିଘାତ କରିବା ପାଇଁ ଗାନ୍ଧୀଜୀ ପରାମର୍ଶ ଦେଇଥିବେ ବୋଲି ଆରୋପ ତ ବି୍ରିଟିଶ ଶାସକ ବି କରିନଥିବେ । ସରକାରୀ ଓକିଲଙ୍କ ପ୍ରମାଣ – ‘ଏପରି ହୋଇଥିବ’ ଅଥବା ‘ଏପରି ହୋଇଥିବା ସମ୍ଭବ’ ଏହି ପ୍ରକାରର ସନ୍ଦେହାସ୍ପଦ ନିର୍ଯ୍ୟାର୍ଯ ଉପରେ ଆଧାରିତ । ଏହାଦ୍ୱାରା ପ୍ରତୀତ ହୁଏ ଯେ ଯେବେ ଯେମିତିସେମିତି ଠୋସ୍ ପ୍ରମାଣ ମିଳିବା ଅସମ୍ଭବ ହୋଇଗଲା ସରକାରୀ ଓକିଲମାନେ ବିବଶ ହୋଇ ଅସଙ୍ଗତ ତର୍କର ଆଶ୍ରୟ ନେଲେ । ଏହାକୁ ପ୍ରତିଷ୍ଠାର ପ୍ରଶ୍ନ ବୋଲି ଭାବି ଏହି ପ୍ରକାରର ଅନୁଚିତ ଏବଂ ତର୍କହୀନ ପ୍ରମାଣ ପ୍ରସ୍ତୁତ କରିବାକୁ ହେଲେ ପ୍ରଯତ୍ନଶୀଳ ।
ମଦନଲାଲଙ୍କୁ ପ୍ରଶଂସା
ପ୍ରତିପକ୍ଷ ସରକାରୀ ଓକିଲ ଚାହୁଁଥିଲେ, ପ୍ରଫେସର ଜଗଦୀଶଚନ୍ଦ୍ର ଜୈନ, ଶ୍ରୀ ମୋରାଜୀ ଦେଶାଇ ଏବଂ ଅଙ୍ଗଦ ସିଂହଙ୍କ କଥନର ଏକ ଅଂଶ ଶ୍ରୀ ସାବରକରଜୀଙ୍କ ବିରୁଦ୍ଧରେ ପ୍ରସ୍ତୁତ କରାଯାଉ । ଡଃ ଜୈନଙ୍କ କଥନ ଥିଲା ଦିଲ୍ଲୀ ଯିବା ପୂର୍ବରୁ ମଦନଲାଲ ପ୍ରାୟ ଏକ-ଦୁଇ ଦିନ ପରେ ତାଙ୍କ ଭେଟିବାକୁ ଆସୁଥିଲେ । ଏହି ପ୍ରକାରର ଏକ ଭେଟ ଅବସରରେ ଅଙ୍ଗଦ ସିଂହ କିଛି ସମୟ ପାଇଁ ତାଙ୍କ ପାଖେ ଉପସ୍ଥିତ ରହୁଥିଲେ । ସେତେବେଳେ ମଦନଲାଲ ଯାହା କିଛି କହିଥିଲେ ତାହାର ସାରାଂଶ ଡଃ ଜୈନ ବଖାଣିଥିଲେ । ମଦନଲାଲ ଅହମଦନଗରଠାରେ ନିର୍ବାସିତଙ୍କ ପୁନର୍ବାସର ବ୍ୟବସ୍ଥା ଲାଗି ଏକ ସଂସ୍ଥାନ ସ୍ଥାପନା କରିଥିଲେ । କରକରେ ତାଙ୍କୁ ଆର୍ଥିକ ସହାୟତା ଦେଉଥିଲେ । ସେହି ସଂସ୍ଥାନ ଅନେକ ଅସ୍ତ୍ରଶସ୍ତ୍ର ଏବଂ ବିଷ୍ଫୋଟକ ପଦାର୍ଥାଦି ଏକତ୍ରିତ କରୁଥିଲେ । ଏହି ସମସ୍ତ ସାମଗ୍ରୀ ଏକ ଜଙ୍ଗଲିଆ ଅଞ୍ଚଳରେ ଲୁଚାଇ ରଖାଯାଉଥିଲା । ହିନ୍ଦୁ ମହାସଭାର ଅଧ୍ୟକ୍ଷ ବୀର ସାବରକରଜୀଙ୍କୁ ଯେବେ ମଦନଲାଲଙ୍କ କ୍ରିୟାକଳାପ ବିଷୟରେ ଜ୍ଞାତ ହେଲା ସେ ତାଙ୍କୁ ନିଜ ପାଖକୁ ଡକାଇଲେ ଓ ତାଙ୍କ ସହିତ ଦୁଇ ଘଣ୍ଟା ଯାଏ ଆଲୋଚନା କଲେ । ସାବରକରଜୀ ମଦନଲାଲଙ୍କ ପିଠି ଥାପୁଡ଼ାଇଥିଲେ ଏବଂ ‘ଚାଲୁଥାଉ’ ଭଳି ପ୍ରୋତ୍ସାହିତ କଲାଭଳି ବାକ୍ୟ କହିଥିଲେ । ଏହି ସାକ୍ଷାତକାଳରେ ମଦଲଲାଲ କୁଆଡ଼େ କହିଥିଲେ ଯେ ସେ ଏକ ନେତାଙ୍କୁ ମାରିବା ପାଇଁ ନିଶ୍ଚୟ କରିଛନ୍ତି ।
“ଅହମଦନଗରରେ ନିର୍ବାସିତଙ୍କ ପୁନର୍ବାସର ବ୍ୟବସ୍ଥା ପାଇଁ ଆମେ ଏକ ସଙ୍ଘ ସ୍ଥାପିତ କରିଛୁୁ”, ଏହି କଥନ ପୂର୍ବରୁ ହିଁ ଅଙ୍ଗଦ ସିଂହ ସେଠାରୁ ଚାଲିଗଲେ, ଏପରି କହିଥିଲେ ଶ୍ରୀ ଜୈନ । ଅଙ୍ଗଦ ସିଂହଙ୍କ କହିବାନୁସାରେ ସେ ଯେବେ ଶ୍ରୀ ଜୈନଙ୍କୁ ପୁଣି ଭେଟିଥିଲେ, ସେ ମଦନଲାଲ ଯାହା କହିଥିଲେ ତାଙ୍କୁ ଅବଗତ କରାଇଥିଲେ ।
ଶ୍ରୀ ଜୈନ ବମ୍ବେର ଚିଫ୍ ପ୍ରେସିଡେନ୍ସି ମାଜିଷ୍ଟ୍ରେଟ ଶ୍ରୀ ଓସ୍କାର ବ୍ରାଉନଙ୍କ ସମ୍ମୁଖରେ ତା ୨୧/୦୧/୧୯୪୮ରେ ନିବେଦନ କରିଥିଲେ । ଯେବେ ଏହି ବିଷୟ ଉପରେ ତାଙ୍କୁ ପ୍ରଶ୍ନ ପଚରାଗଲା , ଶ୍ରୀ ଜୈନ କହିଥିଲେ, “ ମୁଁ ଅଙ୍ଗଦ ସିଂହଙ୍କୁ କହିନଥିଲି ଯେ ମଦନଲାଲ ତାଙ୍କୁ କହିଥିଲେ ଯେ ସେ ଲୋକଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଡ଼ କରି ଜଙ୍ଗଲରେ ଲୁଚାଇ ରଖୁଛନ୍ତି । ଆଉ ମଧ୍ୟ କହିନଥିଲି ଯେ ସାବରକରଜୀ ତାଙ୍କୁ ଡକେଇ ତାଙ୍କ ପିଠି ଥାପୁଡେ଼ଇ ପ୍ରୋତ୍ସାହିତ କରିଥିଲେ ବୋଲି ।” ତାଙ୍କର ଏହା ମଧ୍ୟ କହିବାର ଥିଲା ଯେ ସେ ତାଙ୍କ ବ୍ୟକ୍ତବରେ ଅଙ୍ଗଦ ସିଂହଙ୍କ ନାମ ମଧ୍ୟ ଉଲ୍ଲେଖ କରିନଥିଲେ । (ଗ୍ରନ୍ଥ ୧ , ପୃଷ୍ଠା ୧୩୩)
ଶ୍ରୀ ଜୈନ ନିଜ ବ୍ୟକ୍ତବରେ ଏହା ମଧ୍ୟ କହିଥିଲେ ସେ ମଦନଲାଲଙ୍କ କଥନକୁ ତା ୨୧/୦୧/୧୯୪୮ରେ ମୋରାଜୀ ଦେଶାଇଙ୍କୁ କହିଥିଲେ । ଏହା ଶ୍ରୀ ମୋରାରଜୀ ଦେଶାଇ ନିଜ କଥନରେ ଉଲ୍ଲେଖ କରିଛନ୍ତି । ଯଦି ଦୁଇଙ୍କ କଥନ ସହିତ ସାବରକରଜୀଙ୍କ ସମ୍ବନ୍ଧ ଥାଇପାରେ ବୋଲି ଧରି ନିଆଯାଏ ତାହେଲେ କେବଳ ଏତିକି ଯେ ଯେବେ ମଦନଲାଲ ଅହମଦନଗରରେ ପୁନର୍ବାସ ଶିବିର ସ୍ଥାପନା ବିଷୟ ଉଲ୍ଲେଖ କରିଥିବେ ସେଥିପାଇଁ ସାବରକରଜୀ ତାଙ୍କୁ ପ୍ରଶଂସାପୂର୍ବକ ପିଠି ଥାପୁଡ଼ାଇ ଥିବେ । ବୋଧହୁଏ ଅଙ୍ଗଦ ସିଂହଙ୍କୁ ନିଜ ସାକ୍ଷ୍ୟରେ କିଛି ପରିବର୍ତ୍ତନ ଆଣିବାକୁ ଆବଶ୍ୟକତା ପଡ଼ିଥିବ । ଅଙ୍ଗଦସିଂହଙ୍କ କହିବାର ଥିଲା ଯେ ଯେ ମଦନଲାଲ ଶ୍ରୀ ଜୈନଙ୍କୁ କହିଥିଲେ ଯେ ଏହି ଷଡ଼ଯନ୍ତ୍ରର ସାବରକରଜୀ ମଧ୍ୟ ସମ୍ମିଳିତ ଓ ଏହି କଥା ଶ୍ରୀ ଜୈନ ତାଙ୍କୁ କହିଥିଲେ । (ଗ୍ରନ୍ଥ ୧ , ପୃଷ୍ଠା ୧୪୮)
ସାବରକରଜୀ ନ୍ୟାୟାଳୟ ସମ୍ମୁଖରେ ପ୍ରମାଣିତ କରିଥିଲେ ଯେ ଏପରି ସାକ୍ଷୀ ଅସାର ଏବଂ ଅବିଶ୍ୱାସନୀୟ ଅଟେ । ତାଙ୍କ କଥନର ସାରାଂଶ ନିମ୍ନମତେ ପ୍ରଦତ୍ତ-
ମୂଲତଃ ଏହି ତିନି ସାକ୍ଷୀଙ୍କ ମଧ୍ୟ କେହି ଜଣେ ବି ନିଜ ନିଜ ବ୍ୟକ୍ତବ୍ୟ ତଥା ବାର୍ତ୍ତାଳାପକୁ କୌଣସିଠାରେ ଲିଖିତ ରୂପରେ ସଂରକ୍ଷିତ କରିନାହାଁନ୍ତି । ମୋରାରଜୀ ଦେଶାଇ ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ବି ଏହି ପ୍ରକାରର କୌଣସି କଥାକୁ ଲିପିବଦ୍ଧ କରିନାହାଁନ୍ତି । ସ୍ମୃତି ପାଣି ସମାନ ଅଟେ, ବୋହିଯାଏ, ଲୋକେ ଖୁବ୍ ଶୀଘ୍ର ପାଶୋରି ଯାଆନ୍ତି । ଶୁଣାକଥାର ବିକୃତିକରଣ ଅସମ୍ଭବ ନୁହେଁ । ଏହା ପ୍ରମାଣିତ ହୁଏ ଅଙ୍ଗଦ ସିଂହଙ୍କ ସାକ୍ଷ୍ୟରୁ । ଶ୍ରୀ ଜୈନ ଆଶଙ୍କା କରୁଥିଲେ ଯେ ତାଙ୍କର ଓ ଶ୍ରୀ ମଦନଲାଲଙ୍କ ମଧ୍ୟେ ହୋଇଥିବା ପାରସ୍ପରିକ ଦେଣନେଣ ଏବଂ ପତ୍ର ବ୍ୟବହାର ଭବିଷ୍ୟତରେ ମଦନଲାଲଙ୍କ ସହିତ ତାଙ୍କ ଅନ୍ତରଙ୍ଗତାର ପ୍ରମାଣ ସାଜିପାରେ । ଏଥିରୁ ବର୍ତ୍ତିବା ପାଇଁ ଶ୍ରୀ ଜୈନ ତୁରନ୍ତ ଗୃହମନ୍ତ୍ରୀଙ୍କ ନିକଟକୁ ଗଲେ କାରଣ ସେ ଦିନର ସମ୍ବାଦପତ୍ରରେ ପ୍ରକାଶିତ ହେଇଥିଲା ଯେ ଏହା କୌଣସି ଷଡ଼ଯନ୍ତ୍ର ହୋଇପାରେ । ଶ୍ରୀ ଜୈନ ଅବସରର ଲାଭ ଉଠାଇବା ପାଇଁ ଏବଂ ସ୍ୱୟଂକୁ ନିର୍ଦ୍ଧୋଷ ପ୍ରମାଣିତ କରିବା ପାଇଁ ଏପରି କହିଥାଇପାରନ୍ତି । ମଦନଲାଲଙ୍କଠୁ ଷଡ଼ଯନ୍ତ୍ରକାରୀଙ୍କ ନାମ ଜାଣିବା ପାଇଁ ତାଙ୍କର ଆବଶ୍ୟକତା ପଡ଼ିନଥିବ । ଅନ୍ୟତା ସେ ସେମାନଙ୍କ ବି ନାମ ଉଲ୍ଲେଖ କରି ଥାଆନ୍ତେ ଯାହା ସେ କଲେ ନାହିଁ । ଆଉ ଏକ କଥା, ଯେଉଁ ସମୟରେ ମଦନଲାଲ ଷଡ଼ଯନ୍ତ୍ର ବାବଦରେ କହୁଥିଲେ ଠିକ୍ ସେହି ସମୟରେ ଅଙ୍ଗଦସିଂହ କିପରି ଅନୁପସ୍ଥିତ ହେଇଯାଉଥିଲେ?
“ଶ୍ରୀ ଜୈନ ଯେବେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ନିବେଦନ କଲେ ସେବେ ସେ ମୋର ଓ ମଦନଲାଲଙ୍କ ଭେଟ ବିଷୟରେ କୌଣସି ଉଲ୍ଲେଖ କରିନଥିଲେ । ଯେବେ ତାଙ୍କୁ ଏ ବାବଦରେ ପଚରାଗଲା ସେ କହିଲେ ସେ ଏସବୁ କଥା ଗୃହମନ୍ତ୍ରୀ ଓ ପୁଲିସକୁ କହିସାରିଛନ୍ତି । କିନ୍ତୁ ଦୁଇଜଣଙ୍କ ମଧ୍ୟରୁ କେହି ବି ନିଜ କଥନକୁ ଲିଖିତ ରୂପରେ ସଂରକ୍ଷିତ କରିନଥିଲେ । ଏହାଛଡ଼ା ଗୃହମନ୍ତ୍ରୀ ତଥା ପୁଲିସକୁ ମଦନଲାଲ ପଠାଇଥିବା ପୁସ୍ତକ, ବିଷ୍ଫୋଟକଆଦି ଅନ୍ୟ ସାଧାରଣ କଥାସବୁ ଶ୍ରୀ ଜୈନ ମାଜିଷ୍ଟେଟଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିଲେ ।”
“ଯଦି ଧରିନିଆଯାଏ ଯେ ମଦନଲାଲ ଶ୍ରୀ ଜୈନଙ୍କ ସମ୍ମୁଖରେ କିଛି ବି କହିଥିବେ ତାହେଲେ ସେ ଏପରି କରି ମଦନଲାଲଙ୍କ ସହିତ ମୋର ସମ୍ବନ୍ଧକୁ ଓ ନଗରର ବିଶୃଙ୍ଖଳିତ ସ୍ଥିତି ସହିତ ଯୋଡ଼ି ଦେଲେ । କିନ୍ତୁ ଏହି ପ୍ରମାଣକୁ ସିଦ୍ଧ କରିବାକୁ ସେ ଅସମର୍ଥ ହେଲେ । ମଦନଲାଲଙ୍କ କହିବାନୁସାରେ ଏପରି କୌଣସି କଥା କେବେ ହେଇନଥିଲା । ଡଃ ଜୈନ ଓ ଅଙ୍ଗଦ ସିଂହ, ଉଭୟ ମଦନଲାଲଙ୍କୁ ଗପୁଡ଼ି ସ୍ୱଭାବର ବ୍ୟକ୍ତି ବୋଲି କହୁଥିଲେ । ଏପରି ଜଣେ ବ୍ୟକ୍ତି ଯିଏ ନିଜ କାର୍ଯ୍ୟର ଡେଙ୍ଗୁରା ପିଟୁଥିଲେ । ଏଣୁ ଏପରି ପ୍ରତୀତ ହେଉଥିଲା ଯେ ମଦନଲାଲ କେବଳ ଅହମଦନଗରରେ ନିଜ କାରାନାମା ବିଷୟରେ ସାବରକରଜୀଙ୍କୁ ସହିତ ଚର୍ଚ୍ଚା କରିଥିଲେ ବୋଲି ଡଃ ଜୈନ କହିଥିଲେ । ମଦନଲାଲ ଗାନ୍ଧୀହତ୍ୟା ଯୋଜନା କରିନଥିଲେ ସାବରକରଜୀଙ୍କ ସହିତ । କିନ୍ତୁ ପ୍ରମାଣ ସମସ୍ତ ତଥ୍ୟ ସହିତ ସାମଞ୍ଜସ୍ୟ ରଖୁନଥିଲା, ଏପରି କୌଣସି ଯୋଜନା ହୋଇନଥିଲା ବୋଲି ମଦନଲାଲ ସ୍ୱୟଂ କହିବା ପରେ ବି । ତେଣୁ ମୋ ମତରେ ପ୍ରାଧ୍ୟାପକ ଜୈନ ଏବଂ ମନ୍ତ୍ରୀଆଦିଙ୍କ ସମସ୍ତ ସାକ୍ଷ୍ୟକୁ ଅବିଶ୍ୱାନୀୟ ବୋଲି ମାନିନେଇ ଅଗ୍ରାହ କରାଯାଉ ।
-ପରେ-