ଶ୍ୟାମ ମୀନାକୁ ଅବିରତ ମାରି ଚାଲିଥିଲା । ବିଧା ଗୋଇଠା ଖାଇ ବି ମୀନା ଚୁପ୍ ଥିଲା । ଇଏ ସେହି ମୀନା ଥିଲା ଯେ ଟିକେ ଟିକେ କଥାରେ ଅଧିକ ଲୁହ ଗଡାଉଥିଲା । ଟିକେ ବି ଗାଳି ଧମକ ସେ ଶୁଣିପାରୁନଥିଲା । ଥରେ ଯେବେ ମୁଁ ତାକୁ ପଢାଇଲାବେଳେ ଗାଳି କରିଥିଲି, ସେ ମୋ ସହ ଦୁଇ ତିନି ଦିନ ଧରି ରାଗିକି କଥା ହୋଇନଥିଲା ।
ଆରେ ହେ ଶ୍ୟାମ ! ତୁ ଏ କଣ କରୁଛୁ? ଭଉଣୀକୁ କେହି ଏମିତି ମାରନ୍ତି ? ମୁଁ ମୀନାପଟିଆ ହୋଇ କହିଲି ।
ଦାଦା, ଆମେ ତ ଖେଳୁଛୁ । କଳିଗୋଳ କରୁନାହୁଁ ।
ହେ ଦୁଷ୍ଟମାନେ ! ଜଣେ ଆଉଜଣକୁ ମାରିବା ପିଟିବା କୋଉ ଖେଳରେ ଯାଏ ?
ଦାଦା, ମୀନୁ ମାଆ ଭୂମିକାରେ ଆଉ ମୁଁ ବାପାଙ୍କ ଭୂମିକାରେ ଅଛି । ରାତି ହେଇଗଲାଣି । ମୁଁ ମଦ ପିଇ ଘରକୁ ଆସିବି ତ ମୀନୁକୁ ମାରିବି କାରଣ ମୀନୁ ମାଆ ବନିଛି । ଶ୍ୟାମ କହିଲା ।
ମୁଁ କୋଉ ଗୋଟେ ଶୂନ୍ୟତାରେ ହଜିଯାଇଥିବା ଶ୍ୟାମକୁ ନିରେଖି ଦେଖୁଥିଲି । ମୀନା କିଛି କହିବାରୁ ମୋର ଧ୍ୟାନ ଭଗ୍ନ ହେଲା । ସେ କହୁଥିଲା- ଦାଦା, ଆପଣ ଯାଆନ୍ତୁ । ନିଜ କାମ କରନ୍ତୁ । ଏ ଆମ ଦୁହିଁଙ୍କ ଭିତରର କଥା । ଆପଣଙ୍କୁ ମଝିରେ ପଡିବା ଦରକାର ନାହିଁ । ସ୍ୱାମୀ-ସ୍ତ୍ରୀଙ୍କ ମାମଲାରେ ଆପଣ କାହିଁକି ମୁଣ୍ଡ ପୂରାଇ ମଝିରେ ପଡୁଛନ୍ତି?
